Unknown

 

 

 

 

 

 

 

 

 

ଗୀତିଗୁଚ୍ଛ

ପଣ୍ତିତ ଗୋଦାବରୀଶ ମିଶ୍ର

 

ସୂଚନା

 

ପୂଜ୍ୟାପଦ ସ୍ୱର୍ଗତ ପିତା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରଚିତ କାବ୍ୟ, କବିତା, ନାଟକ, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ରାଜନୈତିକ ଲେଖା ଓ ଆତ୍ମଚରିତ ଗ୍ରନ୍ଥାବଳୀ ଆକାରରେ ସଂପାଦନା କରାଯାଉଅଛି । ବସ୍ତୁତଃ ପିତା ଜୀବିତ ଥବାବେଳେ ରାଜନୀତିର ନିଗଡ଼ ବେଷ୍ଟନୀ ମଧ୍ୟରେ ରହି ସୁଦ୍ଧା ଏ ଦିଗରେ କିଛି ଦୂର ଅଗ୍ରସର ହୋଇଥିଲେ । ସେ ନିଜର ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରି କେତେକ ଅଂଶ ପ୍ରକାଶନ ନିମିତ୍ତ ସଜ୍ଜିତ କରିରଖିଥିଲେ । ଆକସ୍ମିକ ଭାବରେ ରୋଗାକ୍ରାନ୍ତ ହେବାରୁ ସଜ୍ଜିତ ଅଂଶର ପ୍ରକାଶନ ଘଟି ଗଲା ନାହିଁ । ପୁଣି ପରେ ପରେ ତାଙ୍କର ମୃତ୍ୟୁ ଘଟିବାରୁ ପ୍ରକାଶନରେ ବହୁ ବିଳମ୍ବ ଘଟିଅଛି । ଅନ୍ୟାନ୍ୟ ସମସ୍ତ ରଚାନାକୁ ସେ ସଜ୍ଜିତ କରି ପାରିନାହାଁନ୍ତି-। ସେଗୁଡ଼ିକର ସାଜସଜ୍ଜା ଓ ସଂକଳନ କାର୍ଯ୍ୟ ଚାଲିଛି । ତଥାପି ଖଣ୍ଡିଏ ଖଣ୍ଡିଏ କରି ସଂପାଦନା କରିବା ସଙ୍ଗେ ସଂପୂର୍ଣ୍ଣ ଗ୍ରନ୍ଥାବଳୀ ପ୍ରକାଶ କରିବା ସହଜସାଧ୍ୟ ମନେହେଉଛି । ସେହି ଦୃଷ୍ଟିରୁ ଏହି ‘ଗୀତିଗୁଚ୍ଛ’ ଗ୍ରନ୍ଥାବଳୀ ସଂକଳନ ଦିଗରେ ପ୍ରଥମ ଉଦ୍ୟମ ।

Image

 

ସୂଚୀପତ୍ର

 

୧.

ଜନ୍ମଭୂମି

୨.

ରାଜାଙ୍କ ମାଂସଦାନ

୩.

ଗୋପାଳ

୪.

ମହେନ୍ଦ୍ରତନୟା

୫.

ସାୟାହ୍ନ ଭାବନା

୬.

କବି

୭.

ମାୟାମୃଗ

୮.

ସଲିଳଧାରା

୯.

ଦୁଆର ଆଗରେ

୧୦.

ଋଷିକୁଲ୍ୟାର ମିନତି

୧୧.

ବାସି

୧୨.

ବାଛୁରୀକୁ ସାନ୍ତ୍ୱନା

୧୩.

ଆସିଛ

୧୪.

ଫୁଟନା

୧୫.

ଭେଟି

୧୬.

କି ଦାନ ?

୧୭.

ପରିଚୟ

୧୮.

ମର୍ତ୍ତ୍ୟେ ନାହିଁଛି ଏକା

୧୯.

ପିକର ପରାଣ ଗୀତି

୨୦.

ଯାଆ ଲୋ ଭଗିନୀ

୨୧.

ଏକାକୀ

୨୨.

ଭାଇ

୨୩.

ବକୁଳବଚନ

୨୪.

ବିକଳକଣ୍ଠ କୋଇଲି

୨୫.

ସଖା

୨୬.

ଏହି କଥାଟିକ

୨୭.

ବିଦାୟେ

୨୮.

ବୈତରଣୀ ତୀରେ

୨୯.

ଅଦେହ ଅମୃତ କେଳି

୩୦.

କାକଳି

୩୧.

ଭଗ୍ନୀ

୩୨.

ପିଅରୁ ଅଧିକ

୩୩.

ବାଳକ

୩୪.

ଦାନ

୩୫.

ବିହଗ ପରାଣ ଘେନା

୩୬.

ଜାଗର

୩୭.

ଯାଚି କି ପାରିବି ?

୩୮.

ନିଜ

୩୯.

ପାଦତଳେ

୪୦.

ଏକାନ୍ତେ

୪୧.

କିଶୋର କବି

୪୨.

ରଖିଥିବ ଚିତ୍ତେ

୪୩.

ନୁହେ ଯେବେ ସଭ୍ୟ ପରିବାର

୪୪.

ଅଭୟ ଆଶେ

୪୫.

ପିଞ୍ଜରାବଦ୍ଧ ପିକ

୪୬.

ଥକା ମନ ଚାଲ ଯିବା

୪୭.

ସାନ୍ଧ୍ୟତାରା

Image

 

ଜନ୍ମଭୂମି

 

ଜନମଭୂମି ଯେ ମାଟି ପଥରର

ଜନନୀକି ବଳି ବଡ଼;

ସେ ଜନମଭୂମି ସେବା ସେ କରଇ

ନରଜନ୍ମ ଧନ୍ୟ ତାର ।

ହ୍ରଦ ନଦୀ ବନ ପ୍ରାନ୍ତର ପର୍ବତ-

ଜଡ଼ି ଏ ସକଳ ଯେତେ,

ପ୍ରତି ପ୍ରାଣେ ବହେ ଜନନୀ ରକତ

ଜୀବନ୍ତ ପରାୟେ ସତେ ।

ସରଗୁଁ ବଳି ଏ ଜନମଭୂମିର

ହେଲେ ତିଳେ ଅପମାନ,

ଥିଲା ଦିନ ଯେବେ ଉଠୁଥିଲେ ଗର୍ଜି

କୋଟି କୋଟି ତା ସନ୍ତାନ ।

ଏ ଜନମଭୂମି ଗଉରବ ଶିରୀ

ଅଟଳ ରଖିବା ପାଇଁ,

ସମର ପ୍ରାଙ୍ଗଣେ ଦେଉଥିଲେ ପ୍ରାଣ

ଶତ ଲକ୍ଷ ଦେଶ ଭାଇ ।

ଅଛି ସେହି ଭୂଇଁ, କେଜାଣେ କିପାଇଁ

ହୃଦୟେ ନାହିଁ ସେ ଟାଣ,

ଜନନୀ ଦଇନେ କିପରି ସନ୍ତାନେ

ରହିଛନ୍ତି ଧରି ପ୍ରାଣ ।

କି ସୁଖ ଜୀବନେ, ଚିର ଅପମାନ

ହେବ ଯେବେ ଭାଗ୍ୟେ ଲେଖା ?

ମାଆ ବୋଲି ଥରେ ଉଠ ହେ ସୋଦରେ,

ମାଆର ଲଭିବ ଦେଖା ।

Image

 

ରାଜାଙ୍କ ମାଂସ ଦାନ

 

ବହୁଶତ ବର୍ଷ ପୂର୍ବେ ଏ ପୁଣ୍ୟ ଭାରତେ,

ଯଦୁପତି ଉଶୀନର ପ୍ରଖ୍ୟାତ ଜଗତେ ।

ଧରି ରାଜଦଣ୍ଡ କରେ କରନ୍ତି ଶାସନ,

ବହି ସ୍ନେହ ପ୍ରଜାଗଣେ ପୁତ୍ର କନ୍ୟା ସମ ।

ନ୍ୟାୟେ ସ୍ୱୟଂ ବୃହସ୍ପତି ନୃପ ଶିରୋମରି,

ଦୟାର ସାକ୍ଷାତ ମୂର୍ତ୍ତି, ବୀରତ୍ୱ ଅଶନି ।

ଧର୍ମରକ୍ଷା ଲାଗି ଦିନେ ଉଶୀନର ରାଜ୍ୟେ,

ଆମାତ୍ୟ ଅମଲା ସହ ଲିପ୍ତ ରାଜକାର୍ଯ୍ୟେ;

ଆସିଲା ସହସା ଶୁନ୍ୟୁ କପୋତ ସେକାଳେ,

କହିଲା, ‘‘ଶ୍ରୀପଦେ ଦିଅ ଶରଣ ଏ ଛାରେ;

ପଛେ ଗୋଡ଼ାଇଛି ଶ୍ୟେନ, ଆସିବ ଏକ୍ଷଣି,

ମାରି ପ୍ରାଣେ ହତଭାଗ୍ୟେ ଖାଇବ, ନୃମଣି ।’’

ନସରୁଁ ମୁଖୁ ତା କଥା, ଆସିଲା ସଞ୍ଚାଣ;

କହିଲା, ‘‘ମୋ ଖାଦ୍ୟ ମୋତେ ଦିଅ ନରରାଣ !

କରେ ମୁହିଁ ପକ୍ଷୀ ରାଜ୍ୟୋ ରାଜତ୍ୱ ଗଗନେ,

ଯେବେ ଯାକୁ ପାଏ, ଖାଏ ବୁଭୁକ୍ଷା ମେଣ୍ଟନେ ।

ହସ୍ତକ୍ଷେପ ମୋ ଶାସନେ ନକର, ରାଜନ;

ଛାଡ଼ିଦିଅ କପୋତକୁ, ଯାଏ ମୁଁ ବହନ ।’’

ଶୁଣି ଶ୍ୟେନ ଯୁକ୍ତି, ସିନା ହୋଇଲେ କାତର,

ତେଜି କି ଆଶ୍ରିତେ ଦେବେ ନୃପ ଉଶୀନର ?

କହିଲେ, ‘‘ସଞ୍ଚାଣ, କ୍ଷୁଧା ମେଣ୍ଟାଇବ ସିନା;

କ୍ଷୁଧାଗ୍ନି କି ନ ଶ୍ରମିକ ଏ କପୋତ ବିନା ?

ପ୍ରଚୁର ମାଂସ ମୁଁ ତୁଛା ଦେଉଅଛି ଆଣି,

ବଞ୍ଚାଅ ଆଜି ହେ ପ୍ରାଣେ ଏ ନିରୀହ ପ୍ରାଣୀ । ’’

ଶୁଣି ତା ସଞ୍ଚାଣ ବେଗେ କହେ ଯୁକ୍ତି ଛଳେ,

‘‘ଦୟାବନ୍ତ ବାନା କିପାଁ ଉଡ଼ାଅ ଭୂତଳେ ?

ଏକ ଜୀବେ ବଞ୍ଚାଇବ, ଅନ୍ୟ ଜୀବ ମାରି;

କି ପୁଣ୍ୟ ଅର୍ଜିବ ବୋଲ ଏ କପୋତ ତାରି ?

ବହିଛ ରାଜସ ଗୁଣ, ରାଜନ ଅନ୍ତରେ;

ତହୁଁ ଯାଚ ଆନ ମାଂସ କପୋତ ବଦଳେ ।’’

ରାଜସୁଁ ସାତ୍ୱିକ ଗୁଣେ ବଡ଼ ଯଦୁପତି,

କହିଲେ, ‘‘ସଞ୍ଚାଣ, ଆଉ ନୁହଁ ରୁଷ୍ଟମତି ।

ମାପି ତୁଳାଯନ୍ତ୍ରେ ଦେବି ମୋ ଦେହୁ ପିଶିତ,

କପୋତର ବିନିମୟେ ଘେନ, ବିଭୁକ୍ଷିତ ।

ତଉଲେ ଓଜନ ଯେତେ, ଦେବି ମୁହିଁ ତୁଳି

ଅଣାଉଛି ତୁଳାଯନ୍ତ୍ର, ସୁଶାଣିତ ଛୁରୀ ।’’

ତୁଳାଦଣ୍ଡ ଏକପାର୍ଶ୍ୱ କପୋତେ ବସାଇ,

ନିଜ ଦେହୁ ମାଂସ ଖଣ୍ଡ କାଟି ନରସାଇଁ ,

ଥାପି ଅନ୍ୟପାର୍ଶ୍ୱେ ତାକୁ, ଧରନ୍ତେ ସେ ଦଣ୍ଡ,

ହୋଇଲା କପୋତ ଭାରି, ଲଘୁମାଂସ ଖଣ୍ଡ ।

କାଟିଲେ ନୃପତି ତ୍ୱଚା ଆଉ ଖଣ୍ଡେ ମାଂସ,

ରକ୍ତନଦୀ ବହେସିନା, ଭାରି ଅନ୍ୟପାର୍ଶ୍ୱ ।

ପଡ଼ିଗଲା ରାଜସଭା ମଧ୍ୟେ ହାହାକାର,

ନୁଶୁଣିଲେ ନୃପ କିଛି, ନକଲେ ବିଚାର;

ତୁଳାଯନ୍ତ୍ରେ ବସିଗଲେ ସ୍ୱମାଂସ ସହିତ,

କ୍ଷୁଧାର୍ତ୍ତ ସଞ୍ଚାଣ ଦେଖି ଅତି ଆଚମ୍ବିତ ।

ଉଶୀନରେ କରିବାକୁ ପ୍ରତ୍ୟକ୍ଷେ ପରୀକ୍ଷା,

ଇନ୍ଦ୍ର,ଅଗ୍ନି ବହିଥିଲେ ଏହି କୂଟ ଦୀକ୍ଷା ।

ସେ ପରୀକ୍ଷା କ୍ଷତ୍ରେ ଇନ୍ଦ୍ର ହେଲେ ପରାଭୁତ,

ଲଭିଲେ ବିଜୟ ଠିକେ ଯଦୁକୁଳ ସୁତ ।

ରାଜସଭା ଶିରେ ଇନ୍ଦ୍ର କରି ପୁଷ୍ପବୃଷ୍ଟି,

କହିଲେ,‘‘ରାଜନ, ଆଜି ଧନ୍ୟ ହେଲା ସୃଷ୍ଟି ।

ଜୀବେ ଏତେ ଦୟା ଆହା ବହିଛି ହୃଦୟେ ।

ପରପ୍ରାଣ ରଖୁଅଛି ନିଜ ବିନିମୟେ ।’’

Image

 

ଗୋପାଳ

 

ଘରକୁ ଗୋପାଳ ଏକମାତ୍ର ପୁଅ

ଦରିଦ୍ରପସରା ଅନ୍ଧଲଉଡ଼ି,

ଦୁଇଦିନେ ଥରେ ଛୁଏଁ ଅନ୍ନ ମୁଖେ

ବାକି ବେଳେ ଖାଏ ହୁଡ଼ୁମ୍ବ ମୁଢ଼ି ।

ଘରେ ଆସି ନିତି ଠାଏ ବସିବାକୁ

ଫୁରୁସତ ନାନା ଜଞ୍ଜାଳେ କାହିଁ ?

ବିଭା-ବ୍ରତ-ଶ୍ରାଦ୍ଧ- କୋଠ ଜନ୍ତାଳେ ସେ

ନ ରହିଲେ କାମ ଉଠଇ ନାହିଁ ।

କାହା ଘରେ ରୋଗୀ ପଡ଼ିଥିଲେ ଶେଯେ,

ତା ବିନେ କେ ସେବା କରିବ ଆଉ ?

ଦୋକାନୁଁ ସଉଦା ନ ଆସିଲେ କା’ର,

ଗୋପାଳ ତକ୍ଷଣେ ଯୁଟଇ କାହୁଁ ।

କା ଗଛୁଁ ନଡ଼ିଆ ତୋଳା ନୋହୁଥିଲେ,

ଚଢ଼େ ବିନା ଛନ୍ଦେ ଗଛେ ଗୋପାଳ;

କା ଗାଈ ଘରକୁ ଚିରି ନ ଫେରିଲେ;

ତାର ବହିଯାଏ ଦେଢ଼ପା ଝାଳ ।

କେ ଯଦି ମୁଣ୍ଡାଇ ବୋଝ ବୋହିବାକୁ

ବୁଲି ଖୋଜି ଗ୍ରାମେ ନ ପାଏ ଲୋକ,

ଭିଡ଼ି ତ୍ୱଚା ଅଣ୍ଟା ବାହାରେ ଗୋପାଳ,

ମନେ ତା ନ ପଡ଼େ ଶୋଷ କି ଭୋକ ।

କ୍ଷୁଧାର୍ତ୍ତ ବୁଲିଲେ ମାଗି ଗାଆଁ ଦାଣ୍ଡେ,

ଧନୀ ସିନା ମୁହଁ ଦିଅନ୍ତି ମୋଡ଼ି,

ଘରୁ ଚୂଡ଼ା ମୁଢ଼ି ଯା ପାଏ ସାଉଁଟି

ଦିଏ ଆଣି ସେହୁ ତା ହାତେ ଲୋଡ଼ି ।

ଗ୍ରାମେ ଯେବେ ଆସେ ଗୁଡ଼ିଆ ପସରା,

ମୁଆଁ ପାଇଁ କରେ ହଟା କା ପିଲା,

ଉଧାରେ ପଇସା ଆଣି ସେ ଗୋପାଳ,

କିଣି ମୁଆଁ ତାକୁ କରଇ ଥିରା ।

ହଣା ମରା କାହିଁ ଲାଗିଲେ, ଧାଏଁ ସେ,

ଦୁଇଦଳ ମଧ୍ୟେ ହୁଅଇ ଠିଆ;

ତା ମୁଣ୍ଡେ ପାହାର ବସେ ଦୁଇପକ୍ଷୁଁ

ମାତ୍ର ନିଭିଯାଏ କଳହ ନିଆଁ ।

କେହୁ ଯଦି କରି ଦୋଷ ଅପରାଧ

ଭିଡ଼ା ହୁଏ ଦଣ୍ଡ ଭୋଗିବା ପାଇଁ,

ଡ଼େଇଁପଡ଼ି ଆଗେ କହଇ ଗୋପାଳ,

‘‘ମୁଁ ଦୋଷ କରିଛି; ସେ କରିନାହିଁ ।’’

ଘରେ କାର ନିଆଁ ଲାଗନ୍ତେ, ପ୍ରଥମ

ବୁଜି ଆଖି ସେହୁ ଚଢ଼ଇ ଚାଳେ;

ହାତ ମୁହଁ ଘୋଡ଼ି ଶୁଏ ଶେଯେ ସିନା,

ପଛାଏ ନାହିଁ ସେ ଆପଦକାଳେ ।

ଘରେ ବାପା ମାଆ କାନ୍ଦି ଗଡ଼ୁଥାନ୍ତି

ହାତରୁ ନୋହିଲା ଦିହାତ ସେହୁ,

ଚଉଦ ବରଷୁ ଚାଳିଶ ପାଖାଏ,

ବଳ କ୍ରମେ ଖସି ଆସିଲା ଦେହୁଁ ।

ପରି ମନ୍ଦ ଚିନ୍ତା କିସ ସେ ନ ଜାଣେ,

ପର ଛିଦ୍ର ତୁଣ୍ଡେ ନ ଧରେ ଦିନେ,

ତା ସାରା ଜୀବନ ଛୋଟ ବଡ଼ କାମ

କରି ନାହିଁ ପର କଲ୍ୟାଣ ବିନେ ।

ଶେଷେ ଯେବେ ମର୍ତ୍ତୁ ଚାଲିଲା ଗୋପାଳ,

ଗ୍ରାମସାରା ଆଉ ନୋହିଲା ଚାହିଁ,

‘ଆହା ଆହା’ ତୁଣ୍ଡୁ ନ ସରେ କାହାର,

ଲୁହ କା ନୟନ ଶୁଝେଇ ନାହିଁ ।

Image

 

ମହେନ୍ଦ୍ର ତନୟା

 

ଉତ୍କଳ ମଣ୍ଡଳେ ମହେନ୍ଦ୍ର ପର୍ବତ

ସକଳ ପର୍ବତୁ ବଡ଼,

ଏପାଖେ ରହିଛି ପାରଳା ରାଇଜ

ସେପାଖେ ମଞ୍ଜୁଷା ଗଡ଼ ।

ଭେଦିଛି ଆକାଶ- ଶିଖ ତାର, ତହିଁ

ଗଲେ ମନେ ଲାଗେ ଭୟ;

ଲକ୍ଷ ପରବତ ମଧ୍ୟେ ସେତ ଏକା

ଉତ୍କଳର ହିମାଳୟ ।

ଶାସ୍ତ୍ରେ ପରା ଅଛି ଶିବ ଶିରୁ ମର୍ତ୍ତ୍ୟେ

ଯାହ୍ନବୀ ଯାଉଛି ବହି;

ତେସନେ ବହଇ ମହେନ୍ଦ୍ର ଶିଖରୁ

ମହେନ୍ଦ୍ର ତନୟା ନଈ ।

ଗଛଲତା ଘାସ ଦିଶେ କି ଶ୍ୟାମଳ

ସେ ମହେନ୍ଦ୍ର ପରବତେ,

ତା ଦେହ ମହେନ୍ଦ୍ର ତନୟା ଧାରଟି

ରୂପା ଉତ୍ତରୀ କି ସତେ ।

କଳ ଗୀତେ ସୁଖେ ବହଇ ଝରଣା

ପଥରୁ ପଥରେ ଡ଼େଇଁ,

ଶୁଣିତା ଚଳିତେ କାନନ କୁରଙ୍ଗେ

ନିଦରୁ ଉଠନ୍ତି ଚେଇଁ ।

କାହିଁ ଜମି ପାଣି ଖେଳଇ ଭଉଁରୀ,

ଲଙ୍ଘେ ଶିଲା ବାଡ଼ କାହିଁ;

କାହିଁ ତରତରେ ଗଡ଼ି ଚାଲିଯାଏ,

ମୁହୂର୍ତ୍ତେ ରହଇ ନାହିଁ ।

ଆଉ କାହିଁ ପୁଣି ଖସି ବେଗେ ତଳେ

ରଚଇ ପ୍ରପାତ ଗୋଟି,

ତହୁଁ ବହି ପୁଣି, ତରୁଲତା ମୂଳେ

ଯାଏ କଳକଳେ ଲୋଟି ।

ଯାଇ ଯେବେ ଶେଷେ ଗିରି ପାଦଦେଶେ

ମିଳଇ ତଟିନୀ ପୁଣି

ଧୀର ବହି ଚାଲେ କଳ ଗୀତ ସାରି,

ତୁରିତେ ହୁଅଇ ତୁନି ।

ଶିଶୁସମ ସାନ ମହେନ୍ଦ୍ର ତନୟା

କେତେ ବଡ଼ ହୁଏ ବଢ଼ି,

ଏ କୂଳୁ ସେ କୂଳ ପାଏ ନାହିଁ ଆଖି,

ବଡ଼ିମା ନୁହଇ କଳି ।

ତା ଘେନି ବଞ୍ଚନ୍ତି ସାରା ରାଜ୍ୟ ଜନ

ପିଅନ୍ତି ଅମୃତ ତାର,

କେତେ ବିଶ୍ୱହିତ ନ ସାଧି ପାରଇ

ପର୍ବତର ବର୍ଷା ଧାର !

ସ୍ୱଦେଶୁ ଯାଉଛି ବହି ସେ ବିଦେଶେ

ପରେ ବିତରୁଛି ଦୟା,

ରୁପ ଗୁଣ ବେନି ସମ୍ପଦେ ଭୁତଳେ

ବଡ଼ ମହେନ୍ଦ୍ର ତନୟା ।

Image

 

ସାୟାହ୍ନ ଭାବନା

 

ଲୁଚିଲା ତପନ ଯାଇ ଅସ୍ତାଚଳ ଶିରେ,

ଆସଇ ପରାଚୀ ଦିଗୁଁ ମାଡ଼ି ତମ ଧୀରେ ।

ପ୍ରତୀତୀ ଗଗନ ପଟ ଦିଶଇ ପାଟଳ,

ଦିବସର ଶେଷ ଶିରୀ ସେ ତ ସେ ଦିନର ।

ସାରି ବିଲେ ହଳକାମ, ବେଗେ ଚଷା ଭାଇ

ଫେରଇ ଊଷତେ ଏବେ ପୁରେ ଗୀତ ଗାଇ ।

ଗଲେ ବାଟୁ ପୋଛୋଟି ମା ନେବେଟି ଆଦରେ,

ବାଢ଼ି ଶାଗ ଜାଉ ସ୍ନେହେ ଖୋଇବେ କୁମରେ ।

ହମ୍ବାରବେ ଗୋରୁ ଗୋଠ ଯାଆନ୍ତି ଲେଉଟି,

ବେକ ଘଣ୍ଟି ସ୍ୱନ ନଭେ ଯାଉଅଛି ଉଠି ।

ଦିନସାରା ବନ୍ଧାଛନ୍ତି ଗୁହାଳେ ବାଛୁରୀ ,

ଗଲେ ପିଆଇବେ ସ୍ତନ ହୁଅନ୍ତି କାଉଳି ।

କାଆ ଘନ ରବେ କୁଆ ପଲ ପଲ ଉଡ଼ି,

ବ୍ୟୋମ ବକ୍ଷେ ନୀଡ଼େ ଯାଉଛନ୍ତି ବାହୁଡ଼ି ।

ବହଇ ତଟିନୀରାଣୀ କଳ କଳ ଭାଷେ,

କହଇ, ‘‘ଯିବି ମୁଁ ତ୍ୱଚା ପାରାବାର ପାଶେ ।

ଦିବସଯାକ ମୁଁ ଯାକୁ କହିଥିଲି ବୁକେ,

କି ଦୂର ରାଇଜେ ସେ ତ ଚାଲିଗଲା ସୁଖେ ।

ଯେତେକାଳ ପୁଣି ସେହୁ ଲେଉଟିବ ନାହିଁ,

ଏ ପ୍ରାଣେ କି କାର୍ଯ୍ୟ ମୋର; ବଞ୍ଚିବି କିପାଇଁ ?

ଅନ୍ଧାରେ ରଖିବି ରୂପ ଲୁଚାଇ ଉଦାସେ,

ତୀରଫୁଲେ ନ ତୋଷିବି ମୋ ଲଳିତ ଭାଷେ ।’’

ଘେନିଲି ପରାଣେ ସବୁ ବସି ମୁଁ କାନ୍ତାରେ,

ଅନ୍ଧାର ହୋଇଲା ନିଶି ବିଲ ପଦାମାଳେ ।

କମଳା କଳିକା ଦେଲା ମୁଦି ନେତ୍ରେ କ୍ରମେ,

ଗୁଞ୍ଜ ଗୀତ ମହୁମାଛି ଗାଇଲେ ସମୁମେ ।

ବସିଥିଲି ଏକା ମୁହିଁ ଆସି ନଦୀତଟେ,

ସାଂଗ ସାଥି ଜଣେ କେ ମୋ ନଥିଲେ ସଙ୍ଗତେ ।

ତେବେ, ମୁହିଁ ନିର୍ଜନତା ନଥିଲି ତ ଜାଣି;

ସାଥି ଥିଲେ ଯେତେ ଧରା-ନଭ-ନୀର ପ୍ରାଣୀ ।

ସରବେ ଏବେ ଯେ ଗଲେ ପଳାଇ ସାୟାହ୍ନେ,

ତେଜି ମୋତେ ଏକାକୀଟି ଆକୁଳ ପରାଣେ;

ବିଜନେ ଏକା ମୁଁ ଆହା ନିରାଶ ଅନ୍ତରେ,

ଏ ଘୋର ବନସ୍ତ ଦେଶେ ବସିଛି କାତରେ ।

ଯିବି ଏବେ ଘରେ, କାଲି ଲେଉଟିବା ପାଇଁ,

ଦିବାଶିରୀ ତେବେ ପୁଣି ଦେଖିବି ଅନାଇ ।

କି ବିଚିତ୍ର ସୃଷ୍ଟି ବିହି କରିଛି ଭିଆଣ,

କ୍ଷଣେ ଯେ, ଯେ ରୂପ ଧରେ ପର କ୍ଷଣେ ଆନ ।

ପଲକେ ଯେ ନୃପ ଆର ପଲକେ ଭିକାରୀ,

ଆଜି ଯେ ସୁନ୍ଦର ଅତି, କୁତ୍ସିତ ସେ କାଲି

ଏ ଏକା ପ୍ରକୃତ ରୂପ ଅଟେ ଜଗତର,

ସୁଖଦୁଃଖ, ଭଲମନ୍ଦ ସମାନ ସକଳ ।

ସୁଖ ଅଛି, ତହୁଁ ଦୁଃଖ ରହିଛି ତା ପାଶେ,

ସମ୍ଭବି ପାରଇ ଭଲ ମନ୍ଦର ସକାଶେ ।

ଖାଲି ଭଲେ, ଖାଲି ସୁଖେ ଅସମ୍ଭବ ମହୀ,

ଦୁଃଖ ମୂଳାଧାରେ ସିନା ପାରେ ସୁଖ ରହି ।

ଆସ ରାତ୍ରି, ଅନ୍ଧକାରେ ଢ଼ାଙ୍କିଦିଅ ମୋତେ,

ତେବେ ମୁଁ ଲଭିବି ଦିବା କାଳ ମହାସ୍ରୋତେ ।

Image

 

କବି

 

ଜଗତେ ଅତୁଲ୍ୟ ଲାଅ, କବି ହେ,

ଏ ଅମର ମେଳାପେ ବଡ଼,

ଥାପି ମର୍ତ୍ତ୍ୟେ ଏକ ପୟର, ସ୍ୱରଗେ

ବଢ଼ାଇ ପାର ଅପର ।

ଦର୍ଶନ ବିଜ୍ଞାନ ଜ୍ୟୋତିଷ ଗଣିତ

ରସାୟନ, ଇତିହାସ,

କି ଅଛି ଭୂତଳେ ବିଦ୍ୟା ଏଭଳି ହେ,

ତୁମେ ତ କରିଛ ବଶ ?

ସକଳ ବିଷୟେ ଚାଳି ପାର ତବ

ଦୁର୍ଜୟ ଲେଖନୀ ହେଳେ,

ବୁଡ଼ି ଘେନ ରତ୍ନ ଅମର ଅଭେଦ୍ୟ

ସୁଗଭୀର ପାରାବାରେ ।

ହସାଅ, କନ୍ଦାଅ ଯେତେବେଳେ ଯାହା

ବିଚାର ଆପଣା ମନେ,

କି ଭାଷା କୁହୁକେ ରଖିଛ ଆବରି

ଜଗତ ଯାବତ । ଜନେ ।

ଛାୟାରେ ଦେଉଛ କୋୟା ଆଣି କାହୁ ?

କାୟାରେ କରୁଛ ଛାୟା,

ମୋହ ବିଜଡ଼ିତ ମର ନର ପ୍ରାଣୁ

ତୁଟାଅ ମୋହନ ମାୟା ।

ଭିକାରିରେ ଥାପ ରାଜ ସିଂହାସନେ,

ରାଜନେ କରି ଭିକାରି,

ମରୁ ଦେଶେ ରଚି ନନ୍ଦନ କାନନ

ନନ୍ଦନେ ପାରତ ଜାଳି ।

ଜାଣି ମିଛ ବୋଲି ଭୁଲନ୍ତି ମାନବେ

ଏ କି ମରୀଚିକା ତୁମେ ?

ମିଛେ ଏ ମରତେ କରୁଛ ରାଜୁତି

ବିଶ୍ୱ ଆଦରଶ ଭ୍ରମେ ।

ମୁଁ ହେଲେ ନିଊନ ଦୀନ ଅକିଞ୍ଚନ

ଏ ମହା ସଂସାର ଦେଶେ,

ତୁମ ବିମୋହନେ ନ ଭୁଲି, କବି ହେ,

ରହିବି ମୋ ହୀନ ବେଶେ ।

Image

 

ମାୟାମୃଗ

 

ପର୍ଣ୍ଣକୁଟୀମଧ୍ୟେ ଅଯୋଧ୍ୟା ନରେଶ

ଦୂର ପଞ୍ଚବଟୀ ବନେ,

ବସି, ହର୍ଷେ ସୀତା ଲକ୍ଷ୍ମଣ ସଙ୍ଗତେ

ରତ ପ୍ରାତ ଆଳାପନେ ।

ଆସି ତ୍ୱଚା କାହୁଁ ଧାଇଁ, ସ୍ୱର୍ଣ୍ଣ ମୃଗ

କୁଟୀର ଦୁଆର ପାଶେ,

ବିଜୁଳି ଝଟକ ପ୍ରାୟେ ନିମିଷକେ

ଲୁଚିଗଲା ବନବାସେ ।

ନେତ୍ରୁ ତା ମୂରତି ନ ପାରିଲେ ପୋଛି

ଜନକ ରାଜ ଦୁହିତା,

କହିଲେ, ସେ ନିଧି ନ ଆଣିଲେ ଧରି

ଅନ୍ନ ମୋତେ ହେବ ପିତା ।’’

ଶୁଣି ରାମ ବେଗେ ଧନୁଶର ହାତେ

କୁଟୀରୁ ହେଲେ ବାହାର,

ବୁଲି ବନେ ମୃଗେ କେତେ ତ ଖୋଜିଲେ

ଛାଇ ନ ଦେଖିଲେ ତାର ।

ବନୁ ବନେ, ଗିରି- ସଙ୍କଟୁ ଗିରିକି

ଚାଲନ୍ତି ଅଯୋଧ୍ୟା ସାଇଁ,

ତେଣେ, ସୀତାସହ ଉଦ୍‌ବିଗ୍ନ ଲକ୍ଷ୍ମଣ

ବାଟ ରହିଛନ୍ତି ଚାହିଁ ।

କେତେବେଳେ ବନୁ ଆସିଲା ଶବଦ

‘‘ଲକ୍ଷ୍ମଣ, ରଖ ଜୀବନ,’’

ଶୁଣି କାନେ ସୀତା ପଡ଼ିଲେ ଚମକି

ଅଧୀର ହେଲେ ଲକ୍ଷ୍ମଣ ।

କହିଲେ ସୀତା,‘‘ଏ ଭାଇ କଣ୍ଠ ସ୍ୱର

ଆପଦେ ପଡ଼ିଲେ କାହିଁ,

ଯାଏ ଏ ମୁହୂର୍ତ୍ତେ, ହେ ଲକ୍ଷ୍ମଣ, ତହୁଁ

ଭାଇଙ୍କି ତାରିବା ପାଇଁ ।’’

ମନ ନ ମାନିଲା, ତଥାପି ସୌମିତ୍ରି

ଚାଲିଲେ କୁଟୀର ତେଜି,

ଘୋର ବନେ ସୀତା ରହିଲେ ଏକାଟି,

ଚିତ୍ତେ ରାମ ନାମ ହେଜି ।

ଚାହୁଁ ଚାହୁଁ ଦ୍ୱାରେ ଆଗତ ଭିକ୍ଷାର୍ଥୀ

ମାଗଇ ଭିକ ଆତୁରେ,

ପତିବ୍ରତା ପତି- କଲ୍ୟାଣ ମନାସି

ଭିକ୍ଷାନ୍ନ ବାଢ଼ିଲେ ଦୂରେ ।

କହିଲା ଭିକ୍ଷାଶୀ, ‘‘କରେ ଆଣି ଦେଲେ,

ଘେନିବି ସିନା ମୁଁ ଭିକ,

ପରବାସେ ପାଦ ପକାଇବି, ମୋତେ

ମଣ କି ଏଡ଼େ ନାସ୍ତିକ ?’’

ଶଙ୍କିତେ ଭିକ୍ଷାନ୍ନ ଆଣି, ହାରଦେଶୁ

ବଢ଼ାଇ ଦେଲେ ମୈଥିଳୀ,

କି ହେଲା ଭିକ୍ଷାର୍ଥୀ ପ୍ରକାଶି ସ୍ୱରୂପ

ଧଇଲା ଶ୍ରୀକରଜ ଭିଡ଼ି ।

ଦଶମୁଣ୍ଡ ତାର ବେକ ଉପରକୁ

ବିକଟ ଦିଶଇ ଅତି,

ଝୁଲଇ କୋଡ଼ିଏ ହାତ ବେନି ପାଶେ,

ଦେଖି, ମୂର୍ଚ୍ଛା ଗଲେ ସତୀ ।

ପୁଷ୍ପକ ରଥ ତା ଥିଲା ପାଶେ, ତାଙ୍କୁ

ବଳେ ସେ ଥାପିଲା ତହିଁ,

ଭୟଭୀତା ତ୍ରସ୍ତା ଜାନକୀ ବିକଳେ

କାନ୍ଦୁଛନ୍ତି କଇଁ କଇଁ ।

ବାହୁଡ଼ି ଶ୍ରୀରାମ- ସୌମିତ୍ରି କୁଟୀରେ

ହୋଇଲେ ଚକିତ ଅତି,

ତେଣେ, ଉଡ଼େ ରଥେ ସୀତାଙ୍କୁ ବସାଇ

ସେ ଦୈତ୍ୟ ଲଙ୍କା ନୃପତି ।

ସ୍ୱର୍ଣ୍ଣମୃଗ ରୂପେ ମାୟାମୃଗ ଗୋଟି

ପେଷି ଯେ ଥିଲା ରାବଣ,

ସେହି ମାୟା ବଳେ ହରିଲା ସୀତାଙ୍କୁ,

ବୁଝିଲେ ରାମଲକ୍ଷ୍ମଣ ।

Image

 

ସଲିଳଧାରା *

 

‘‘ଢାଳିଦିଅ, ଆଗୋ ନାରି, ଢାଳିଦିଅ ଜଳ,

ପିପାସାରେ ହୋଇଛି ମୁଁ ତୃଷିତ କାତର ।

ଭ୍ରମି ବହୁ ପନ୍ଥା ବନ ପଦା ପରବତେ,

ବଞ୍ଚିବି ମରିବି କିବା ନୁହଇ ପରତେ ।

ଯହିଁ ତହିଁ ବୁଲି ପାଣି ଖୋଜିଲି ବହୁତ,

ନଈ,ନାଳ କାହିଁ ମୋର ହେଲାନାହିଁ ଭେଟ ।

ଯହିଁ ଆଶା କରିଗଲି ପାଇବି ମୁଁ ବୋଲି,

ତହୁଁ ତହୁଁ ନିରାଶାରେ ଆସିଛି ବାହୁଡ଼ି ।

ଢାଳିଦିଅ ଏବେ, ନାରି, ଢାଳିଦିଅ ଜଳ,

ପିପାସାରେ ହୋଇଛି ମୁଁ ନିତାନ୍ତ କାତର ।’’

ପାଣିର ମିଷ୍ଟତା ଜିଣି ସୁମଧୁର ଢାଳି,

ମୃଦୁ କଣ୍ଠେ ଭାଷେ ତହୁଁ ଉତ୍ତରିଲା ନାରୀ-

‘‘ଏଭଳି ପିପାସା ବୋଲି ନ ଥିଲି ତ ଜାଣି,

ବଡ଼ ପାତ୍ରେ ଭରି ଆଉ ଆଣିଥାନ୍ତି ପାଣି ।

ଛାଇରେ ବସିଲାଲୋକ ଅତି ସୁକୁମାର,

ଏ ଖରାରେ କିମ୍ପା, ବାବୁ, ହୋଇଛ ବାହାର ?’’

ସେତିକି କହି ତା ପାଣି ଢାଳୁଥାଏ ନାରୀ,

ଢଳ ଢଳ ଢଳୁଥାଏ ନେତ୍ରେ ଅଶ୍ରୁ ବାରି ।

ନୟନ ଚାହାଣି ତାର ଫେଡ଼ୁଥାଏ ସିନା,

ଅଳପ ଆଣିଛ ବୋଲି ମନ କଳପଣା ।

ଢାଳି ଯହୁଁ ପାତ୍ର ତାର ସରିଗଲା ଜଳ,

ଆଉ ଯାଇ ଆଣିବାକୁ ହେଲା ସେ ତିଆର ।

କି କହି ରୋଧିବି, ବେଗେ ନ ଆସିଲା ଭାଷା,

ବୁଝି ତ ପାରୁଛି ପେଟୁ ଶମିଛି ପିପାସା ।

ବିନୟ ବଚନ ତହୁଁ ଭାଷିଲି ମୁଁ ଧୀରେ,

‘‘ଆଉ ପାଣି ପିଇବା ମୋ ଲୋଡ଼ା ନାହିଁ ତିଳେ ।

ଏ ଯେ ସାନପାତ୍ରେ ପାଣି ଆଣିଥିଲ ଭରି,

ବିଚାରୁ କି ଅଛ, ତୃଷା ନ ପାରିଲା ହରି ?

ଯେତେ ପାଣି ବହଇଟି ଏ ବଳଙ୍ଗ ସ୍ରୋତେ,

ସବୁ, ପାତ୍ରେ ଆଣି, ନାରି, ପିଆଇଛ ମୋତେ ।

ଆଉ ଲୋଡ଼ା ନାହିଁ ମୋର ଲବେ ପିଇବାର

ଯେତିକି ପିଇଛି ସେତ ହେଲାଣି ଅପାର ।

ଏହିଭଳି ଖରା ହେଉଥାଉ ମର୍ତ୍ତ୍ୟେ,

ଏ ବନ ପର୍ବତ ସବୁ ଥାଆନ୍ତୁ ଏମନ୍ତେ ।

ଛାଇତଳେ ବସିବାର ସୁକୁମାର ଜନ,

ଦିନୁ ଦିନ ଏ ରାଇଜେ ଆସନ୍ତୁ ଏସନ ।

ବୁଲନ୍ତୁ ଏଭଳି ଶ୍ଲୋଷେ ତୃଷିତ ବିକଳ,

ଏ ମାଟି କଳଶୁ, ନାରି ପଅନ୍ତୁ ସଲିଳ ।

ଗିରି ବନେ ନଈ ନାଳ ଲୋଡ଼ାନାହିଁ, ସତି,

ଯେତେଦିନ ଥିବ, ହାତେ ତୋର ଏ ପାତ୍ରଟି ।’’

 

*

କବି ତରେ ୧୯୧୪ ମସିହା ଗ୍ରୀଷ୍ମଅବକାଶରେ ସତ୍ୟବାଦୀ ବିଦ୍ୟାଳୟ ନିମନ୍ତେ ଘରତୋଳା କାଠି ଆଣିବାକୁ କାଠ ଆଣିବାକୁ ମୟୂରଭଞ୍ଜ ଯାଇଥିଲେ । ସେତେବେଳେ ତାଙ୍କୁ କାଠ ଖୋଜିବା ସକାଶେ ଜଙ୍ଗଲରେ ବୁଲିବାକୁ ପଡ଼ିଥିଲା । ଜଣେ ସାନ୍ତାଳ ରମଣୀ ତାଙ୍କୁ ପିଇବାକୁ ପାଣି ଦେଲା ।

Image

 

ଦୁଆର ଆଗରେ

 

କୁଆଟିଏ ବସି ମୋର ଦୁଆର ଆଗରେ

ବୁଲୁଥିଲା କେତେ ପରକାରେ;

ମୋର ସବୁ କାମ ଛାଡ଼ି,

କି ଆଶାରେ କାନ ପାରି,

ସେ ରବ ଘେନିଲି ତାର ପରାଣ କୁହରେ ।

ସେତ ବଡ଼ ବିମୋହନ ରାବ;

ବସନ୍ତର ନୂଆ କୋକିଳ ସଙ୍ଗୀତ,

ଭରତର ବୀଣା ଝଙ୍କାର ଲଳିତ,

ଲବେ ତାକୁ ନାହିଁ ସରି ହେବ ।

ତାର ସେହି ସରଗ ନିସ୍ୱନେ

ମର ମଧୁ ସମ୍ପଦ ମିଳନେ

କି ଅର୍ଥ ଅଛଇ, କିଛି ନପାରେ ମୁଁ ବୁଝି

ଖାଲି ସବୁ କାମ ଛାଡ଼ି,

ତା ଡାକକୁ କାନ ପାରି,

ତୁନି ହୋଇ ବସି ରହିଥାଏ ମୁଁ ନିମଜ୍ଜି;

ତା ରୂପ ନିରେଖି ପୁଣି, ରାବ ତାର ଶୁଣି,

କି ଭାବନା ଭାଳେ ମୁଁ ପରାଣେ ।

କିଏ ମୋ ଆସୁଛି ପ୍ରିୟ ପଚାରିଲେ ଯେତେ,

ସେତ କିଛି ନ କହିଲା

ସେହିପରି ରାବୁଥିଲା

ସେ ରାବ ଯେ ଅସମଜା ମୋତେ ।

କୁଆ ବସି ରାବୁଥାଏ ଦୁଆର ଆଗରେ

ଥରକୁ ଥର ମୁଁ ତାକୁ

ପଛୁଥାଏ କହିବାକୁ,

କିଏ ସେ ଆସୁଛି ମୋର ଏ ପତ୍ରକୁଟୀରେ ।

ସେ ଯେ କିଁପା କିଛି କହେ ନାହିଁ,

ମୁହିଁ କେତେ କଥା ପାଞ୍ଚେ ମନେ,

କେତେ ଚିତ୍ର ପୁଣି ଦେଖଇ ସ୍ୱପନେ,

କେତେ ପ୍ରିୟଜନ ଚିତ୍ର ଆଣେ କୁଆ ବହି,

ସଭିଏ କୁଟୀରେ ମୋର ଆସୁଛନ୍ତି ଧାଇଁ ।

କୁଆଟି ସେ ନିବସି ସେଠାବେ

ରାବୁଥିଲା ଏତେ ଏତେ ଭାବେ ।

ତାର ସେହି ଅବୁଝା ବଚନେ ।

ଏତେ ପ୍ରିୟ ଆସିବାରେ କହିଲା ତକ୍ଷଣେ ।

ମୁହିଁ ବସିଅଛି ଚାହିଁ ଅନିମେଷେ,

ସେ ତା ଟିକି ପତତ୍ର ଯୁଗଳେ,

ଉଡ଼ି ଖରେ ଚାଲିଗଁଲା ତା ଦୂର ସ୍ୱଦେଶ,

କେଡ଼େ ଗୁରୁଭାର ଲଦି ଅବହେଳେ,

ଗଲା ଆହା ଗୋ କ୍ଷୁଦ୍ର ଅନ୍ତରେ

Image

 

ୠଷିକୁଲ୍ୟାର ମିନତି

 

ଭୁଧର କନ୍ଦରେ ଗହନ କାନ୍ତାରେ

ଜନମି ସୁଦୁରେ କାହିଁ,

ବିଲ ଗ୍ରାମ ପଦା ତେଜି, ୠଷିକୁଲ୍ୟା

ସରାଗେ ଆସିଛି ଧାଇଁ ।

ବାଟେ ରୋଧୁଥିଲେ କେତେ ଗିର ଶିଖ,

କହିଲେ, ‘ନ ଯାଅ ଦୁରେ,’

କେତେ କ୍ଷୁଦ୍ର ହ୍ରଦ ଲୋଡ଼ୁଥିଲେ ତାକୁ

ବହି ଧରିବାକୁ ଉରେ ।

ନ ଶୁଣି ସେ କିଛି ଆସିଛି, ଜୀବନ

ସାଗରେ ଦେବାକୁ ନିହି,

ସିନ୍ଧୁ, ଅଙ୍ଗେ ସିନା ତା ଅଙ୍ଗ ମିଶିଲେ

ଧନ୍ୟ ସେ ପାରିବ ହୋଇ ।

ସିନ୍ଧୁ ସିନା ତାକୁ ତୁହାଇ ତୁହାଇ

ପଛେ ଫେରାଉଛି ପେଲି,

ଗୋଟି ଗୋଟି ଢେଉ ପେଷି, କହୁଅଛି

‘‘କଥା ମାନି ଯାଅ ଫେରି ।

ମୁଁ ଛାର ସମୁଦ୍ର କ୍ଷାରେ ଅଛି ଗଢ଼

ମୋ ପୋଡ଼ା ପରାଣ ଗୋଟି,

ତୋ ମଧୁ ଶରୀର ଆଣି କିପାଁ ନିଦ,

କୋଳେ ମୋ ଯିବୁଲୋ ଲୋଟି ?’’

ଶୁଣି ୠଷିକୁଲ୍ୟା କାନ୍ଦି କହେ ଧୀରେ,

‘‘ନ ଭାଷ ନିଠୁର ବାଣୀ;

ତୋ ପ୍ରତି ପ୍ରୀତି ମୁଁ ବହି ଯେ ଆସିଛି,

କ୍ଷୀର କ୍ଷାର ନାହି ଜାଣି ।

‘‘ତୋ କ୍ଷାରେ ଢାଳିବ ମୋ କ୍ଷୀଣ ଜୀବନ,

ଅନ୍ତର କାମନା ମୋର;

ତୋ ଲାଗି ବହିଛି ଏ ପ୍ରାଣ ଭାରା ମୁଁ,

ପତାଇ ଦିଅ ତୁ କୋଳ ।

‘‘ନୋହିଲେ ଲୋଟିବ ସଇକତ ଶେଯେ,

ପଶିକି ଭୂଗର୍ଭେ ଧୀରେ,

ପଶିଥିଲେ ଯେହ୍ନେ ବିଷାଦେ ଜାନକୀ

ଶ୍ରୀରାମ ନିଠୁର ଗୀରେ ।

‘‘ସ୍ନେହ କି, ସିନ୍ଧୁ, ତୁ ନ ବୁଝୁ ହୃଦୟେ,

କହି ଏ ତରଳପ୍ରାଣ ?

ତୋ ବିନେ ମୋର କି, କହ, ଅଛି ଗତି

ବକ୍ଷେ ତୋର ଦିଅ ସ୍ଥାନ ।’’

Image

 

ବାସି

 

ଗୁରୁ ପୁଷ୍ପରାଜ୍ୟେ ପୁଣ୍ୟ ରାଣୀ ଗୋ ମାଳତି,

କାହିଁପାଇଁ ଏତେ ତୋର ସେନେହ ପୀରତି ?

ଅନାଇ ରହିଛୁ ବାଟ କାହା ଆସିବାର,

ଗୁନ୍ଥି କାହାପାଇଁ ନିତି ରଖୁ ପ୍ରୀତିମାଳ ?

ନୟନ ପଲକେ ସୁଖେ ଚାହିଁଛୁ ଧିଆନେ,

କି ଦୂର ପ୍ରତିମା ମୁଖେ ତୃଷିତ ପରାଣେ ?

କିପାଇ ତୋର ଗୋ ଏହି ନିତି ଚାହିଁ ବସା,

କି ବାଞ୍ଛା ସିଦ୍ଧିକି ଏତେ ଜୀବନ ତପସ୍ୟା ?

ଦିବାନିଶିୁ ଅବିରଳ ବସି ଯୋଗାସନେ,

ଅଟଳ ସାଧନା ସାଧୁକି ପୁଲକ ମନେ ।

ନିତି ଶ୍ରମେ ଗୁନ୍ଥାମାଳ ଶୁଖେ ତୋର ନିତି,

ଆଶା ମାତରେ ଟି ଦିନୁ ଦିନ ଯାଏ ବିତି ।

ପୁଣି ଆଶା ଧରି ବସୁ, ସେ ପଥ ଅନାଇଁ,

ନୂଆ ପରି ଗୁନ୍ଥିରଖ ମାଳଟି ତା ପାଇଁ ।

କିଏ ସେ ଏଭଳି ଅଛି ଏ ବିଶ୍ୱ ଭିତର,

ତୋର ଏତେ ସାଧନାର ଉଚିତ ପାତର ?

ତୋ ଜୀବନେ ଅଛି ଯଦି ଏତେ ଚାହିଁ ବସା,

ଏ ମହା ସାଧନା ସଙ୍ଗେ ଏ ନିରାଶ ଆଶା ।

ତୋ ହାତର ଏତେ ମାଳା ବାସି ହୁଏ ଯେବେ,

ମୋ ପରାଣ ନିରାଶାର ହେତୁ କିବା ଭବେ ?

Image

 

ବାଛୁରୀକି ସାନ୍ତ୍ୱନା *

 

‘ହେ-ମା ହେ-ମା’ ରାବେ କେତେ ତୁ ଡାକିଛୁ,

ମୁହୂର୍ତ୍ତେ ନୋହୁଛୁ ଥିର,

ନୟନ ଯୁଗଳୁ ଢାଳୁ ଅବିରଳ

ପରାଣ ଦୁର୍ଲଭ ନୀର ।

ନ ଜାଣୁ କି ମାଆ ନ ଶୁଣେ ତୋ ଡାକ,

ବାଟ ଦୂର ଦେଶେ ଚାଲ ?

ପାଞ୍ଚ କୋଶ ଏବେ ପାରି ତ ହେବଣି

କୁଦି ବନ ପଦା ବାଲି ।

ଖରା ତୋପେ ଦେହ ଝାଉଁଳି ଯିବଣି,

ପାଦେ ଲାଗିବଣି ବଥା,

ଗଛଡ଼ାଳୁ ପଦେ ଶୁଣୁଥିବ କାନେ

ବନ କୁଆ ବଣି କଥା ।

ଏହିପରି ଦିନ ଚାରି ସେ ଚାଲିବ,

ଘୋରି ହୋଇଯିବ ଖୁରା,

ଫେରିବାକୁ ବାଟୁ ଚାରା ନାହିଁ ତାର,

ବେକେ ଲାଗିଥିବ ଝୁରା ।

ଚାଳିଶ କୋଶେ ସେ ଯାଇଟି ରହିବ,

ପାଳି ବନପ୍ରସ୍ଥ ବ୍ରତ,

ବୁଢ଼ୀ ବୟସର ନୂଆ ସାଥି ମେଳେ

ନବ ଆବେଷ୍ଟନେ ରତ ।

ତୁ ହେଲୁ ପିଲାରୁ ତିନି ବର୍ଷ ଛଡ଼ା

ଦେଲୁ ମାତୃସ୍ତନ ତେଜି;

ଆପେ କାଲି ମାଆ ହୋଇ ତ ବସିବୁ,

କହକି ନ ପାରୁ ହେଜି ?

ଷଠୀ ଯେ ଜଗତେ ସୃଜୁଛି ପ୍ରାଣୀଙ୍କୁ

ଏହିତ ଅଟେ ତା ଲୀଳା;

ଜଣେ ଆସି ମଞ୍ଚେ, କାର୍ଯ୍ୟ ସାରି ଚାଲେ,

କୋଳୁ ରଖିଯାଏ ପିଲା ।

ନ ହୁଅ ଅବୁଝା, ବାୟାଣି, ନୟନୁ

ନ ବୁହା ଲୋତକ ଧାର;

ଏ ଗୋରୁ ଜନମେ ଗଢ଼ରେ ନିଜକୁ

ମର୍ତ୍ତ୍ୟେ ବହିବାକୁ ଭାର ।

ମଆ ଯେ ଯାଉଛି କ୍ଷଣୁ କ୍ଷଣେ ଦୁରେ,

ପ୍ରବାସେ ରହିବ ଯାଇ;

ଏ ସାରା ଜୀବନେ ମାଆ ଝିଏ ଦନେ

ଭେଟ ଆଉ ହେବ ନାହିଁ ।

ପ୍ରବାସେ ଦେହୁତା କେବେ ଅଲକ୍ଷିତେ

ଉଡ଼ିଯିବ ପ୍ରାଣ ବାୟୁ,

ଅସ୍ଥି-ମାଂସ ତାର ମାଟିରେ ମିଶିବ,

ସତ୍ତା ନ ରହିବ ଆଉ ।

କଣ୍ଠାଗ୍ରତବେଳେ ତୋ କଥା, ବାୟାଣି,

ପଟେ ଚଳଚିତ୍ର ପରି,

ସ୍ମୃତି ପୀଠେ ତାର ଉଇଁ ଅସ୍ତ ହେବ

ନେତ୍ରୁ ନୀର ଯିବ ଝିରି ।

ଯା ଦେହର ମେଦ ଅସ୍ଥି ଉପାଦାନେ

ଗଢ଼ା ଯେହୁ ଏ ଜଗତେ,

ଯେତେ ପଶୁ ହେଲେ, ଅନ୍ତିମ କ୍ଷଣେ କି

ମନୁ ବିସୋରିବ ସତେ ?

ବିଧାତା ଯେ ଜୀବେ ଦେଇଛି ଜୀବନ,

ସଙ୍ଗେ ମୃତ୍ୟୁ ଅଛି ସୃଜି,

ଅନ୍ତରୁ ଅନ୍ତରେ ମିଶିଯିବା ପାଇଁ

ଆଖି ଦେଲା ଦିନ ବୁଜି ।

ତେତିକିବେଳେ ତ ମାଆ, ଝିଏ ହେବ

ସବୁ ମନ ଘେନା ଘେନି,

ଭେଟ ସିନା ଭାଗ୍ୟେ ନ ଘଟିବ, ଯିବ

ମିଳି ପରସ୍ପରେ ବେନି ।

ସେ ମୁହୂର୍ତ୍ତ ଲାଗି କରି ତୁ ପ୍ରତୀକ୍ଷା

ଗଢ଼ିଯାଅ ଏ ଜୀବନ,

ବୃଥା ‘ହେ-ମା’ ଡାକେ ନ ଶୁଖାଅ ଗଳା

ନ ତିନ୍ତା ଲୁହେ ନୟନ ।

ନ ଭାଳ, ସେ ଭୋକେ ଶୋଷେ ବା ସଡ଼ିବ

ସେ ଆୟୁ ଯାପିବ ସୁଖେ,

ଦୟାବତୀ ତାର ନୁଆ ଖାଉନ୍ଦାଣୀ

ନିଜେ ଭୋଜ୍ୟ ଦେବେ ମୁଖେ ।

 

*

କବିଙ୍କର କଟକ ବାସଭବନରେ ଗାଈ ସଂଖ୍ୟା ଦୁଇରୁ ତିନି ହୋଇ ଯିବାରୁ, ସେ ଦୁଇଗୋଟି ଗାଈ ତାଙ୍କ ଦାଣପୁର ଘରକୁ ୧୯୪୮ ମସିହାରେ ପଠାଇଦେଲେ । ସେ ଦୁଇ ଗାଈ ମଧ୍ୟରୁ ଗୋଟିକର ତିନିବର୍ଷ ବୟସର ବାଛୁରୀ କଟକରେ ରହିଗଲା । ସେ ଏବେ ଦୁଇଗୋଟି ବାଛୁରୀ ଜନ୍ମକରି ନିଜେ ଗାଈ ହେଲାଣି । ତା ମା ଏ ମଧ୍ୟରେ ବାଣପୁରରେ ମରିସାରିଲାଣି-। କଟକରୁ ବାଣପୁର ପ୍ରାୟ ଅଶୀ ମାଇଲ । ବାଟରେ କାଠଯୋଡ଼ି ଓ କୁଆଖାଇ ପାରି ହୋଇଗଲା ପରେ ଅନେକ ବଣ, ପାହାଡ଼, ପଡ଼ିଆ ପଡ଼େ । କବିଙ୍କର ପତ୍ନୀ ଗୋରୁଗାଈ ଓ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା ବିଶେଷଭାବରେ କରନ୍ତି ।

Image

 

ଆସିଛ *

 

ଏତେ ଦିନ ଅନ୍ତେ ଆସିଛ ଦୋସର

ବାହୁଡ଼ି ଏ ବନମାଳେ;

ତୁମ ତୁଲେ ପୁଣି ହସି ଖେଳି, ବାବୁ,

ରହିବି ପୁଲକ ଭରେ ।

ଏକାନ୍ତେ ସେ ଦିନ ହରଷ ବିଷାଦେ

ବସି ରହିଥିଲି ଚାହିଁ,

ଗୋଟି ଗୋଟି ତୁମେ, ଆଖି ଆଗେ ମୋର

ଚାଲିଗଲ କେତେ କାହିଁ ।

ବଡ଼ି ସକାଳୁ ମୁଁ ସାରି ତର ତରେ

ପାହାନ୍ତି କରମ ମୋର,

ସରସୀ ପୁଲିନେ ବିହରିଲି ଆସି,

ଦେଖି ସୁଖ ଶିରୀ ତାର ।

ତୁମେ ତ ସେଠାବେ କେତେ କେ କି ଭାବେ

ଯାଇ କରିଥାନ୍ତି କେଳି,

ତା ଶୀତଳ ଜଳେ ପଖାଳି ତନ୍‌ଟି,

କୁଟୀରେ ଆସନ୍ତ ଫେରି ।

ତୀର ତରୁ ଛାୟା ଖେଳଇ ସଲିଳେ,

ଢଳି ଧୀର ସମୀରଣେ,

ବିହଗ ନିକର ଉଡ଼ି ଗାଉଛନ୍ତି

ତୁମେ ତହିଁ ନାହିଁ ଜଣେ ।

ସୋଦର ସେନେହେ ରହିଥାନ୍ତି, ଏ ଯେ

କୁଟୀର ଉଆସ ପୁରି,

ଜଣେ କାର ଛାୟା ଆଉତ ନ ଆସେ

ନିମିଷେ ଅୟନ ଭୁଲି ।

ଛୁରିଅନା ବଟ ତମାଳ ନିକୁଞ୍ଜେ

ବିହର ଉଷତ ପ୍ରାଣେ,

ନିକୁଞ୍ଜ କୁସୁମ ପରାଏ, ବାବୁ ହେ,

ଶୋହୁଥାନ୍ତ ସନମାନେ ।

କେଡ଼େ ହତଶିରୀ ନୋହିଛି ଏହି ଯେ

ବିଶାଳ ବକୁଳ ବନ,

ପଥ ଘାଟ ଘର ସରସୀ ପ୍ରାନ୍ତର

ଦିଶେ କେଡ଼େ ଅଘଟଣ ।

ଯେତେ ଯହିଁ ସୁଖେ ପୁରି ରହିଥାନ୍ତି

ଏ ଗୁପତ ବୃନ୍ଦାବନେ,

ସେତେ ସେତେ ଠାବେ ତୁମ ମୂରତି ହେ,

ନେତ୍ରେ ମୁଁ ନ ଦେଖେ କ୍ଷଣେ ।

କେତେ ମୁଁ ବିଦେଶେ ଦୂରେ ପାଶେ, ବାବୁ,

ଭ୍ରମିଲ ନିରତେ ଯାଇ,

କେଉଁ ଠାବେ କାହିଁ ଏ ମୋହନ ଶିରୀ

ନିମିଷେ ଦେଖିଲି ନାହିଁ ।

ଶିଳା ଶେଯେ ଢଳି ମଧୁ କଳ ଗୀତେ,

ପ୍ରସାରି ବିଶାଳ କାୟା,

ରୁଚିର କମ୍ପନେ ନୀଳ ବକ୍ଷ ତଳେ

ଧରିତୀର ଗିର ଛାୟା,

ଆସେ ବହି ଯହିଁ ଚାରୁ ଚିତ୍ରୋତ୍ପଳା,

ସେ ସୁଧା ଧଉତ ତୀରେ,

ପାହାନ୍ତି ପ୍ରଦୋଷ ଶିରୀ ଢଳିବାର

ଦେଖିଲି ଚପଳ ନୀରେ ।

ଚିଲିକା ସଲିଳେ ଜଳ ବେଣୁ ଗୀତି

ଖେଳାଇ ବଦନ ଶୋଭା,

ତରଳ ଅୟନେ ବିହରି ଆସିବା

କେତେ ଆହା ମନ ଲୋଭା !

ସୋଲରି ଶ୍ୟାମଳ ଚରଣ ବିପିନେ

ଉଦାସ ନୟନେ ଚାହିଁ,

ସାହାୟ ଗଗନେ ଗିର ଘଣ୍ଟଶିଳା

ଦୁରେ ନିରେଖିବା ଯାଇ ।

ସକଳ ସମ୍ପଦୁ ବନ ସମ୍ପଦ ଯେ,

ହୃଦୟ ଅମୂଲ୍ୟ ନିଧି,

ଯାହା ପାଇଁ ଆଜି ପ୍ରସାରି ଦେଇଛି

ଜୀବନ ମୋହନ ବେଦୀ,

ସେ ବେଦୀ ନିମିଷେ ଶୂନ୍ୟ ହେଲେ, ବାବୁ,

ଶୂନ୍ୟ ଏ ପରାଣ ମୋର,

ଆକାଶ ଅବନୀ ନ ଦିଶଇ ମୋତେ,

ଆପଣା ହୁଅଇ ପର ।

ଏତେ ଦିନ ଅନ୍ତେ ଆସିଛ ଦୋସର

ଫେରି ଏ ନିକୁଞ୍ଜ ବନେ,

ତୁମ ତୁଲେ ସୁଖେ ଖେଳି ବୁଲି ନିତି,

ରହିବ ପୁଲକ ମନେ ।

ପଢ଼ା କୁଞ୍ଜେ ଛାତ୍ର ଆବାସେ ଆନନ୍ଦେ

ବିହରି ତୁମରି ମେଳେ,

ଜୀବନର ମୋର ରଚିବ ସରଗ

ଏ ମର ଅବନୀ ତଳେ ।

ପାହାନ୍ତି ସମୀରେ ସୁଖେ ଗାଇବାର

ନିକୁଞ୍ଜ ବସନ୍ତଦୁତ,

ତୁମ ତୁଲେ ଖୋଜି, ଭରିବି ପରାଣ;

ତୋଷିବ ବିଧୁର ଚିତ୍ତ ।

ନିଶିଥିନୀ ନଭେ ନିରେଖି ନିମେଷେ

ଉଜଳ ତାରକାଗଣ,

ସେ ମେଳେ ତୁମରି ମେଳାପେ, ବାବୁ ହେ,

ମିଶି ହୋଇଯିବ ଲୀନ ।

କରମେ ବଚନେ ଯେତେ ଯାହା ଦିନେ

ଅଛି ଅବାଞ୍ଛିତ କରି,

ଅନନ୍ତ ସୋଦର ସେନେହେ ସକଳ

କ୍ଷମିବ, ଏତିକି ଅଳି ।

 

*

ଅବକାଶ ପରେ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ ଘରୁ ଫେରିଆସିବା ଉପଲକ୍ଷେ ଏ ପଦ୍ୟ ଲେଖାଯାଇଛି । ସମ୍ୱଲପୁରଠାରୁ ନରାଜମଧ୍ୟରେ ମହାନଦୀର ଶୋଭା କଟକ ତୁଳନାରେ ବହୁତ ବେଶୀ । ସୋଲରୀ ଓ ଘଣ୍ଟଶିଳା ବାଣପୁରର ଦୁଇଗୋଟି ପାହାଡ଼ । କବି ଓଡ଼ିଶାର ନାନା ଅଞ୍ଚଳ ବୁଲି ଦେଖିଛନ୍ତି । ସରଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଅପେକ୍ଷା ଛାତ୍ରମାନେ ଥିବାବେଳେ ସତ୍ୟବାଦୀ ବିଦ୍ୟାଳୟର ଶୋଭା ତାଙ୍କ ପକ୍ଷେ ବଡ଼ । ଏ ପଦ୍ୟରେ ସେହି ଭାବ ପ୍ରକାଶ ପାଇଛି ।

Image

 

ଫୁଟନା

 

ଦୁଆର ଆଗେଟି ଫୁଲଗଛ ମୋର,

ଫୁଲେ ଡାଳ ପତ୍ର ସୁଧା ଢଳଢଳ ।

ଧୂଳି ତଳ୍ପେ ଶାଖା ଯାଉଅଛି ଲୋଟି,

କେତେ ଅଛି ଫୁଲ ଧୂଳି ଶେଯେ ଫୁଟି ।

ଭେଦି ବାତାୟନ, ଶବଳିତ ତନୁ

ଉଦାସ ପଲକ ହରେ ମୋ ନୟନୁ ।

ଭାସି ଅଲକ୍ଷିତେ କେଶର ସମୀରେ,

ଖେଳି ଖେଳି ଯାଏ ମୃଦୁଳ ଲହରେ ।

ଦିବସ କରମ ଶରମ ବିସୋର,

ତହିଁ କିପାଁ ହୃଦ ହୁଏ ମୋର ଢାଳି ?

ରଜନୀ ସୋହାଗ ଶୟନ ସପନେ,

ସେହି ଛବି ଗୁଣି ଲଳିତ ସ୍ମରଣେ ?

‘‘ଫୁଲ ଆରେ, ଡାଳେ ଶୋହିବୁ ନିକର,

କେଶର ହିଲ୍ଲୋଳ ଭରିବୁ ସମୀର ।

ଆଣିବୁ ବସନ୍ତ ବନପ୍ରିୟ ଲୋଡ଼ି,

ନିକୁଞ୍ଜ ନିମେଷ ଆତିଥ୍ୟେ ଆଦରି ।

ହୃଦୟ ଅମୃତ ବିସାରେ ନିବସି,

କଣ୍ଠ ଧାରା ଯେବେ ଢାଳିବି ସେ ହସି;

ଶୁଣିବେ ଜଗତ ବିମୋହିତ ଜନ,

ଫୁଲ ରେଣୁ ତାନେ ବିରଚି ଶ୍ରବଣ ।

ଦିନକ ଜୀବନ ଲଭି ଏ ମରତେ,

ଏଥୁ ବଳି ବେଶି କି କରନ୍ତୁ ସତେ ?

ଦିନଟି ଯାବତ ସଙ୍ଗିସଙ୍ଗ ମେଳେ,

ସେନେହ ଆଳାପେ ଯାପିବୁ କୁଶଳେ ।

ପ୍ରାଚୀ ଦିନମଣି ଜନକ ବରଣେ,

ଯେ ନୟନ ଫେଇ ଚାହିଁଲୁ ଭୁବନେ,

ପ୍ରତୀଚୀ ଗଗନେ ସେହି ଦିନମଣି

ସ୍ୱର୍ଣ୍ଣ ମେଘେ ଯେବେ ବୁଡ଼ିଯିବେ ପୁଣି;

ମୃଦି ତେବେ ସେହି ନୟନ ଯୁଗଳ,

ନିଶି ଆଦି ତଳ୍ପେ ଢଳିବୁ ଆବର,

ପେଷି ବୁନ୍ତବାସୀ ବାଳୁତ କଳିକା

ପ୍ରାତେ ଫେଇବାକୁ ଚାରୁ ତନୁ ଲେଖା ।’’

‘‘ଫୁଲ, ଆମେ ଫୁଲ୍ଲ ପରାଣ ଏ ଭବେ,

ସୁଖ ଦୁଃଖେ ହୃଦ ଦହୁନାହିଁ ଲବେ ।

ଫୁଟିବା ଝଡ଼ିବା ସମାନ ଦୁଇଟି;

ଝଡ଼ ସିନା ସୁଖ, ତରୁଡ଼ାଳେ ଫୁଟି ।

ମଣନା, ମାନବ, ଅଜ୍ଞାନ ଉତାଳେ,

ବଞ୍ଚି ବଡ଼ ହେବୁ ଏ ମର ସଂସାରେ ।

ଫୁଟି ତୁ ଝଡ଼ିବୁ ଉଦାସ ହୃଦୟେ

ସୁଧା ଆବର୍ତ୍ତନେ ଅନନ୍ତ ସମୟେ ।

ତେବେ ତରୁଡାଳେ ଶୋହିବୁ ନିକର

ଆମୁଚାରୁ ମେଳେ କନକିତ ଫୁଲ ।’’

‘‘ଫୁଟ ନାହିଁ, ଫୁଲ, ଫୁଟନା ଏଭଳି,

ମୃଦୁ ସମୀରଣେ ମଧୁ ମନ୍ଦେ ଢଳି ।

ଧୂଳି ଶେଯେ ବୃଥା ଯାଉଅଛ ଲୋଟି,

ହରାଇ ଉଦାସେ ତନୁ ହେମ ଜ୍ୟୋତି ।

ଫୁଟୁଛି ଶ୍ମଶାନେ, ପୂତିକା ପ୍ରାନ୍ତରେ,

ଅହୁବ ମାନବ ପଥେ ପାଦତଳେ ।

ଫୁଟ ଯେତେ ଠାବେ ଫୁଟରେ ବାସନା;

ଏ ତରୁ ତଳପେ ଫୁଟନା ଫୁଟନା ।

ଅଙ୍ଗେ ଲାଗିବାର ବାଲି ଧୂଳି ମାଟି,

କୁସୁମ କେଶରୁ ନିଭିବାର ଜ୍ୟୋତି-

ଦେଖିବ କିପରି, ଧରି ଏ ନୟନ ?

କହିବି-‘‘ଫୁଟ ରେ ଅଯତ୍ନ ମଳିନ ?

ଫୁଟ ନାହିଁ, ଫୁଲ, ଫୁଟନା ଏଭଳି,

ଡାଳୁ ଡାଳୁ ତଳେ ପଡ଼ି ବେଗେ ଝଡ଼ି ।

କାଠ ତନୁ ଘେନି ରହୁ ଏ ପାବପ,

ନିଠୁର ଜଗତ ଯୋଗ୍ୟ ପ୍ରତିରୂପ ।’’

Image

 

ଭେଟି

 

‘‘ଟହ ଟହ କୋଳି ପାଚିଥିଲା ଡାଳେ

ଆଣିଛି ଯତନେ ତୋଳି,

ସାଂଧ୍ୟ ଉପାୟନେ, ନ ଜାଣେ, ସଖା ହେ,

କା’ କରେ ସମ୍ପିବ ବୋଲି ।

ତୋଳି ନିଜେ, ସୁଖେ ଚାଖିଥାନ୍ତି ନିଜେ,

ଚିତ୍ତ ମୋ ବଳିଲା ନାହିଁ,

ଏ ସ୍ୱର୍ଗ ମଧୁ କି ମୋ ତିକ୍ତ ଅଧରେ

ପରଶି ପାରନ୍ତା କେହି ?

କରେ କା’ ନ ଥାପି, ଫିଙ୍ଗିଦେବି ତଳେ,

କେତେ ତ ପାଞ୍ଚିଲ ମନେ,

ନିମିଷେ ମରୁଛି ଫିଙ୍ଗି ନ ପାରିଲି

ଲକ୍ଷ୍ୟକର ବିସ୍ମରଣେ ।

କାରେ ଦେବି, ଆହା       କେବଣ ଜନ ସେ,

କେ ପାତ୍ର ଅଛି ତା ପାଇଁ,

ଆଲୋକ ଅନ୍ଧାରେ ବନ ପଦା ଘରେ

ଖୋଜି ନ ପାଇଲି କାହିଁ ।

ଆସିଛ ସଖା ହେ ଦେବି ମୁଁ ଅରପି

ଘେନି ତ ବଢ଼ାଇ କର,

ତୁମ ଭଳି ଜନ ପାଇଁ ସିନା ଏହି

ନିଧି କରି ଆସେ ଜୂର ।

ଡାଳେ ଥିଲେ, ତରୁ ଶୋହା ସେ ବଢ଼ାଇ-

ଥାଆନ୍ତି ନିଖିଳ ବନେ,

ତୁମ କରେ ଏବେ ଶୋହିବ ମରତ-

ପ୍ରୀତି ଅକଳିତ ଧନେ ।

‘‘ନିଅ, ବନ୍ଧୁ, କରୁ କର ବଢ଼ାଇ ହେ,

ରଖି କି ପାରିବି ଧରି ?

ନେଇ କି ପାରିବି ଏ ମର ଜୀବନେ

ଏଭଳି ସମ୍ପଦ ବରି ?

ଫୁଲ ପରି ଦିନେ ଦିଶି ନାହିଁ ତୋରା,

ଫଳ ପରି ଢଳ ଢଳ,

ତୋଳିବା ଜନର ପରାଣ ପୁଲକ

ଦିନେ ତ ନୋହିଛି ମୋର ।

ବନ ପରବତେ ବୁଲି ମୁଁ ନିରତେ

ପାଲଟିଛି ବନ ତରୁ,

କାଠ ପାଷାଣେ ତ ଗଢ଼ିଛି ଏ ତନୁ,

ଜୀବନ କରିଛି ମରୁ ।

ଯାହା କରେ ଯାହା ଶୋହିବ ସିନା ହେ,

ସେ ତାହା ପାରଇ ନେଇ,

ମୋ ଲାଗି ଏ ନୁହେଁ ଯୋଗ୍ୟ ଉପାୟନ,

କି ଲଭ୍ୟ ମୋ କରେ ଦେଇ ?’’

‘‘ଗଛ ମୁଁ ସରଳ ଜଡ଼ ଏ ଜଗତେ,

ପତ୍ର ଫୁଲ ଫଳେ ଗଢ଼ା,

ମୁଁ କିବା ବୁଝିବ କି ସୁଧା ନିଝରେ

ବନ୍ଧୁ ବନ୍ଧୁ ହୃଦଭରା ?

ଦିନୁ ଦିନ ଅଙ୍ଗେ ସେନେହ ବରଣେ

ବହିଛି ତନୁଜ ଭାର,

କାଠୁଟି ପଲ୍ଲବି ପଲ୍ଲବୁ ସୁମନ

ସୁମନ୍ତୁ ବିରଚି ଫଳ ।

ସାର୍ଥକ କରନ୍ତି ଏ ତରୁ ଜୀବନ

ବିଶ୍ୱବନ ପରିସରେ,

ମୋ ଫଳ ଭାଗରୁ ଏ ବନ୍ଧୁଟି ଯେବେ

ଘେନନ୍ତା ଗୋଟିଏ କରେ ।

ଫଳ ବହିବାର ତେଜନ୍ତି ଜନନୀ-

ସେନେହ ବାସନା ଭବେ,

ଫୁଲ ଭାରେ ତନୁ ନୁଆନ୍ତ ଉଷତେ

ବନ୍ୟ ତରୁ ଗଉରବେ ।

ମଳୟ ସମୀରେ ଲୋଡ଼ନ୍ତି ସରାଗେ

ମୋ ଶୋହା ପରଶ ପାଇଁ,

‘ବିହଗ ପରାଣ ଗାଥା ଫେଡ଼ ଥରେ’

କହନ୍ତି କୋକିଳେ ଗାଇ ।’’

ଏକ ସଖା ହାତେ କୋଳି ଟହ ଟହ

ଅନାଇ ଅପର କ୍ଷଣେ,

ନୀରବ ନୟନେ ନିରେଖିଲା ତରୁ

ସାନ୍ଧ୍ୟ ଅଧ ଆଲୋକନେ ।

କିବା ସେ ଭାଳିଲା ହୃଦୟ ବିସାରେ

ନିମିଷ ମଉନ ଭାଷେ,

ଲୋତକେ ଆକୁଳ କମ୍ପିଲା ନୟନ

ଅଧର ମୃଦୁଳ ହାସେ ।

ବଢ଼ାଇ ତୁରିତେ କର ଯୁଗଳ, ସେ

ସଖାର ଘେନିଲା ଭେଟି,-

‘‘ଏହି ସ୍ନେହ ସବା ରଖିଥିବ, ବନ୍ଧୁ,

ଏ ଡୋରି ନ ଦେବ କାଟି ।’’

Image

 

କି ଦାନ !

 

ହସ ହସ ମୁଖେ, ବନ୍ଧୁ, ଅଶ୍ରୁଳ ନୟନେ

ଦେଇଥିଲ ସୁମନ ଟି, ପଡ଼ଇ କି ମନେ ?

ନିମିଷେ ବଢ଼ାଇ ହାତ, କେଜାଣି କାହିଁକି,

ନିଜସ୍ୱ ପରାଏ ହାତୁଁ ନେଲି ଫୁଲଟିକି ।

ମୋହନ ପ୍ରତିମା ଫୁଲେ ପଲକେ ଅନାଇଁ,

ଫେରାଇଲି ଆଖି ତୁମ ଦରଶନ ପାଇଁ ।

ଆଖି ଆଗୁ କାହିଁ ତୁମେ ଯାଇଥିଲ ଲୁଚି,

ନେତ୍ରେ ସେ ଯେ ଅଶ୍ରୁଟିକ ନୁହଇ ମୁରୁଛି ।

କେତେ ତ ଲୋଡ଼ିଲି ଫୁଲ ଧରିଥାଇ ହାତେ,

କେତେବେଳ ଅନାଇଲି ତୁମ ଯିବା ବାଟେ ।

ନିରାଶ ଅନ୍ତରେ ଶେଷେ ଆସିଲା ବିଚାର-

‘‘ଚାଲିଗଲେ, ଦେଇଛନ୍ତି ଦେଖେ କି ସମ୍ଭାର ।’’

ଏବେ ତ ଦେଖୁଛି, ବନ୍ଧୁ, ସୁମନ ସମ୍ଭାରେ,

ମିଶିଯାଇଅଛି ତୁମେ କେଶର ଉପଳେ ।

ହାତର ଫୁଲଟି ଆହା ଏତେ ମଧୁମୟ,

ନିହିଛି ତାତହିଁ ମୋର ପରାଣର ଲୟ ।

ମୁଖର ଯେ ହସଟିକେ ସମ୍ପିଥିଲ ନିଧି;

କାଳ ଗର୍ଭେ ସିନା ତାହା ଲୁଚାଇଛି ବିଧି,

ଫୁଲେ ଆଜି ସନ୍ନିହିତ ମୋ ସାରା ଜୀବନ,

ଫୁଲଟି ସେ ହୋଇଛି ମୋ ପରାଣ ରତନ ।

ସେ ଯେ କି ବିଷମ ନିଧି ରଖିବି ମୁଁ ନାହିଁ,

ଘେନିଯାଅ, ସୁଖେ, ବନ୍ଧୁ, ଦେଉଛି ଫେରାଇ ।

ଏ ଦାନ ଅମୂଲ୍ୟ ଏତେ ଦାତାଠାରୁ ବଳି,

ଦାତାର ସମ୍ପଦ ତିଳେ ନ ପାରେ ମୁଁ କଳି ।

Image

 

ପରିଚୟ *

 

କାହୁଁ ଯେ ଆସିଲ, ସଖା, ଦେଇଗଲ ଦେଖା ମୋରେ ?

ମୁଁ ତ ଥିଲି ନିଜନେ ମୋ, ମୋ ଦୀନ କୁଟୀର ପୂରେ ।

କିପାଇଁ ଗଲ ହେ ଏଥି ନିମିଷ ମାତର ବସି,

ନୟନ କନକ କୋଣେ ପ୍ରୀତି ଆଳାପନେ ହସି ?

ଜାଣି ତ ନ ଥିଲି କେବେ ଶୟନ ସପନ ଭ୍ରମେ,

ଚରାଚରେ ସ୍ଥିତି ତବ, ଅସୀମ ଅବନୀ ବ୍ୟୋମେ ।

କେତେବେଳେ ଅନ୍ତେ, ବନ୍ଧୁ, ଶରମେ ପୁଛିଲି ନାମ,

ତେବେ ହେଲେ, କେତେ ଦଣ୍ଡେ ହୋଇଗଲା ବିସ୍ମରଣ ।

ଆବର ପୂଚ୍ଛିବା ଲାଗି ମନ ମୋ ବଳିଲା ନାହିଁ

ବିସ୍ମରଣେ, ବନ୍ଧୁ ମୋର, ଉଭେଇଟି ଗଲ କାହିଁ ।

ବିଦାୟ ବେଳର ସେ ଯେ ନୟନ ପଲକ ଖେଳା,

ହୁଦୁଁ ହୁଦେ ବହିବାର ସରଗ ଅମୃତ ଧାରା;

ଅଧବାଟୁ ସଙ୍ଗେ ମୋର ଆସି ଚିତ୍ତ ବିସାରଣେ,

ଅଧ ଆଳାପନେ ଏଥି ନିବସି ମଊନ ମନେ,

ବରପଦ କ୍ଷେପେ ପଥେ କି ଅଦୃଶ୍ୟ ଡୋରେ ଟାଣି,

କୁଟୀର ଦୁଆରେ ମୋର ମାଗି ଯେ ନେଲ ମେଲାଣି-

 

ସକଳ ବିସୋରି ମନୁ, ଗଲ ଅପସରି କାହିଁ,

ମଉନେ ନିମିଷ ବେନି ରହିଲି ମୁଁ ବାଟ ଚାହିଁ ।

ମଧୁ ଶ୍ରୀପଞ୍ଚମୀ ଆଜି, ନବ ଋତୁ ତୁଲେ ମିଳି,

କି ପୁଣ୍ୟ ବିହ୍ୱଳେ ଖେଳେ ଜଗତ ଅନନ୍ତ ଶିରୀ,

ନବ ପିକ ସୁଧା ସ୍ୱନେ ଶିଶୁ କଳକଣ୍ଠବାଣୀ,

ଶୀତଳ ସାୟାହ୍ନ ନଭେ ବାଳୁତ ରଜନୀ ରାଣୀ;

ବାତାୟନେ ବହି ଧୀରେ ଆସଇ ମଳୟଧାର,

ତରୁ ସନ ସ୍ୱନ ସ୍ନେହେ ଢାଳି ଏ ପରାଣେ ମୋର ।

କି ଭାବ ଲୋଡ଼ଇ କାରେ, ତିଳେକ ନୁହଇ ଜାଣି;

କିଏ କେତେବେଳେ ଆସି ଫେରେ, ମୁଁ ନପାରେ ଚିହ୍ନି ।

ଥିର ହୁଅ ନିମିଷେକ, ପଡୋଶୀ ବିପଞ୍ଚୀସ୍ୱନ,

ତୁନି ହୁଅ ବିପଣୀର ବାଳୁତ ଅମୃତ ତାନ,

ବନ ପରବତ ପଦା ସରସୀ ସାଗର ନଈ,

ପ୍ରଦୋଷ ପାଟଳ ନଭ, ପୁନିଅ ନିଶୀଥ ମହୀ,-

କେତେ ମୁଁ କାହାକୁ ଆଜି ତିଳେ ନ ପାରଇ ଚିହ୍ନି,

ଯେତେ ଯେତେ ଆପଣାର, ମୋ ନିଜ ଆପଣା ଜିଣି ।

ଏ ମହା ଅଚିହ୍ନା ଗୋଟି ଜୀବନେ ଅଛି ଯେ ରହି,

ପଲକର ପରିଚୟେ ମିଶି, ସଖା, ଗଲ ତହିଁ ।

ଏ ମଧୁ ସାୟାହ୍ନେ ଆଜି ହୃଦୟ ହିଲ୍ଲୋଳ ଖେଳେ,

ତୁମ ସେ ବଦନ ବୀଚି ଉଠଇ ଉତ୍ତାଳ ତାଳେ ।

ଅଚିହ୍ନାରୁ ଅଚିହ୍ନା ହେ, ହୁଅ ଏ ଜୀବନେ ଆସି,

ସିନ୍ଧୁ ନଦୀ ଗିରିବନ ପଲ୍ଲବ କୁସୁମେ ମିଶି ।

 

*

ଏ ପଦ୍ୟର ନାୟକ ‘ନବ ପରିଚିତ ବନ୍ଧୁ’ ଜଣେ ବାଲେଶ୍ୱରବାସୀ ଯୁବକ । କବିଙ୍କ ସଙ୍ଗେ ପ୍ରଥମ ପରିଚୟବେଳେ ସେ କଲିକତାରେ ପଢ଼ୁଥିଲେ । ପରେ ସେ କୋରାପୁଟ ଜିଲ୍ଲାରେ ଶିକ୍ଷକତା କଲେ । ସେ ଜଣେ ସାହିତ୍ୟିକ, ମାତ୍ର ସାହିତ୍ୟ ସେ ନିଜେ ଲେଖିବା ଅପେକ୍ଷା ଭୁଲ ବୁଝୁଥିଲେ । ବଲାଙ୍ଗିରପାଟଣାରେ ବାଲ୍ୟଜୀବନ କଟାଇଥିବାରୁ ବନପର୍ବତର ପ୍ରାକୃତିକ ଦୃଶ୍ୟ ତାଙ୍କୁ ଭଲ ଲାଗୁଥିଲା । ଏବେ ସେ ଆଉ ଇହଧାମରେ ନାହାନ୍ତି ।

Image

 

ମର୍ତ୍ତ୍ୟେ ନାହିଛି ଏକା *

 

ଦୂର ପରବାସେ ଚାଲି ଯିବେ ଭାଇ,

ବରଜି କୁଟୀର ସୋହାଗ ଶିରୀ;

ସେ ଲାଗି ସଙ୍ଗତେ ଆସିଛି ପିଲାଟି,

ଅଧବାଟେ ଦେବ ମେଲାଣି ବୋଲି ।

ବନ ବିଲ କେତେ ପାରି ହୋଇ ଆସି,

ତରୁ ତଳେ ବସି ରହିଲେ ବେନି,

ସେହିଠାବେ ଯିବେ ଦୁହେଁ ଦୁଇ ଆଡ଼େ,

କେତେ ଯୁଗ ଲାଗି ମେଲାଣି ଘେନି ।

‘‘ଦେଖୁଛୁ ତ, ବାବୁ, ବନ ଗିରି ଘୋଟି

କି ଘୋର ବରଷା ଆସୁଛି ମାଡ଼ି,

ଯାଅ ତୁ ତୁରିତେ କେତେ ବାଟ ଯିବୁ,

ମୁଁ ତ ଏହିକ୍ଷଣି ଯିବଇଁ ଚାଲି ।

ବିଲ ବଣ ବାଟେ ଦେଖି ଚାହିଁ ଯିବୁ,

ନ ତିନ୍ତିବୁ ପାଣି, ଟେକିବୁ ଛତି,

ବସି ଉଠି କାହିଁ ହେଳା ନ କରିବୁ,

କଲେ ହେଳା ହୋଇ ଯିବରେ ରାତି !

ଭୋକ କଲେ ବାଟେ ଖାଇବୁ, ବାବୁରେ

ଶୋଷ କଲେ ପାଣି ପିଇବୁ ନିକି,

ଦୁହେଁ ସିନା ଥିଲେ ହସି ଖେଳି ଆସି

ଏକା ତୁହି ଚାଲି ପାରିବୁ ଟି କି ?’’

ନିଜ ପିନ୍ଧା ଖଣ୍ଡି ପାଲଟି ଭାଇଟି

ଭାଇରେ ବସନ ଦେଲା ପିନ୍ଧାଇ;

ବାଟେ ବିଲ ବନେ ମେଘ ବରଷିବ

ଦେଲା ଭାଇ ହାତେ ଛତିଟି ନେଇ ।

ନିଜ ବାଟ ଖର୍ଚ୍ଚୁ ଖେଣ୍ଟି ସେ କହିଲା,

ଦେଇ ଭାଇ ହାତେ କଉଡ଼ି ଗଣି,

‘‘ଗାଆଁରୁ ଗାଆଁକୁ ଯହିଁ ଯାହା ମିଳେ

ଖଜା ପିଠା ମୁଆଁ ଖାଇବୁ କିଣି ।

ବୋଉକୁ କହିବୁ ଭାଇ ଗଲେ ସୁଖେ

ସାଥି ସାଙ୍ଗ ବାଟେ ମିଳିଲେ କେତେ;

ଖରା ବରଷାତ ନ ଥିଲା ଦେଖିଛି

ବାଟ ଶ୍ରମ ହୋଇ ନ ଥିବ ପ୍ରତେ ।

କହିବୁ ମୋ ଲାଗି ଭାଳିବ ନାହିଁଟି,

କାନ୍ଦିଲେ, ବାବୁରେ, କରିବୁ ତୁନି;

ରାତି ହେଲେ ଯାଇ କୋଳେ ଶୋଉଥିବୁ

ବଞ୍ଚିଛି ପରା ସେ ଆମରି ଘେନି ।

ଘରେ ଗଲେ ସୁଖେ ଖେଳିବୁ ବୁଲିବୁ

ମୋ କଥା ମନେ ତୁ ହେଜିବୁ ନାହିଁ,

ଯାଉଛି ସିନାରେ, ଚାଲି ଆଜି ବାବୁ,

ମାସେ ନୋହୁ ଫେରି ଆସିବି ମୁହିଁ ।

ମଲ୍ଲୀ ଗଛଟିରେ ଦେଉଥିବୁ ପାଣି,

ଶୁଆଟିକି ଦୁଧ ଦେବୁ ରେ ନିତି;

ହେଳା ନ କରିବୁ ମୁଁ ଫେରି ଆସିଲେ

ଆଣିଥିବି ଭଲ ପଞ୍ଜୁରି ଗୋଟି ।

ଯାଆ ଏବେ ଯାଆ ଠିଆ ମୁଁ ହୋଇଛି,

ସେ ବାଙ୍କ ସଡ଼କେ ହେଲେ ତୁ ପାରି,

ଆଉ ଯେବେ ତୋରେ ନ ଦେଖି ପାରିବି

ମୋ ବାଟେ, ବାବୁ ରେ ଯିବି ମୁଁ ଚାଲି ।’’

ଗଲା ଭାଇ ପାଶୁ ଠିଆ ସେ ହୋଇଛି,

ଭାଇ ଲୁଚିଗଲା ସଡ଼କ ବାଙ୍କେ,

ପୋଛି ଟପ ଟପ ନୟନୁ ଲୋତକ,

ଧୀରେ ପାଦ ଚାଳି ଚାଲିଲା ଦୁଃଖେ ।

ବରଷା ବତାସି ମାଡ଼ି ଯେ ଆସିଲା,

ଛତା ନାହିଁ ହାତେ ତିନ୍ତିଲା ତନୁ;

ସାହା ସାଥି ନାହିଁ, ଭୋକ ଯେ କରୁଛି,

ଭାଇ କଥା ଭୁଲି ନ ପାରେ ମନୁ ।

‘‘ଏକାଟିରେ କେବେ ଛାଡ଼ି ତ ନ ଥିଲି

ଘରୁ ନୋହିଥିଲୁ ବାହାର ଦିନେ,

ଏ ପାଣି-ପବନେ ବିଲ-ବଣ-ବାଟେ

ଚାଲୁଥିବୁ ବାବୁ, କି ହୀନିମାନ !

କାନ୍ଦିଲେ, ‘କାନ୍ଦନା’ କିଏ କହିବ ରେ,

ଲୁହ ପୋଛିଦେବ ତୁନିଟି କରି ?

ମାଆ ମଣିନାଗ, ମୋ ଦୁଃଖୀ ଭାଇରେ

ସର୍ବ ଶୁଭେ ଆଜି ନିଅ ଗୋ ଚାଳି ।’’

ଏକାଟିରେ ବାଟେ ଭାଳି ଏତେ ମନେ

ମିଳିଲା ସଞ୍ଜେ ସେ ପ୍ରବାସ ବାସେ,

ମାଆ ଭାଇ, ବେନି ପରାଣ ସଙ୍ଖାଳି

ମୁରୁଛି, ଏକାଟି ରହିବ ମାସେ ।

ମାସକ ଅନ୍ତରେ ଫେରିବ ଘରେ ସେ,

ଭାଇରେ ଦୋସର ଦେଖିବ ଯାଇ,

କେତେ କିବା ନେବ ଭଲ ଦ୍ରବ୍ୟ ବାଛି,

ପଞ୍ଜୁରି ତ ନେବ ଶୁଆଟି ପାଇଁ ।

ଭାଇଟି ତାର ଯେ ବାଟ ଚାଲି ଏଣେ,

ଆସୁଛି ବରଷା ବତାସି ସହି,

ଛତିଟି ଧରିଛି ହାତେ ସେହିପରି,

ଭ୍ରମେ ମାତ୍ର ଥରେ ନ ଦିଏ ଫେଇ ।

କଉଡ଼ି ମୁଠିଟି ଖୋସି ରଖିଅଛି

ଭୋକେ ଶୋଷେ ତାର ଜଳୁଛି ପେଟ,

ଗାଆଁରୁ ଗାଆଁକୁ ଖଜା ପିଠା କେତେ

ଦେଖେ, କିଣିବାକୁ ନ ଯାଏ ହାତ ।

ବସି ଉଠିଯାଏ ବଣ-ବିଲ-ବାଟେ,

ସାହା ସାଥି ଜଣେ ନାହିଁଛି କେହି,

କେତେ ବାଟ ତାର ଯିବାକୁ ଅଛି ତ

ଅନ୍ଧାର ଘୋଟି ଯେ ଆସିଲା ମହୀ ।

ସାଇଁ ସାଇଁ ବହି- ଆସିଲା ପବନ

ଟପ ଟପ ପାଣି ବରଷେ ଟାଣେ,

ବିଜୁଳି ଚମକ, ଘଡ଼ଘଡ଼ି ନାଦେ

ବଣଜନ୍ତୁ ନାହିଁ ବୁଲନ୍ତି ବଣେ ।

କେତେ ବନ ଗିରି ପାରି ହେଲା ପିଲା,

ଭାଇ କଥା ମନେ ହେଉଛି ଭାଳି,-

‘‘ଏକାଟିରେ ମୁହଁ ଚାଲି ଯେ ଅଇଲି

କେତେ ଆହା ନୋହୁଥିବେ ସେ ଘାରି ।

ପରବାସେ ଯାଇ କେଉଁ ଗଛ ମୂଳେ

ବସିଥିବେ ଦୁଃଖେ ମଥାଟି ପୋତି,

ଆହା ବୋଲିବାକୁ କାହିଁ କେ ନ ଥିବ,

ପାଇବ କିପରି ଏ କାଳ ରାତି ?

ସେ କାଳ ରାତି ଯେ ପାଉନାହିଁ ତାର,

ବାଟ ବଣ କିଛି ନୋହୁଛି ବାରି,

ଘନ ଘନ ବଳି ହେଉଛି ଅନ୍ଧାର,

ଯେତେ ଦୂର ସେହୁ ଯାଉଛି ଚାଲି ।

ନଈ ବହିଯାଏ କଳ କଳ ନାଦେ

ପେଲିନିଏ କେତେ ପଥର କାଠ,

ଆଖି ବୁଜି ପିଲା ପଡ଼ିଲା ତ ଡେଇଁ

ଆରକୂଳେ ପରା ମିଳିବ ବାଟ ।

ପରବାସେ ଭାଇ ଗଣୁଅଛି ଦିନ

ମାସକ କଣ୍ଟ ତ ପୂରିଲା ଆସି;

ରାତି ହେଲେ ତାକୁ ନିଦ ଯେ ନୋହୁଛି,

ଦିନ ବେଳେ ଥିରେ ନପାରେ ବସି ।

କେତେ ନୂଆ ଦ୍ରବ୍ୟ ବାନ୍ଧିଛି ସଙ୍ଗତେ,

ପଞ୍ଜୁରିଟି ହାତେ ଅଛଇ ଧରି,

ସେହି ବିଲ-ବଣ- ବାଟେ, ଚାଲି ଭାଇ

ଚିହ୍ନା ଗଛ ତଳ ହୋଇଲା ପାରି ।

ଘରେ ଆସି ଦେଖେ ଶୁଆ ନାହିଁ ଆଉ,

ମଲ୍ଲୀ ଗଛ ଶୁଖି ହେଲାଣି ହାଡ଼,

‘‘କାହିଁ ଭାଇ ମୋର ?’’ ପଚାରି ଦିଅନ୍ତା,

କଥା ନାହିଁ ଆସେ ତୁଣ୍ଡକୁ ତାର ।

ମଣିନାଗ ଗିରି ତୋଳିଛି ସେ ମଥା,

ମଦାଗ୍ନି ସୁଅତ ନୋହିଛି ଊଣା,

ରଣପୁରେ ଅଛି ସବୁ ସେହିପରି

ଭାଇଟି ତା ମର୍ତ୍ତ୍ୟେ ନାହିଁଛି ସିନା ।

 

*

ରଣପୁର ଗଡ଼ଜାତ ରାଜ୍ୟଥିଲା, ଏବେ ପୁରୀ ଜିଳ୍ଲାର ଅନ୍ତର୍ଗତ ହୋଇଛି । ରଣପୁର, କବିଙ୍କ ଜନ୍ମସ୍ଥାନ ବାଣପୁରକୁ ଲାଗିଛି । ମଣିନାଗ ପାହାଡ଼ ତଳେ ରଣପୁର ଗଡ଼ । ମଦାଗ୍ନି ନଈ ରଣପୁର ଗଡ଼ ପାଖେ । ତାହା ଦୟା ନଦୀରେ ପଡ଼ି ଚିଲିକାକୁ ଯାଇଛି ।

Image

 

ପିକର ପରାଣ-ଗୀତି

 

ଗାଅ ଗାଅ, ପିକ, ବସି ଗଛଡ଼ାଳେ

ଗାଅ ତୋ ପରାଣ-ଗୀତି,

ବରଷକ ଅନ୍ତେ ଢାଳିବେ ପୁଣିରେ

ତୋର ବିମୋହନ ପ୍ରୀତି ।

ପ୍ରତି ପଲକେ ତୁ ଗାଉଛୁ ଯେଭଳି

ପରତେ ହୁଅଇ ମୋତେ,

ଗାଇ ଗାଇ ପ୍ରାଣ ପୁହାଇ ଦେବାକୁ

ପେଷିଛି ବିଧି କି ତୋତେ ?

ଦିନୁ ଦିନ କେତେ ଶୁଣିଛି ଏ ଗୀତି

କରମ ବିରାମେ ବସି,

ସଞ୍ଜ ସକାଳେ ମୋ ପରାଣ-କୁହରେ

ଯାଅଇ ହେଲେ ପରଶି ।

କି ଗାଉଛୁ ପିକ ତୁହାଇ ତୁହାଇ

ଦିନେତ ବୁଝିଲି ନାହିଁ,

ତୁହି କିରେ ଗଢ଼ା ଗାଇବାକୁ, ମୁହିଁ

ଖାଲି ତା ଶୁଣିବା ପାଇଁ ?

ବିଚାର ମୁଁ ଯେବେ ମୋ କଳ୍ପିତ ଗାଥା

ଫେଉଛୁ ବସନ୍ତ ଦୂତ,

ପର ନିମିଷେ ତା ଆନ ରୂପ ଧରେ,

ବିପରୀତେ ଗାଉ ତୁ ତ ।

ତୁହି ଗାଉଥାଉ କି ଗୀତ ଅମର

ତରୁରୁ ତରୁକୁ ଉଡ଼ି,

ଦିଗେ ଦିଗେ ବ୍ୟାପି ବ୍ୟୋମ ବସୁନ୍ଧରା

ତହିଁ ଯାଉଥାଏ ପୂରି ।

ବାଳକ ବାଳିକା ଯୁବା ଯଉବନୀ

ଥବିର ପ୍ରଉଢ଼ ଜନ,

ଥିରେ କାନ ଡେରି ରହନ୍ତି ପୁଲକେ

ଖେଳୁ ଯେ ଥାଏ ତୋ ସ୍ୱନ ।

କି ମନ୍ତ୍ର ପଢ଼ୁଛୁ ପିକ କାନେ କାନେ

କହୁ କି ଗୁପତ ବାଣୀ,

ଅବୁଝା ଆଳାପେ ଏତେ ମଜ୍ଜିବାର

ହେତୁ ମୁଁ ନ ପାରେ ଜାଣି ।

ସାରା ମଞ୍ଚେ ଏତେ ଯା ଲାଗି ପରାଣେ

ଉପୁଜେ ପୀରତି ମାୟା,

ଏ ଜୀବନେ ମୋର କଣିକାଏ ଯେବେ

ବୁଝନ୍ତି ତହୁଁ ମୁଁ ଆହା !

ଗାଆ ଗାଆ, ପିକ, ତରୁ ଶାଖେ ଲୁଚି

ଗାଆ ତୋ ପରାଣ-ଗୀତି,

ବରଷକ ଅନ୍ତେ ଢାଳିଦେ ପୁଣି ରେ

ତୋ ଚିର ଚାଟୁଳ ପ୍ରୀତି ।

କଳ କଳ-ତାନେ, ସମୀର ମର୍ମରେ,

ପାହାନ୍ତି ତପନ ତେଜେ,

ମିଶି ଯାଉ ଯାଇ ତୋ ଗୀତି ମାଧୁରୀ

ସୁବର୍ଣ୍ଣ ବାଲୁକା-ଶେଯେ ।

କୁହୁ କୁହୁ ଉଠୁ, ବନର କୋଇଲି,

ତୋ ତାନ ପଞ୍ଚମ ଢେଉ,

ବନୁ ବନେ ଖେଳି ପତ୍ର କିଶଳୟେ

ପରଶଲଭ୍ୟ ସେ ହେଉ ।

ସୁମନ ସୁବାସେ ପତ୍ର ଶ୍ୟାମ ବାସେ

ନିଘଞ୍ଚ ନିବିଡ଼େ ଲୁଚି,

ରେ ସରଗ ଦୂତ ! ତାଳ ତୋ କାକଳି

ବୁଝା ନୋହୁ ପଛେ କିଛି ।

ଗାଆ ଗାଆ, ପିକ, ବସି ତରୁକୁଞ୍ଜେ

ଗାଆ ତୋ ପରାର-ଗୀତି,

ବରଷକ ଅନ୍ତେ ଢାଳିଦେ ପୁଣି ରେ

ତୋ ନିତ୍ୟ ମୋହନ ପ୍ରୀତି ।

Image

 

ଯାଆ ଲୋ ଭଗିନୀ *

 

ନିତି ନିତି ସେହିକଥା ପଚାରୁଛୁ ପୁଣି,

କି କହିବି, ଭଗିନି ଲୋ, ନ ପାରଇ ଜାଣି ?

ଅବିରଳ ଧାରେ ନେତୃ ଢାଳୁଅଛି ବାରି;

ମଉନେ ରହୁଛୁ ବସି ହୃଦୟେ କି ଭାଳି ।

ଯତନେ ବସାଇ କୋଳେ ପାଳନ୍ତି ନିରତେ,

ସେନେହ ଆଦର ସଦା କରନ୍ତି ଯେ କେତେ,

ଚାଲି ସେ ଜନନୀ ଆଜି ଯାଇଛନ୍ତି କାହିଁ;

ସେ ସୁଖ ସେନେହ ଏବେ ତିଳେ ଆଉ ନାହିଁ ।

ବୟସେ ବାଳୁତ ତୁ ଯେ ପାରିବୁ କି ବୁଝି,

କେବଣ ରାଇଜେ ଗଲେ ଏସବୁ ବରଜି ?

ଏତେ ସୁଖ ସମ୍ପଦ ଯେ ଏ ଦୀନ କୁଟୀରେ,

କେମନ୍ତେ ମୁରୁଛି ଦେଇ ଚାଲିଗଲେ ଧୀରେ ?

ଚାରିଦିନ ଆଗୁ ଭବ ଲୀଳାଖେଳା ସାରି,

କେଉଁ ଦୂରଦେଶେ ନନା ଯାଇଥିଲେ ଚାଲି ।

ତୋର ମୋର ନାଆଁ ଧରି ଅଧେ ବାଟୁ ରାଇ,

ସଞ୍ଜବେଳେ ଘରେ ଆଉ ଫେରିବେଟି ନାହିଁ ।

କିଏ ଆଣି କୋରା ଫେଣା ଶାକର କଦଳୀ,

ଆଉ ଦିନେ ଆଦରେ ଲୋ ହାତେ ଦେବ ଭରି ?

ନନା ବୋଲି କାହା ପାଶେ ଛିଡ଼ାହେବା ଯାଇ,

କାହା କଥା ପଦିକକୁ ରହିଥିବା ଚାହିଁ ?

ସବୁ ଆହା ନିମିଷକେ ହୃଦୟୁ ବିସୋରି,

କେଉଁଦୂରେ କାହିଁ ଆଜି ଯାଇଛନ୍ତି ଚାଲି ?

ଦିନେ ଦୁଇଦିନ ମନା ନ ଆସିଲେ ଯହୁଁ,

ବିଚାରିଲି ବାହୁଡ଼ି ସେ ନ ଆସିବେ ଆଉ ।

ବୋଉ କୋଳେ ଯାଇ ତହୁଁ ବସି ନିରଜନେ,

ଦିନ ଦୁଇ କଟାଇଲୁ ଏ କୁଟୀର କୋଣେ ।

ସେହୁ ପୁଣି ପଛେ ପଛେ ତେଜି ଏ ସକଳ,

କେଉଁ ଦେଶେ ଚାଲି ଆହା ଗଲା ତର ତର ।

ଯେବଣ ରାଇଜେ ବେନି ଯାଇଛନ୍ତି ଚାଲି,

ସେଥୁ ଏ ମରତେ କେହି ଆସଇ କି ଫେରି ?

ବସି କିପା ଦିନରାତି ଭାଳୁଛୁ ଲୋ ତୁହି,

ଢାଳୁଛୁ ନୟନୁ ବାରି ସେହି କଥା କହି ?

ଯେତେ ଯେତେ ଗଲାକଥା ଦିଅତୁ ବିସୋରି,

ବିଅର୍ଥେ ବାହୁନି ଆଉ ହୁଅନାହିଁ ଭାଳି ।

ପାତାଳେ ଏକ୍ଷଣି ରବି ବୁଡ଼ିଯିବ ଖରେ,

ଅନ୍ଧକାର ଘୋଟିଯିବ ବାଟେ ଘାଟେ ଘରେ ।

ତା ପାଇଁ ତୁ ଯାଅ ଏବେ, ରଖ ଦୀପ ଜାଳି,

କାଠ ହାଣ୍ଡି ଯାଇ ମୁହିଁ ଆଣିବି ସଜାଡ଼ି ।

ତୁହି ମୁହିଁ ମିଶି ଦୁହେଁ ରାନ୍ଧି ବାଢ଼ି ଆପେ,

ସଞ୍ଜବେଳୁ ଖାଇଦେଇ ଶୋଇବା ମେଳାପେ ।

ବେଶି ହୋଇଗଲେ ରାତି, ମାଡ଼ବଟି ଡର,

ବାଡ଼ିଦ୍ୱାରେ ରାବଦେବେ ବିଲୁଆ କୁକୁର ।

ଗଛଡାଳେ ବସି ପେଚା ରାବି କ୍ଷଣୁ କ୍ଷଣେ,

କେତେ ଡରକଥା ଆଣି ପକାଇବ ମନେ ।

ନିଶା ଗରଜନେ ଧରି କରାଳ ମୂରତି,

ଭୂତ ପ୍ରେତ ଆସି କେତେ ବିଚରିବେ ଏଥି ।

ଯାଆ, ଲୋ ଭଗିନି, ତେଜି ସକଳ ଭାଳେଣି,

ସେହିକଥା ଆସି କିପାଁ ପଚାରୁଛୁ ପୁଣି ?

ଯିବାର ସମ୍ପଦ ଯାହା ଯାଏ ଥରେ ହଜି,

ଏ ମରତେ କେ ପୁଣି ଲୋ ପାଏ ତାକୁ ଖୋଜି ?

 

*

କବିଙ୍କର ପିତାମାତା ଚାରିଦିନ ଛଡ଼ାରେ ହଇଜା ରୋଗରେ ମରିଗଲେ । ଭଉଣୀଟି ସେତେବେଳେ ନିତାନ୍ତ ପିଲା ହୋଇଥିଲା । ସେ ମଧ୍ୟ ଦୁଇବର୍ଷ ପରେ ମରିଗଲା । ବାଣପୁର ଅଞ୍ଚଳରେ ଗାଆଁ ପାଖରେ ଜଙ୍ଗଲ ଥିବାରୁ ସାଧାରଣତଃ ଲୋକେ ଅନ୍ଧାରରେ ଘରୁ ଏକା ବାହାରନ୍ତି ନାହିଁ । ବାଘ ଗାଁ ଭିତରକୁ ଆସନ୍ତି, ପେଚା ଚାଳରେ ବସି ରାବନ୍ତି । ହଇଜା ସମୟରେ ସନ୍ଧ୍ୟାବେଳକୁ ଲୋକଙ୍କର ତାଟି କବାଟ ପଡ଼ିଯାଏ । କେତେକ ଅଞ୍ଚଳରେ ବ୍ରାହ୍ମଣଘରେ ବାପାଙ୍କୁ ‘ନନା’ ଓ ମାଆକୁ ‘ବୋଉ’ ବୋଲି ଡାକନ୍ତି । କବିଙ୍କ ଭଉଣୀ, ବୟସରେ ତାଙ୍କଠାରୁ ଆଠବର୍ଷ ସାନ ଥିଲା ।

Image

 

ଏକାକୀ

 

ବଢ଼ ବେନି ତରୁ, ପରାଣ ପୁଲକେ

ଖରା ବରଷାରେ ରହି,

ଏ ମହୀମଣ୍ଡଳ ତରୁ ଲତା ମେଳେ

ଶ୍ୟାମଳ ସମ୍ପଦ ବହି ।

ମଳା ପାଣିଟିକ ପିଉଥାଅ ସୁଖେ,

ଧୀରେ ସମୀରଣେ ଖେଳି,

ଦିନେ ଏ ଭୁବନ ଅନନ୍ତ ବିପିନେ

କରିବ ସୋହାଗ କେଳି ।

ଏ ସୁଖେ ଆହା ସେ ଭାଗୀ ହୋଇଥାନ୍ତା,

ଭୁଞ୍ଜି ଏ ସରଗ-ନିଧି,

ଶୀତଳ ମଳୟେ ଯାଉଥାନ୍ତା ଢଳି

ବାମ ଯାହା ହେଲା ବିଧି ।

କେତେ ଯେ ଆଦରେ ଲୋଡ଼ି, ବନ୍ଧୁ, ମୋରେ

ଦେଖାଅ ମୋହିନି ଶିରୀ,

ଗୋଟି ଗୋଟି ହୋଇ ତିନି ପାଦପ ସେ

ମେଳେ କରୁଥାନ୍ତି କେଳି ।

ଗୋଟିକର ଆହା ସେ ସୁଧା ଆସନ

ଶୁନ୍ୟ ଯେ ହୋଇଛି ଆଜି,

ଜଳ ସ୍ଥଳ ନଭ ଅନନ୍ତ ଜଗତେ

କାହିଁ ସେ ନ ମିଳେ ଖୋଜି ।

କି ମଧୁ ମେଳାପେ ରହି ଅବିରତେ

ଏଥି ତିନି ସହଚର,

ବାଳୁତ ବୟସେ, ଏକ ଆନ ସାଥେ,

ଛନ୍ଦାଛନ୍ଦି ହେଲେ କର ।

ସେ ସୁଧା ବୟସୁ ପଲକ ମାତର

ଫେରି କି ଆସିବ ଆଉ ?

ଏ ସୁଖ ସଙ୍ଗ ଯେ ତେଜିଗଲା ଏକ

ତାକୁ କେ ପାଇବ କାହୁଁ ?

ତୁମେ ବେନି ଏବେ ବଢ଼ିବ ନିକର

ଏକ ଆନ ପାଶେ ରହି,

ଜଗତ ଅକ୍ଷୟ ଶିରୀ ସଉରଭ

ଅଙ୍ଗ ଲତିକାରେ ବହି ।

ଜୀବନେ ବେନି ସେ ବିଚ୍ଛେଦ ଭାବନା

ନିତି କି ନହେବ ଭାଳି, -

ସେ ଯାଉଁ ତରୁଟି ତେଜି ଏ ମେଳାପ

ଗଲା କେଉଁ ଦେଶେ ଚାଲି ।

ସେ ଦୂର ରାଇଜେ ଏକାକୀ ସଖା ସେ

ଅନନ୍ତ ବିଶ୍ୱ ବିତାନେ,

ଆପଣା ବିଜନ ସ୍ଥିତି ଢାଳି ଦେଇ

ରହିଥିବ ଅନୁକ୍ଷଣେ ।

ଦୂରେ ପାଶେ କିବା ଅଛଇ ଅନ୍ତର

ଜଗତେ ଯେ ଯାର କିଣା ?

ପରାଣେ ପରାଣ ସେନେହ ପୀରତି

ହୁଦେ ହୃଦ ବନ୍ଧା ସିନା ।

ଏଥିପାଇଁ କିପା ଭାବନା, ବନ୍ଧୁ ହେ,

ଏ ବୃଥା ନୟନ-ଧାରା ?

ତୁମର ସମ୍ପଦେ ପୁରି ଯେ ରହିଛି

ଜଳ ସ୍ଥଳ ବିଶ୍ୱସାରା ।

Image

 

ଭାଇ

 

ମରଣେ ମୁଦିଛି ନୟନ ଯୁଗଳ

ଅନ୍ତିମ ତଳପେ ଶୋଇଛି ଭାଇ,

ସୋଦର-ବନିତା- ତନୟ ସେନେହେ

ପରାଣୁ ନିଠୁରେ ବିସୋରି ଦେଇ ।

କୁଟୀରୁ ଅନ୍ତର କରିନେଇ ତ୍ତ୍ୱରା

ଶୁଶାନେ ଦେବେ ସେ ତା ତନୁ ଜାଳି,

ପ୍ରତିବାସୀ ଚିର ହୃଦ ଘେନା ଘେନି

ନିରଦୟ ଚିତା ଅନଳେ-ଢାଳି ।

ତନୟ-ବନିତା- କରୁଣ ବିଲାପେ

ପୂରିଛି ତାପିତ କୁଟୀର ସାରା,

ନିତି ଯହିଁ ଖେଳେ ସ୍ନେହ ସୁଧା ହାସ;

ବହେ ଆଜି ଶୋକ ଲୋତକ ଧାରା ।

ଭାଇଟି ନୀରବେ ଠିଆ ହୋଇ ପାଶେ,

ଉଦାସେ କି ଅବା ଭାଳଇ ମନେ;

ଯୁଗଳ ଜୀବନେ କେତେ ତ କାନ୍ଦିଛି,

ଲୁହବିନ୍ଦୁ ଆଜି ନାହିଁ ନୟନେ ।

କରମେ ବିରାମେ, ଶୟନେ ସପନେ

ଭାଇଟି ଏକା ଯେ ଧିଆନ ତାର;

ମୋହନ ନିବେଶେ ବୁହାଇଛି ହୃଦେ

ସୋଦର ନିସର୍ଗ ସେନେହ ଧାର ।

ଅଧିକୁ ଅଧିକ ବଢ଼ଇ ବିଳାପ;

ଜଣୁ ଜଣେ ଶୋକେ କାନ୍ଦଇ ଆସି;

ଭାଇଟି ନୀରବେ ହୋଇଛି ଠିଆ ତ,

ବିନ୍ଦୁ ବାରି ନେତ୍ରେ ନ ଉଠେ ଭାସି ।

ପ୍ରତିବାସୀ ଜନେ ଉଠାଇ ଶବଟି,

କୁଟୀରୁ ଅନ୍ତର କଲେକ ତହୁଁ,

ଅଶ୍ରୁନୀରେ ଗଲା ତିନ୍ତି ଭାଇ-ତନୁ-

‘‘କା ଲାଗି, ଭାଇ, ଏ କୁଟୀର ଆଉ ?’’

Image

 

Unknown

ବକୁଳବନ

 

ତରୁଲତା-କୁଞ୍ଜେ ତରୁଲତା କି ମୁଁ

ରହିଛି ନୀରବେ ବସି,

ପତ୍ରଗହଳୁ ଏ ଗୀତି-ମଧୁଧାରା

ଗୁଞ୍ଜରେ ପରାଣେ ପଣି ।

ପଲ୍ଲବ ପରଶେ ଆସି ସମୀରଣ

ଛୁଇଁ ଯାଏ ତରୁଲତା

ଚାଲିଗଲାବେଳେ କହିଯାଏ କେତେ

ହୃଦୟଗୁପତ-କଥା ।

ପତ୍ର-ଲତିକାର ଶ୍ୟାମଳ ସେନେହେ

ଢଳଇ କନକ ଫୁଲ,

ବିପିନ ସମ୍ପଦ ବାଛି କହିଁ କରି

ସାରା ବନ ଦେଶୁଁ ଠୁଳ ।

ତରୁ ଲତା-କୁଞ୍ଜେ ବସିଛି ଧୀରେ ମୁଁ,

ଆନ ତରୁଲତା ପରି;

ତରୁଲତା ଅଙ୍ଗୁ ପଡ଼ୁଛି ମୋ ଅଙ୍ଗେ

ମଉନେ ସୁମନ ଝଡ଼ି ।

ଉଷା ବିମୋହନ କନକ ବିତାନେ

ଏ କିବା ସରଗ ଶୋହା,

ନିଶୀଥ-ସୁନ୍ଦରୀ ବିଧୂ ହିମ ଶିରୀ

ଅନନ୍ତ ରଜତ ଛାୟା ।

ପୁନିଅ ଯାମିନୀ ପୂର୍ଣ୍ଣ ନିଶାମଣି

ବଦନ-ସମ୍ପଦେ ବଳି,

କୁଞ୍ଜ କୁଞ୍ଜେ ଆହା ଏ ଶିଶୁସକଳ

କି ଭାବେ ଅଛନ୍ତି ଭରି !

ଫୁଲର କେଶରେ ଫୁଲ ରେଣୁ ହୋଇ

ନିମିଷେ ଯାଆନ୍ତି ମିଶି,

ଅଳିଦଳ ମଧୁ- ଗୁଞ୍ଜନେ ସରବେ

ଫୁଲେ ବିହରନ୍ତି ଆସି ।

ପଲ୍ଲବ ଉଢ଼ାଳେ ସୁଖେ ଗାଉଥିବା

ପିକ ପଞ୍ଚମକୁ ଜିଣି,

ଶିଶୁ-କଣ୍ଠ-ଗୋଳେ ଭରି ସେ ଦିଅନ୍ତି

ଏ ଚାରୁ କାନନ ଭୂମି ।

ଏ ମଧୁ ମିଳନେ ଲଭେ ମୁଁ ତ ମୋର

ପରାଣ ପରଶ ଧନ,

ଆନ ଦେଶେ କାହିଁ ଯିବି ମୁଁ ଜୀବନେ,

ତେଜି ଏ ବକୁଳ ବନ ?

ଏ ଗୁରୁ ଆଶ୍ରମେ ଗୁରୁପୀଠୁଁ ମୁହିଁ

ସାଧିବି କରମ ମୁଦେ,

ବହିବ ଏ ଯେତେ ଜିଣୁଁ ଜଣେ ଶିଷ୍ୟ

ପିଅର ସେନେହେ ହୃଦେ ।

ମାଗି ମୋ ମେଲାଣି ଜୀବନ-ସାୟାହ୍ନେ

ମୃଦନ୍ତେ ମୁଁ ନେତ୍ର ବେନି,

ଏ ଭୂମିର ମାଟି ମାଟିରେ ମିଶାଇ

ରଖିବ ମୋ ତନୁ ଘେନି ।

ମୂଳେ ସତ୍ତା ମୋର ମିଶି, ପେଶି ରସ

ସଞ୍ଚରିବ ଡାଳଚୟେ;

ତରୁ ଲତା ଅଙ୍ଗେ ରଚିବ ପଲ୍ଲବ,

କଢ଼, ଫୁଲ, କିଶଳୟେ ।

Image

 

ବିକଳକଣ୍ଠ କୋଇଲି *

 

ପ୍ରତୀଚୀ ଭୂଧର-ଭାଲେ ରତ ରକ ରବି,

କନକେ ପଖାଳି ବନ ଚାରୁ ଶ୍ୟାମ ଛବି ।

ତରୁରୁ ତରୁକୁ ଉଡ଼ି, ବିହରା ନିକର

ଭସାଇ ଦିଅନ୍ତି ଦିବା ଶେଷ କଣ୍ଠସ୍ୱର ।

କୁଳୁ କୁଳୁ ରାବେ ଧୀରେ ବହଇ ତଟିନୀ,

କାନନ ଦିନାନ୍ତ ହୃଦ ପ୍ରୀତି ଗଥା ଘେନି ।

ଏ ସକଳେ ସକଳରୁ ମଧୁର ଆହରି

ଡାଳେ ଡାଳେ ପିକତାନ ବନଦେଶ ପୂରି ।

ବହୁଦିନୁ ତେଜି ମୋର ତ୍ରିଦିନ ଅବନୀ ,

ଏ ବସନେ ପିକକଣ୍ଠ ନ ଥିଲି ମୁଁ ଶୁଣି ।

ନିମିଷେ ଆଜି ଏ ତାନେ ପଡ଼ିଛି ଚମକି-

କି ରାଇଜେ ଅଜାଣତେ ଉଭା ମୁହିଁ ନିକି !

କୁହୁସୁନେ ବନଦେଶ ଉଠଇ ଉଛୁଳି,

ପ୍ରତି କୁହୁ ଆସେ, ପ୍ରତି ଗିରିକୁଞୁ ଫେରି ।

ସକଳ କୋକିଳ ମେଳେ ନିବସି ଉଢ଼ାଳେ,

କୋଇଲି ବିକଳକଣ୍ଠ ଗାଏ ଚୁତ ଡାଳେ ।

ଗାଇ ଦିନସାରା ସ୍ୱର ପଡ଼ିଟି ଗଲାଣି,

ତେବେ ହେଲେ, ଲବେନାହିଁ ରୋଧେ କଣ୍ଠବାଣୀ ।

ରାତିସାରା ଅବସରେ ମାଜିବ ସେ ସ୍ୱର,

ପ୍ରାତେ ପୁଣି ଢାଳିବାକୁ ପଞ୍ଚମ ହିଲ୍ଲୋଳ ।

ହେଲେ, ଆଜି ଏ ସାୟାହ୍ନ ସମ୍ପଦ ଭଣ୍ତାରେ

ଏକ କୁହୁ ତାନ ବିଶ୍ୱ ହରାଇବ କାଳେ,

ସେ ଲାଗି ଏ କୋଇଲିଟି ତେଜି ହୃଦୁମାନ,

ଢାଳୁଅଛି ତରୁତାଳେ ତା ବିକଳ ତାନ ।

କାନନ-ସମ୍ପଦ ଲବେ ନୋହୁଅଛୁ ଊଣା,

ଅଧିକ ଅଧିକ ବଢ଼ି ଗୀତ ସୁଖସୀମା ।

ଏହିକ୍ଷଣି ଅନ୍ଧକାରେ ଘୋଟିଯିବ ଧରା,

ଭଙ୍ଗାସ୍ୱର ଗଢ଼ିବାରେ ଲାଗିଯିବୁ ପରା ।

ଆଉ ବେନି ଧାରା ଏକେ ଗାଇଥା, କୋଇଲି,

ପିକ କୁହୁ ପାରାବାରେ ଢେଉଟି ତୋ ଢାଳି ।

ଲୋଡ଼ି ଡ଼ାଳେ ଡ଼ାଳେ ରଖ, ରେ ବନ ଲତିକା,

ରଜେ ରଜେ ଭର, ଫୁଲ-ସୁରଭି-କଣିକା ।

ଦୁରୁ ଦୂରେ କହିନିଅ, ସଂଯୋଇ ସଲିଳ,

କାଳରୋଳେ ମିଶାଇ ଏ ଅର୍ଦ୍ଧ କୁହୁ ସ୍ୱର ।

ପଲ୍ଲ କେରା ବଇଭବେ ବଡ଼ହେଉ ଭବେ,

ପୁରି ଚତ୍ରଧରପୁର ଏ ବିକଳ ରାବେ ।

ଶୁଣିବେ ଅୟନେ ଯେତେ ବିଲ ପଦା ବନ,

ଆକସ୍ମିକ ଧନେ ଧନ୍ୟ କରିବେ ଜୀବନ ।

ବିଶ୍ୱହିତେ ଯେ ସମ୍ପଦ ସମ୍ପାଦିଛି ବିଧି,

ବିଶ୍ୱ ପ୍ରତିସ୍ତରେ ଦେବ ମିଳାଇ ସେ ନିଧି ।

 

*

ସିଂହଭୂମି ଜିଲା ଚକ୍ରଧରପୁର ନିକଟରେ, ସଂଯୋଇ ନଦୀ କୂଳରେ ‘କେରା’ ଗ୍ରାମ । ଚାରିପଟେ କେତେଗୁଡ଼ିଏ ଆମ୍ବତୋଟା ଅଛି । କୋଇଲି ଚକ୍ରଧରପୁରରେ କ୍ୱଚିତ୍‌ ରାବେ । କିନ୍ତୁ ତା ରାବ କେରାରେ ଶୁଣାଯାଏ । କୋଇଲିକଣ୍ଠର ରାବ ବିଷୟରେ କବିଙ୍କ ପ୍ରତି, ସତ୍ୟବାଦୀ ତୁଳନାରେ, ବାଣପୁର ଅଧିକ ‘ତ୍ରିଦିବ ଅବନୀ’ । କାରଣ ବାଣପୁରରେ ସେ ବାଲ୍ୟଜୀବନ ଅତିପାତ କରିଥିଲେ ।

Image

 

ସଖା

 

ଏହି ଯେ ନିକୁଞ୍ଜ ତଳ ମୃଦୁ ଛାୟା ପରଶେ,

ନିମିଷ ମଉନ ଭାଙ୍ଗି ଖେଳି ଉଠ ନିମେଷେ ।

ପାଦପ-ସରସ-ଶାଖେ ବସି ସୁଖେ କୋଇଲି,

ଅଦେହ ଅମୃତ-ଧାରା ବନେ ଦିଅଇ ଢାଳି ।

ରବି ରତ ରତ ବେଳେ ଦୂର କାନନ ଛବି,

ଢଳଇ କାନନ କିବା ଶ୍ୟାମ ଶ୍ରୀଅଙ୍ଗେ ଲଭି ।

ଗୋଟି ଗୋଟି ଡାଳୁ ଡାଳୁ ଫୁଲ ପଡ଼ଇ ଝଡ଼ି,

ସୁବର୍ଣ୍ଣ ଆସନେ ବନ ଦୁର୍ବା ବିତାନ ବାଢ଼ି ।

ବହ, ରେ ସମୀର ଧାରା, ଆସ ପୁଲକେ ବହି;

ଏ ତରୁଳତିକା ଯାଅ ପ୍ରୀତି ପରଶେ ଛୁଇଁ ।

ଢଳିଯାଉ ନିମିଷକ ସୁଖସାୟାହ୍ନ ଖେଳେ,

ଏ ସୁଧା ଶାଖାଟି ମୋର ସ୍ୱର୍ଣ୍ଣ ନିକୁଞ୍ଜତଳେ ।

ଦୁଇଟି କଅଁଳ କଳି ଢୋଳି ସେଦିନ ମୁଖେ,

ଆନ ଦୁଇ ବିଶଳୟ ଆଜି ଖେଳାଏ ସୁଖେ ।

କାହିଁ ଗଲ ? ଆଜି କେଉଁ ଦୁର ରାଇଜେ ରହି,

ଏ ସୁଧା ସମ୍ପଦ, ସଖା, ବାରେ ଘେନିଲ ନାହିଁ ।

ସେନେହ ସଙ୍କୋଚଭରେ ଧୀରେ ବଢ଼ାଇ କର,

ପରଶିଲ ନାହିଁ ଆଜି ଡାଳପତରଫୁଲ ।

କୁସୁମ-ପରାଗ ତୁଲେ ଢଳି ନୟନବାରି,

ନିମିଷେ ଦେଖିଲ ନାହିଁ ଏହି ନିସର୍ଗ ଶିରୀ ।

ଅଧର ଅଧକେ ସୁଖେ ବାଣୀ ବଦନୁ ଫେଇ ।

ଏ କୁଞ୍ଜ ସହିତେ ପଦେ କଥା ହେଲ ଯେ ନାହିଁ ।

କେତେ ଘେନା ଘେନି ଆହା ବନ ବିଜନେ ବସି,

ଦୁଇଟି ପରାଣୀ ସେ ଯେ ସୁଖ ସୋହାଗେ ହସି ।

ଆଜି ଜଣେ କେତେ ଦୂରେ; ଆନ ରାଇଜେ କାହିଁ;

ଏ ବନ ନିଗମେ ଏକା ମୁହିଁ ଅଛଇ ଚାହିଁ ।

ରହ ରହ, ସଖା ସୁଖେ, ଯହିଁ ଯାଇଛ ଚାଲି,

ଯୁଗ, ତ୍ରିଦିବ ମେଳେ ହୃଦ ତରଙ୍ଗ ଢାଳି

ସାଗର ସୈକତ ପୁରୀ ପ୍ରୀତି କରମବାସେ

ସକାଳ ସାୟାହ୍ନ ନିତି ଯାପ ପରାଣ ହାସେ ।

ବାଳୁତ ସମ୍ପଦ ଯେତେ ଘେନି ହରଷଭରେ,

ସୁଖ ଶିରୀ ଭୁଞ୍ଜୁଥାଅ ଚାରୁ କନକପୁରେ ।

ଉଷାକୋଳେ ହେମ ରାଗେ ଉଇଁ ନଉଠୁ ରବି,

ଘେନୁ ଥାଅ ଯାଇ ନିତି ନିତ୍ୟ ମୋହନ ଛବି ।

ଉରଗ ଯୁଗଳ କେଳି ହେରି କେତକୀମାଳେ,

ମିଳୁଥାଅ ରବି ତାପେ ଦୀର୍ଘ ସରସୀତୀରେ,

ନଉକା ବିହୁନେ ଆଶା ତେଜି ହେବାର ପାରି,

ଅତୃପ୍ତ ତୃପତେ ଢଳି ଆସ ମଉନେ ଫେରି,

ବୁଲି ବୁଲି ପଛେ ଶ୍ୟାମ ଝାଉଁବନେ ଉଢ଼ାଳେ,

ଚାହୁଁ ଥାଅ ଦୁରେ ନୀଳ ମହୋଦଧି ନୀରେ,

ସୁନୀଳ ସମ୍ପଦେ ଖେଳି ଚାରୁ ତରଙ୍ଗବେଣୀ,

ତୀର ସଇକେତେ ନିଭି ଯାଉଥିବ ସେ ପୁଣି,

ମୃଦୁଳ ମଳୟେ ମଧୁ ସିନ୍ଧୁ ସମୀର ବାରି,

ବହିବାର ଅଯତନେ ହୁଅ ହୃଦୟେ ଭାଳି,

ତେଜି ଥରେ ଅନ୍ତରୁ ହେ ଶ୍ରମନିଶ୍ୱାସ-ଧାରା,

ଭାଷୁଥାଅ ପରିତୋଷେ,-‘ଆଜି ନୋହିଲା ପରା’

ଗଛ ଛାଇତଳେ ବସି, ଅଙ୍ଗୁ ଶୁଖାଇ ଝାଳ,

ଆନ ପଦକ୍ଷେପେ ପୁଣି ଯାଇ କୁଟୀରେ ମିଳ ।

କରମୁ ବିରାମ ଲଭି କେବେ ଦିନେକ ଯାଇ,

ଶ୍ୟାମଳ କେରାଣ୍ତିମାଳେ ବୁଲ ହରଷେ ଭାଇ ।

ସେ ଏକ ସରଗଶିରୀ ଦୁର ରାଇଜେ ସେଥି,

ଏ ଯେ ପୁଣି ଆନ ଭୂଇଁ ସମ ସମ୍ପଦେ ଏଥି ।

ରହ, ରେ ନିକୁଞ୍ଜ ଶାଖା ପତ୍ର କୁସୁମପନ୍ତି,

ଯାଉଛି ମେଲାଣ ଘେନି; ହୋଇ ଆସଇ ରାତି ।

ଏ ସମ୍ପଦ ନିତି ନିତି ପୂରି ଏ ଭାବେ ଥାଉ;

ରବି ବୁଡ଼ିଯାଇ ନଭେ, ଶୀତ ସମୀର ବହୁ ।

ସଖାଙ୍କ ଯୁଗଳ ହୃଦ, ଦୁର ଉପାନ୍ତ ଭରି,

ସ୍ୱଦେଶେ କିଏ ବିଦେଶ ନିଧି ଦେବ ବିସୋରି ?

 

*

ଗଞ୍ଜାମ ଜିଲା ଛତ୍ରପୁରରେ ରହୁଥବା କବିଙ୍କର ଜଣେ ସଙ୍ଗୀ ସତ୍ୟବାଦୀ ଆସି ଫେରିଲା ପରେ ଏ ପଦ୍ୟ ଲେଖାହୋଇଛି । ଛତ୍ରପୁର ସମୁଦ୍ରକୂଳରେ । ମାତ୍ର ଦୂହିଁଙ୍କ ଭିତରେ ଗୋଟିଏ ବଡ଼ ଦହ ଅଛି । ଦହର ଏକ ପାଖରେ ଝାଉଁବଣ ଓ ଅନ୍ୟ ପାଖରେ କେତଜୀବନ-। ସେ କେତକୀବନରେ ସାପ ଥାନ୍ତି । ଦୁଇଟି ସାପ ବେଳେବେଳେ ପରସ୍ପର ସହିତ ଖେଳିବାର ଦେଖାଯାଏ । କେରାଣ୍ତିମାଳ ପର୍ବତ ଛତ୍ରପୁରକୁ ଦଶ, ବାର କୋଶ ଦୂରରେ ।

Image

 

ଏହି କଥାଟିକ

 

ଚାଳେ ବସି ରାବୁଥିଲା ଏକାକୀ କୁଆଟି,

ଘନ ଘନ ଡାକେ କଣ୍ଠ ଯିବ କି ତା ଫାଟି !

ବାଳୁତ ହୃଦୟ ଶିରୀ ବାଢ଼ି ଅପଘନେ,

ଅଧର ଅମୃତ ହାସ ସଜାଡ଼ି ବଦନେ,

ଏକେ ଆନେ ଲୋଡ଼ି ଟିକି ଉଦାସ ପୟରେ,

ଚାଲିଗଲେ କେତେ ପିଲା ସେହି ଚାଳ ତଳେ ।

ହଜାଇ ନାହାନ୍ତି କିଛି କନକ ପ୍ରତିମା,

ଛୁଇଁ ନାହିଁ ଦିନେ ହୃଦ ବିଚ୍ଛେଦ-ଯାତନା,

ସକଳ ସମ୍ପଦ ପ୍ରାଣେ ରଖିଛନ୍ତି ଭରି,

କିବା ଏ ଜଗତେ ଭ୍ରମେ ଲୋଡ଼ିବେ ଆହୁରି ?

ମୁହଁ, ଏ ବୟସେ ମୋର ବାଳୁତ ସରାଗେ,

ଚାଉଳ ମୁଠିଏ ନେଇ ଥୋଇଲି ତା ଆଗେ ।

ବାରେ ହେଲେ ମୁଖେ ସେତ ନଗଲା ପରିଶି,

ଯେତେ ମୁଁ ଆଦରେ ତାକୁ ଲୋଡ଼ିଲଇଁ ବସି-

‘‘ଆ ଆ ଆ ଆ, କୁଆଟିରେ, ଖାଇଯାଅ ବାରେ,

ମନ ତୋଷେ ବସି ପୁଣି ରାବୁଥିବୁ ଚାଳେ ।

କିଏ କେତେ ଦୂରେ ମୋର ବାଟ ଚାଲି କାହିଁ

ଆସୁଛନ୍ତି, କହୁଥିବୁ ତୁହାଇ ତୁହାଇ ।’’

ଆହା, କିମ୍ପା ସେହି କଥା ମନେ ମୋର ପୁଣି,

ତୋ ପାଶେ ଆବର କିପା ସେହି ମୋ ମାଗୁଣି ?

ନିତି ନିତି ସେହି କଥା ହେଉଅଛି ଭାଳି,

ମନର ବେଦନା ମନେ ରହୁଅଛି ମାରି ?

ଲୋଡ଼ି ମୁଁ ଯାହାକୁ ଦିନେ ଦେଇଛି ମେଲାଣି,

ଯାଚି କି ଜୀବନେ କେହି ଦେଇଯିବ ଆଣି ?

ନିଜ ହାତେ ଚିତାନଳ ସଜାଇ ଯତନେ,

ଗୋଟି ଗୋଟି ଜାଳି ଆହା ଦେଲି ଏ ଜୀବନେ ।

ଜୀବନୁ ଅଧିକ କରି ଜୀବନ୍ତ ସେନେହେ;

କେତେମନ୍ତେ କେ ମୋତେଟି ଧରିଲେ ହୃଦୟେ ।

ଗଲାବେଳେ ନିମିଷକ ରଖିଲି ମୁଁ ନାହିଁ,

ଏବେ ଆଉ ଦିବାନିଶି ଝରିବି କିପାଇଁ ?

ଯିବାର ଯେତେକ ନିଧି ଗଲାଣିତ ଚାଲି,

ଜୀବନ୍ତେ ତା ଲାଗି ଆଉ ହେବି କିପା ଭାଳି ?

ଅନନ୍ତ ଅୟନ ପାରେ ସୁଦୂରୁ ସୁଦୂରେ,

ମରଣେ ହେବ ମୋ ଯେବେ ଭେଟ ଆଉଥରେ ?

‘‘କହ କୁଆ କହିଯାଆ ମିନତି ମୋ ଘେନି,

ଏକ ବୃନ୍ତେ ଥିଲ ଫୁଟି ସୂର୍ଯ୍ୟମୁଖୀ ବେନି;

ଗୋଟିଏ ସେ ଅବିରତ ରହିଅଛି ଚାହିଁ,

ପରାଚୀ ଦିଗନ୍ତେ ରବି ଉଇଁବାର ପାଇଁ ।

ଆରଟି ଯେ ପଳାଇଛି ବରଜି ତା ପାଶ,

ଦେଖୁଛି ପ୍ରତୀଚୀ ଶୂନ୍ୟ ବିରସ ଆକାଶ;

ସେହୁ ପୁଣି ଫେରି ଦିନେ ଆସିବ କି ନାହିଁ,

ଯୁଗଳ ବଦନେ ରବି ଅନାଇବା ପାଇଁ ?

କହ କହ, କହି ଯାଅ ଏହି କଥାଟିକ,

ଖାଇ ଯାଅ, କୁଆ, ସୁଖେ ଚାଉଳମୃଠିକ ।

Image

 

ବିଦାୟେ *

 

ବେଳତ ହେଲାଣି ପହର ଆଖର,

ତପତ ପ୍ରାନ୍ତର ବନ,

କୋମଳ କପାଳେ କାଟୁ ଥିବ ଖରା;

ବାଧିବଣି ପାଦଶ୍ରମ ।

ଚାଲନାହିଁ, ବାବୁ, ନଚାଲ ଆଉ ହେ,

ଅସରନ୍ତି ସେ ସରଣୀ

ଚୁତ କୁଞ୍ଜ କାହିଁ ଆଶ୍ରି ହେ ଚିର

ନିକୁଞ୍ଜ ସମ୍ଭୋଗ ଘେନି ।

ପରିଚିତ ଏ ଯେ ଭାର୍ଗବୀ ପ୍ରବାହୁ,

ତାହାରି ସୋଦର ପରା,

ଦୟାର ସାଗର ସେ ଦୟା ଭୂତଳେ,

ବୁହାଇ ବିମଳ ଧାରା ।

ରହି ସେଥି, ବାବୁ, ଯାପି ଏ ମଧ୍ୟାହ୍ନ,

ଶରମ ବିସୋରି ମନୁ,

ମୁକୁଳ ସୁବାସ ଛାୟାତଳେ ଶୋଇ,

ଶୀତଳ କରହେ ତନୁ ।

ପକାଇ ଯାଇଛ କେତେଦୁରେ ଏଥି,

ରହିଛ ବିଦେଶ ପଥେ,

ଉଡ଼ି ମୁଁ ଯାଆନ୍ତି ଏତେ ଯଦି, ସଙ୍ଗେ

ନାହିଁକି ନିଅନ୍ତ ସତେ ?

ଶିଶୁସୁଧା ଧାରା ସଜାଡ଼ି ବିପିନେ,

କନକ ଚରଣେ ଚାଲି,

ଯିବାର ଅନାଇ ରହିଲି, ନୟନେ

ଶୁଖାଇ ନୟନ ବାରି ।

କୁଳପତିଙ୍କି ଯେ ନେଇଛ ସଙ୍ଗତେ

ପିଅନ ସେନେହେ ଘେନି,

ପାଶେ ସେ ଯାବତ ଥିବେ, ହେ ପରାଣେ

କହିକି ଦୁଃଖ ଭାଳେଣି ?

ଗଲାବେଳେ ସେହୁ କହିଲେ ଆଦେଶେ

ଅଧର ବିଷାଦ ହାସେ-

‘‘ଦୁଇଦିନ ଯାଇ, ଅଧ ଅୟନେ ହେ

ଭେଟିବ ପ୍ରବାସ ବାସେ ।’’

‘ନାହି’ ବୋଲିବାରେ ନିରୋଧି ବଚନ

ସଙ୍କେତେ ସମ୍ମତି କହି,

ଫେରି ମୁଁ କୁଟାରେ ଆସିଲ ତୁରିତେ,

ରହିଲି ସରଣୀ ଚାହିଁ ।

ଏ ଯେ ଛୁରିଅନା ତରୁଣ ନିକୁଞ୍ଜ,

ତା ପଛ ନିଠୁର ପଥେ,

ମୋ ନେତ୍ର ପଲକେ ଲୁଚିଗଲା ତ୍ତ୍ୱରା

ଗିରି ନଦୀ ଧାରେ ସତେ ।

କେତେ ଦୁରେ, ବାବୁ, ସାଙ୍ଗ ସାଥି ମେଳେ

କରୁଛ ବାଳୁତ ଲୀଳା,

ବାସନା-ଶ୍ମଶାନେ ଜାଳି ଚିତାନଳ,

ବସିଛି ଏଥି ମୁଁ ପରା ।

ଅର୍ଦ୍ଧ ପଥେ ଯାଇ ଭେଟନ୍ତି ଯାହା ସେ

ତେଜୁଛି ସୋହାଗ ମନୁ,

ନେତ୍ର-ନୀରା-ଧାରା ବୁହାଇ ନିରତେ

ପାଷାଣ କରୁଛି ତନୁ ।

ଯାଅ, ବାବୁ, ଯାଅ ଏ ଦୀନ ସ୍ମୃତିଟି

ବିସ୍ମୃତି-ଗରଭେ ଢାଳି,

ଦେଶୁ ଦେଶାନ୍ତରେ ଅନ୍ତର ପ୍ରବାହେ

ଯିବ ହେ ଉଷତେ ଖେଳି ।

ବରୁଣୀ ଶିଖର ଶଇଳ ବିପିନେ

ସାୟାହ୍ନ ବିହାରେ ଯାଇ,

ଅଶୋକ-ନିକୁଞ୍ଜେ ନିବସି ମୋ କଥା,

ମନେ ପକାଇବ ନାହିଁ ।

ପାଣ୍ତବ ଘରାର ପାଷାଣ ବିବରେ,

ପାଣ୍ତବ ସୋଦରପଣେ,

ଗୁରୁ ଶିଷ୍ୟ ସଖା ନିମିଷେ ପରାଣ

ନିହିବ ହରଷ ମନେ ।

ବୀର ରକ୍ତେ ଗଢ଼ା ଗଡ଼ ଅବଶେଷ

ମାଡ଼ି ପାଦତଳେ ଖେଦେ,

ସ୍ୱଦେଶ ଅତୀତ କୀରତି ଗାଥାହେ

ସୁରି ହେଉଥିବ ହୃଦେ ।

ମୁଁ କେତେ ବୁଲିଛି ହ୍ରଦ ନଦୀ ତୀରେ,

ପୁର ପଲ୍ଲୀ ବିଲ ବନେ;

ମୋ ଜନମ ଭୁଇଁ ମୋହନ ଭରସେ

ବାଳୁତ ଉଦାସ ମନେ ।

ବନ ଫଳମୂଳେ ଏଡ଼ି ସୁଖେ କ୍ଷୁଧା,

ପିଇଛି ଝରଣା ନୀର,

ତରୁ ତଳେ ଶୋଇ ଦେଖିଛି ସପନ,

ଶିଳା ପୀଡ଼େ ଥାପି ଶିର ।

ସୋଲରି ଭାଲେରି ଶ୍ୟାମଳିତ କାୟେ,

ଗିରି ଘଣ୍ଟଶିଳା ଚୂଳେ,

କେଉଁ ଶିଳା, କେଉଁ ଲତା ନିକୁଞ୍ଜଟି

ଅଛଇ ଅଜଣା ମୋରେ ?

ଶାଳିଆ ସୁବର୍ଣ୍ଣ ଶେଯେ କି ଅଛଇ

ଏକଇ ସିକତା ରେଣୁ,

ତା ସୁଧା ପ୍ରବାହେ ବିନ୍ଦୁ ଏ ସଲିଳ

ନ ପରଶି ମୋର ତନୁ ?

ଆଜି ସିନା ଆସି ରହିଛି, ଏ ହୃଦ

ବିଦେଶ ବିଭଭେ ଢାଳି,

ମୋ ସ୍ୱଦେଶ ଶିରୀ କଣିକା ମାତର

ପ୍ରାଣୁ କି ପାରିବି ଭୁଲି ?

ଦେଖି ଆସ, ବାବୁ, ଶିଶୁ ନୟନର

ସରଳ ସେନେହ ଧାରେ,

ପ୍ରତି ଚାରି ବରି ବନ ତରୁଲତା

ଲେଖି ହୃଦେ ସ୍ୱର୍ଣ୍ଣ ଗାରେ ।

ବରୁଣୀ ପ୍ରାନ୍ତର ରସାଳ ନିକୁଞ୍ଜେ

ବିଶ୍ରାମେ ପରାଣ ନିହି,

ବସିଥିଲା ବେଳେ, ଭେଟି ଯେ ଥାଆନ୍ତି-

ଏ ଭାଗ୍ୟେ ଘଟିଲା କାହିଁ ?

ଦୂରେ ଦୂରେ ପୁଣି ଯାଅ, ବାବୁ ଚାଲି

ନବୀନ ପ୍ରବାସ ବାସେ,

ପ୍ରଭାତି ବଉଦ ଛାୟାତଳେ, କିବା

ରବି ଅପରାହ୍ନ ତ୍ରାସେ ।

ଝରଣା ସଲିଳେ ଅବଗାହି ତନୁ

ତପତ ହଟକେଶ୍ୱରେ,

ଜଳାର୍ଦ୍ର ବସନେ ଏଡ଼ି ଯେବେ ଖରା,

ଫେରୁଥିବ ବିଲମାଳେ;

ବନ ପଥେ ହାତ ଧରା ଧରି ହୋଇ

ସୁକେ ଚାଲୁଥିବ ଯହିଁ,

ଅତୀତ ଜୀବନେ ଯେତେ ଯା ଘଟିଛି

ଏକେ ଆନେ ସବୁ କହି;

ବନସ୍ତର ବାଘ ଭାଲୁ ସଙ୍ଗେ କାହିଁ

କିଏ ଭେଟିଅଛି କେବେ,

କିଏ କେତେବେଳେ ଏଡ଼ିଛି ଆପଦ

କି ଭାବେ କେବଣ ଠାବେ;

ମହାନଦୀ ସ୍ୱର୍ଣ୍ଣ ସଇକତ ଶେଯେ

ପୁଲକେ ଯିବାର ଢଳି,

କ୍ଷୀଣ କଳେବରେ ଚୈତ୍ର ନୀର ଧାରା

ସରଗ ଜାହ୍ନବୀ ବଳି;

ସେହି ନୀର ଯେବେ ପଖାଳି ପୟର,

ସେନେହ ସଙ୍କୋଚ ଚାରେ,

ଦେଖିବ ପୁଳିନେ ଦେବୀ ଭଟ୍ଟାରିକା

ସଉଧ ଶଇଳ ତଳେ;

ଶିଖରୁ ଶିଖରେ ବୁଲିବ ଶଇଳେ,

ଖେଳାଇ ଶୈଶବ ଧାରା,

ଶୁଣିବ ଗ୍ରହ୍ୱରୁ ସପତ ଭଉଣୀ

ବିଷାଦ ବଚନ ଭରା;

ଏତେ ଏତେ ବେଳେ ସକଳ ସମ୍ପଦେ

ବିଦେଶ ବିହାର ଭୂମେ,

ନିମେଷେ ଏ ଦୁଃଖୀ ସ୍ମୃତି ଗୋଟି, ବାବୁ,

ଆଣିବ ନାହିଁଟି ମନେ ।

ଯାହା ଲାଗି ଯାହା ଖଞ୍ଜିଛି ବିଧାତା

ହୃଦୟ ଦହନ ଶିରୀ,

ବିଶ୍ୱ ବିଇଭବେ ତା ଛାୟା ସଂଯୋଗ

ଆସଇ କେବେ କି କରି ?

କେବେ ଯେ ଆସିବ ଏ ମହା ବିଜନେ

ଏକାଟି ବସିଛି ଚାହିଁ;

ମାଆ ଭଟ୍ଟାରିକା, କରୁଣା ବହି ଗୋ,

ଆଣ ଶୁଭେ ବାହୁଡ଼ାଇ ।

ଛୁରିଅନା କୁଞ୍ଜେ ଫୁଟିବାର ଯେତେ

ଫୁଟନ୍ତି ସୁମନ ପନ୍ତି;

ବେନି କଳିକା ସେ ଆସିଲା ବେଳକୁ

ଡାଳେ ରହିଥାଉ ଭାତି ।

ଏ ଚାରୁ ବିପିନ ଅରପି ଯେ ଭାବେ

ମୋ କରେ ଅଛନ୍ତି ଯାଇ,

ତହୁଁ ତଳେ ପୁଣି ନିଉନ କରି ମୁଁ

ସମ୍ପିତ ପାରିବି ନାହିଁ ।

ନଢ଼ାଳ, କୋଇଲି, ତରୁ ଡାଳେ ବସି

ଅମୃତ ସଙ୍ଗୀତ ଧାରା,

ନବହ, ସମୀର, ନଚାଇ ବିପିନ;

ଲୁଚି; ରବି ଚନ୍ଦ୍ର ତାରା ।

 

*

ସତ୍ୟବାଦୀ ବିଦ୍ୟାଳୟର ଅଧିକାଂଶ ଛାତ୍ର, ଅଭ୍ୟସ୍ତ ବାର୍ଷିକ ଭ୍ରମଣରେ ୧୯୧୭ ମସିହା ବସନ୍ତ ଋତୁରେ, ଖୋରଧାବାଟେ, ପଦବ୍ରଜରେ, ଖଣ୍ଡାପଡ଼ା ପର୍ଯ୍ୟନ୍ତ ଯାଇଥିଲେ । ସେହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ରହୁଥିଲେ ସୁଦ୍ଧା, ‘ଆଚାର୍ଯ୍ୟ’ ତାର ପ୍ରଧାନ କର୍ତ୍ତୃପକ୍ଷ ଥିଲେ । ତାହାଙ୍କୁହିଁ କୁଳପତି କୁହାଯାଉଥିଲା । ହରିହର ଦାସଙ୍କର ପ୍ରଚଳିତ ‘ଆଚାର୍ଯ୍ୟ’ ଉପାଧି ସେହିଥିରୁ ଆସିଛି ।

 

ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କୁ ସକାଳେ ନିଦରୁ ଉଠାଇବା ଲାଗି, ଛାତ୍ରାବାସରେ ଗୋଟିଏ ଘଣ୍ଟା ବାଜୁଥିଲା । ଛାତ୍ରମାନେ ଅନ୍ଧାରରେ ଏକା ଯିବା ଆସିବା କଲାବେଳେ ନିର୍ଜନତା ଦୂର କରିବା ନିମନ୍ତେ ଗୀତ ଗାଉଥିଲେ।

 

ସତ୍ୟବାଦୀରୁ ପଦବ୍ରଜରେ ଖଣ୍ଡପଡ଼ା ଗଲେ, ଦୟାନଦୀ, ବରୁଣୀ ପାହାଡ଼, ଖୋରଧା, ବାଘମାରି, ନିକଟସ୍ଥ ହଟକେଶ୍ୱର ଉଷ୍ମ ପ୍ରସ୍ରବଣ ଆଦି ବାଟରେ ପଡ଼େ । ଦୟା ଓ ଭାର୍ଗବୀ ନଦୀ ଦୁଇଟି କୁଆଖାଇରୁ ବାହାରିଛି । ଭର୍ଗବୀ ସତ୍ୟବାଦୀକୁ ପାଖ । ବରୁଣୀ ପାହାଡ଼ ତଳେ ଖୋରଧାର ସ୍ୱାଧୀନ ରାଜାଙ୍କର ପ୍ରାଚୀନ ଗଡ଼ର ଭଗ୍ନାବଶେଷ ରହିଛି । ପାହାଡ଼ ଉପରେ ଗୋଟିଏ ଗୁମ୍ଫାର ନାମ ପାଣ୍ଡବଘରା । ଭଟ୍ଟାରିକା ପାହାଡ଼ ଖଣ୍ଡପଡ଼ାରେ, ମହାନଦୀ କୂଳେ ଅଛି । ଭଟ୍ଟାରିକା ଦେବୀମନ୍ଦିର ସେହି ପାହାଡ଼ରେ । ପାହାଡ଼ରେ ଗୋଟିଏ ଗୁମ୍ଫା ଅଛି । ସେହିଠାରେ ସାତ ଭଉଣୀ ହାଣ ଖାଇଥିବାର ପ୍ରବାଦ ଅଛି ।

Image

 

ବୈତରଣୀ ତୀରେ

‘‘କାହିଁ, ଲୋ ମାଉସି, ଏକା ଯାଇଥିଲୁ ଦୂରେ

କୁଟୀର ଦୁଆର ତେଜି ? ଫେରୁଛୁ ଆତୁରେ ।

ପାଦେ ନାହିଁ ବଳ, ପଥ ଯିବା ପାଇଁ ଚାଲି,

ମୁଣ୍ଡ ଭରା କାନ୍ଧ ପରା ନପାରେ ସମ୍ଭାଳି ।

ଏ ଥବିର କାଳେ ଛାଡ଼ି କେ ଦେଲା ଗୋ ଘରୁ ?

ବସିଯାଅ ଦଣ୍ଡେ, ଛାୟା ଢାଳୁଛିତ ତରୁ ।’’

ଶୁଣି, ମୁଣ୍ଡୁ ଓହ୍ଲାଇଲା ଟୋକେଇଟି ବୁଢ଼ୀ,

ନଇଁ ଧୀରେ, ଥୋଇ ତଳେ, କାଢ଼ିଲା ଚାଙ୍ଗୁଡ଼ି ।

ଚିରାକନା ଗଣ୍ଠି ଫେଇ, ବାଢ଼ିଲା ସମ୍ଭାର-

ଚାଉଳ ଦି ମୁଠି କେତେ ଯତ୍ନେ ବନ୍ଧା ତାର ।

କହିଲା, ‘‘ମାଗି, ରେ ବାବୁ, ସାରା ଦିବସଟି

ଗାଉଁ ଗାଏଁ, ଆଣିଛି ମୁଁ ଏ ଚାଉଳ ମୁଠି ।

କିଏ ଦେଲେ, କିଏ ପୁଣି କଲା ହିନିମାନ,

ପାଦେ ଚାଲି ଥକିବାର ସାର ହେଲା ଜାଣ ।

ଯମପୁରେ ନ କରନ୍ତି ପେଟ ଚିନ୍ତା ଲେଶେ,

ପ୍ରାଣପତି ପାଶେ ଶୋଇ ମଶାଣି ପାଉଁଶେ ।

ଛାଡ଼ି ଯେ ଅଛନ୍ତି ଯାଇ କୁଳର ଦୁଲଣା,

ସଉତୁଣୀ ପେଟୁ ମୋର ପୁଅ ନିଉଛୁଣା ।

ଜୀଇଥିଲେ ବାପା ମାଆ କୋଳେ ଧରି ସୁଖେ,

ପେଟୁ କାଟି ଭାତ ଗୁଣ୍ଡା ଦେଉଥାନ୍ତେ ମୁଖେ ।

ବାଳୁତୁ ଓପାଦ ଅତି, ନ ପାରଇ ଖଟି,

ସେ ଲାଗି ମାଗି ମୁଁ ବୁଲେ, ନାହିଁ ଅନ୍ୟ ଗତି ।

ରାନ୍ଧିବାଢ଼ି ଦେଲେ, ଭୁଞ୍ଜି ବସିବ ସେ ଠାଏ,

ବଳିଲେ, ଏ ପୋଡ଼ା ପେଟେ ଭରିବି ଗୁଣ୍ଡାଏ ।

କେଡ଼େ ହିନିମାନେ ଅଛି ମୋ ଦୁଖପସରା,

ଭେଣ୍ଡା ହେଲା, ପିଲାପଣ ନ ଭାଜିଲା ପରା ।

କାଲି ଦେଇଅଛି ମାଡ଼ି, ଫୁଲାଇଛି ପିଠି;

ପୀଡ଼ା ଯୋଗେ ଦେହ ମୋର ହୁଏ କିଟି କିଟି ।

ମାଗିନାହିଁ ଆସିଥିଲେ କି ଭୁଞ୍ଜନ୍ତା ଧନ ?

କି ଦରବ ନେଉଛି ବା, ମାଗି ସାରା ଦିନ ?

ଦୁଧ ଭାତ ଖାଆନ୍ତି ସେ ଥିଲା ଘର ପୁଏ

ମୋ ଧନମାଳିରେ ପେଜ ନ ମିଳେ ଟୋପିଏ ।’’

କହି ବୁଢ଼ୀ ଗଡ଼ାଇଲା ନେତ୍ରୁ ବାରିଧାରା

ହାତ ବାଡ଼ି ଭରା ଦେଇ ନଇଁ ହେଲା ଛିଡ଼ା ।

ଲୋଡ଼ା ତା ନୋହିଲା ଆଉ କହିବାର ଲବେ,

ମଉନୁ ବଳି କି ତିଳେ କଣ୍ଠଭାଷ ଭବେ ?

କାଢ଼ି ବନ୍ଧୁ କୋଷୁଁ ତରେ ଦୁଇଟି ପଇସା,

ଦେଲେ ହାତେ ସଙ୍କୋଚେ ତ, ଦୟା ଚିତ୍ତେ ମିଶ

ଝରିଗଲା ନେତ୍ରଯୁଗୁଁ ଲୁହ ବେନି ଝର,

ବଦନେ ବିଷାଦ ଶୋହା ହେଲା ଢଳ ଢଳ ।

ଆଠଦିନ ସେ ଦିନୁ ମୋ ଗଲାଣିଟି ବିତି,

ଏ ଆଠ ଯୋଜନ ରାଜ୍ୟେ ଚାଲି ମୁଁ ଆସିଛି ।

ତେବେ ନିତି ଭ୍ରମେ ଚିତ୍ତ ସାୟାହ୍ନ ବିହାରେ,

ଜୟନ୍ତୀ ଗଡ଼େ ସେ ଦୁର ବୈତରଣୀ ତୀରେ ।

ନିତି ବୈତରଣୀ ଡେଇଁ ଏକାକୀ ବୁଢ଼ୀଟି,

ଭିକ ମାଗି ବାସେ ଆସୁଥିବ ତା ଲେଉଟି ।

ଭିକ ସିନା ମାଗି ନାହିଁ ଗାଉଁ ଗାଏଁ ବୁଲି,

କେଡ଼େ ହିନିମାନେ ଯାହା ନଥିଲା ସେ ପଡ଼ି !

ପୁଅ ବୋହୂ, ଜରା ହୃଦ ଅମୂଲ୍ୟ ପସରା,

ଡକା ଡକି ହୋଇ ଚାଲି ଯାଇଥିଲେ ପରା ।

କୁଟୀର କୋଣକୁ ତାର କେଥିଲା ମୋ ବିନେ ?

କେତେ ଯାତନା ମୁହିଁ ଦେଇନି ଜୀବନେ !

କାନେ ନାହିଁ ଶୁଣାଇଛି ‘ବୁଢ଼ୀମାଆ’ ଡାକ,

ନାତି ହୋଇ ଦିନେ ତାର ମାଡ଼ିନାହିଁ ପାଖ ।

ତା ଶୂନ୍ୟ କୋଳଟି ଦିନେ ନାହିଁ ମୁଁ ପୂରାଇ,

କିଶୋର ବୟସ ସାରା ପ୍ରବାସେ କଟାଇ ।

ସେ ଯୋଗେ ପାଇଲି ଆଜି ଯେ ବିତ୍ତ ଜୀବନେ,

କାହାର କି ଉପକାର ଲଗାଇବି ଦିନେ ?

ଗଢ଼ିଛି ମୁଁ ଏ ପ୍ରାଣଟା ତା ସ୍ନେହ ସମ୍ଭାରେ,

ସ୍ୱଜନ ସେନେହେ ମଞ୍ଚେ ଭେକୀ କରି ତାରେ ।

ଏହି ଅନଶନେ ଆହା ବୁଜିଛି ସେ ଆଖି ,

ନିଜ ପ୍ରତିରୂପ ପଛେ ଯାଇଅଛି ରଖି ।

ପାଉଅଛି ନେତ୍ରୁ ଏବେ୍‍ ଛାର ନୀର ବିନ୍ଦୁ,

ସେ ତ ଭବ ସନ୍ତରଣେ ମୋତ ମହାସିନ୍ଧୁ ।

ତୋ ବିନେ ଏ ସୌଭାଗ୍ୟ ମୋ ମିଳନ୍ତା କି ଲବେ ?

ବଞ୍ଚିଥା, ଜୟନ୍ତୀ ବୁଢ଼ି, ବଞ୍ଚିଥାଅ ଭବେ ।

 

*

ଜୟନ୍ତୀ ଗଡ଼ ସିଂହଭୂମି ଜିଲ୍ଲାରେ, ବୈତରଣୀ ନଦୀ କୂଳରେ । ନଦୀର ଆରପାଖରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ । ଏ ପଦ୍ୟର ଘଟଣା ସମୟରେ କବି ଜଣେ ସହକର୍ମୀଙ୍କ ସହିତ ୧୯୨୧ ମସିହାରେ ଚକ୍ରଧର ପୁରରୁ ଜୟନ୍ତୀଗଡ଼କୁ ଅସହୋଯୋଗ ପ୍ରଚାର କାର୍ଯ୍ୟରେ ଯାଇଥିଲେ । ଚକ୍ରଧର ପୁରକୁ ଜୟନ୍ତୀଗଡ଼ ସତେଇଶ କୋଶ, ଯୋଜନକୁ ଚାରିକୋଶ ହିସାବରେ ପ୍ରାୟ ସାତ ଯୋଜନ । ‘ସାତ’ ସ୍ଥାନରେ କବି ‘ଆଠ’ ଲେଖିଛନ୍ତି । କବିଙ୍କ ପିତାମାତା ମରିଗଲା ପରେ, ତାଙ୍କ ଜେଜେମା ଚାରିବର୍ଷ ମନଦୁଃଖ ଓ ଅର୍ଥାଭାବରେ ବଞ୍ଚିଥିଲେ । କବି ସେ ସମୟରେ ପୁରୀ ଓ କଟକରେ ପଢ଼ୁଥିଲେ । ସେ ମାସିକ ଦଶଟଙ୍କା ଛାତ୍ରବୃତ୍ତିରୁ ନିଜ ପଢ଼ିବାଖର୍ଚ୍ଚ ଚଳାଇ, ଜେଜେମା, ଭଉଣୀ ଓ ପତ୍ନୀଙ୍କ ଖର୍ଚ୍ଚ ନିମନ୍ତେ ମାସକୁ ମାସ ତିନିଟଙ୍କା ପଠାଉଥିଲେ ।

Image

 

ଅଦେହ ଅମୃତ କେଳି

 

କେତେ କେତେ ଦିନ ଯାଇଛି, ରେ ପିକ ,

ବିତି ଏ ଜୀବନେ ମୋର,

ନିମିଷକ ଲାଗି ଲୋଡ଼ି ନାହିଁ ଏ ଯେ

ସୁଧାବାଣୀ ତୋ କଣ୍ଠର ।

ଶ୍ରାବଣ ଅସରା ଟପ ଟପ ଟପ

ଢାଳିଦିଏ କାହୁଁ ଆଣି,

ନଈ ନାଳ ପୂରି ବହି ଯାଉଥାଏ

ବରଷାର ବଢ଼ି ପାଣି ।

କୁଆଁର ପୁନିଅ ଜହ୍ନ ଆଲୁଅରେ

ମନ ସନମାନେ ହସି,

କୁମାର କୁମାରୀ ଯୂଆ ଖେଳେ ମାତି,

କଥା ହେଉଥାନ୍ତି ବସି ।

ବିଲମାଳେ ରବି ପାଟଳ ବସନେ

କନକ କେଦାର ଶିରୀ,

ହସ ହସ ମୁଖେ କାଟି, ଚଷାପୁଅ

ରଖଇ ଯତନ କରି ।

ଶୀତ ସାୟାହ୍ନର ଚୁଲି ଚଉପାଶେ

କୁଟୀର କୁସୁମ ପନ୍ତି-

ବୁଢ଼ୀ ମାଆ ତୁଲେ ଖେଳନ୍ତି ପିଲାଏ,

ନାନା କଉତୁକେ ମାତି ।

ଯେତେ ଯେତେ ସୁଖ ଏଭଳି ଭୂତଳେ

ସରଗ ସମ୍ପଦ ଜିଣି,

ଦିନେ ତହିଁ, ପିକ, ଲୋଡ଼ି ମୁଁ ନାହିଁରେ

ତୋର ଏ ମୋହନ ବାଣୀ ।

ଆଜି ଏବେ ବହେ ମୃଦୁଳ ମଳୟ

କି ଦୂର ବିଦେଶୁ ଆସି,

ଅବନୀ ଆକାଶେ ପୀୟୁଷ କମ୍ପନେ

ନବ ମଧୁ ପରକାଶି ।

ଡାଳୁ ଡାଳେ ଆଜି ବନ ଉପବନେ

ଶ୍ୟାମଳ ମୋହନ କେଳି;

ନବୀନ ମାଧୁରୀ ଏ ଯେତେ ତରୁଣ

କିଶଳୟେ ଉଠେ ଖେଳି ।

ସୁମନେ ସୁମନେ ହୃଦ ବିନିମୟେ

ଉଛୁଳେ ସୋହାଗ ସୁଧା,

ଏକଇ ଏ ଖେଳ ପ୍ରତି ଖେଳେ ଆଜି

ସରଗେ ମିଶେ ବସୁଧା ।

ଏ ସକଳ ମେଳେ ନ ଖେଳିବ ଯେବେ

ତୋ କୁହୁ ଚପଳା ଶିରୀ;

ସରଗ ମରତ ପୀୟୁଷ ସଙ୍ଗୀତେ

କି ତାନ ଯିବରେ ଛିଡ଼ି !

କେତେ କେତେ ଦିନ ଯାଇଛି, ରେ ପିକ

ବିତି ଏ ଜୀବନ ମୋର,

ନିମିଷକ ଲାଗି ଲୋଡ଼ି ନାହିଁ ଏ ଯେ

ସୁଧାବାଣୀ ତୋ କଣ୍ଠର ।

ଢାଳ ଆଜି ଢାଳ, କାନନ ଅତିଥି,

ଅଦେହ ଅମୃତ କେଳି;

ଶୂନ୍ୟରୁ ଉଛୁଳି ଶୂନ୍ୟ ଅନ୍ତରୀକ୍ଷେ

ଯାଉ ଏ ତଡ଼ିତ ଖେଳି ।

Image

 

କାକଳି

 

ତରୁରୁ ତରୁକୁ ଉଡ଼ି ଏକାକୀ କୋଇଲି,

ବନ ଦେଶେ ଅବିରଳ ଢାଳଇ କାକଳି ।

ଉଛୁଳି ଉଠୁଛି ବନ ନିକୁଞ୍ଜ ସକଳ,

ମୃଦୁ କମ୍ପେ ଦୋଳୁଅଛି ପତ୍ର ଫୁଲ ଫଳ ।

ନିକୁଞ୍ଜ ନିବାସୀ ମୋର କନକ ପ୍ରତିମା,

ଘେନନ୍ତି ଯେ ଶିଶୁଗଣ ଗୀତି ମଧୁରିମା ।

ଏସନ ସମୟେ ଦୁରୁରାବି ଅଯତନେ,

କୁଆ ଦଳେ ଆସି ଖରେ ମିଳିଲେ କାନନେ ।

ଚଉପାଶେ ରାବୁଛନ୍ତି କୁଆ କୋଟି କୋଟି,

ତା ମଧ୍ୟେ ରାବଇ ଧୀରେ ବସି କୋଇଲିଟି ।

କୁଆ ରାବେ ଅବହେଳେ ଯାଏ କାହିଁ ଢଳି,

ଏକାକୀ ପାଦପ ଡାଳେ କୋକିଳ କାକଳି ।

ଏକ ମହା ଗୀତ ତାନ ଉଠଇ କାନନେ,

କୁଞ୍ଜୁ କୁଞ୍ଜେ ଥରିଯାଏ, ସୁମନୁ ସୁମନେ ।

ଧୀରେ ପଥେ ଖେଳି ଆସେ ମଳୟ ଲହରୀ,

ମଧୁର ପରଶେ ବନ ପୀୟୁଷ ବିତରି ।

ଗୁଣୁ ଗୁଣୁ ଗୁଣୁ ରବେ ଫୁଲୁ ଫୁଲେ ବସି,

ଫୁଲ ମଧୁପାୟୀ ଅଳି ବିହରଇ ଆସି ।

ନିମଜ୍ଜନେ ଶିଶୁଗଣ ଶୁଣି କେତେ କ୍ଷଣ,

କୋଳାହଳେ କରତାଳି ଦିଅନ୍ତି ବହନ ।

ରାବି ନଭେ କୁଆ ଉଡ଼ି ଯାଆନ୍ତି ସକଳେ;

ତଥି ମଧ୍ୟେ ଉଡ଼େ ପିକ ବାରି ନୋହି ତିଳେ ।

ଦୁରୁ ଦୁରେ ବନ ଦେଶେ ଉଠଇ ଉଛୁଳି-

କୁଆ କୋଇଲିଙ୍କ ମିଶା ମୋହନ କାକଳି ।

Image

 

ଭଗ୍ନା *

 

ସେ ଯୁଗର କଥା ଆଉ ଅଛଇ କି ମନେ,

ଯେବେ ମୋ ଗହଣେ ବସି,

କମ୍ପିତ ଅଧରେ ହସି,

କେତେ ଗାଉଥିଲୁ ଢଗ ଦରୋଟି ବଚନେ ?

ମୁହିଁ ନ କହୁଣୁ କିଛି;

ବାଳୁତ ସମ୍ପଦେ ନାଚି,

ତୋ ଗୀତ ପ୍ରଶଂସା ଆପେ କରୁଥିଲୁ ହେଳେ;

ସେ ସବୁ କି ମନେ ଆଉ ପଡ଼େ ବେଳେ ବେଳେ ?

ଭାଇ ବୋଲି ମୋତେ ଡାକିଥିଲୁ ଦୁଇଦିନ ।

ଥିଲା ଯେବେ ଏ ବିଚାର,

କିପାଁ କଲୁ ଆପଣାର;

ଅତୃପ୍ତ ବାସନା କିପାଁ ରଖିଗଲୁ ପ୍ରାଣେ;

କିପାଁ ଦେଲୁ ଏତେ ଦୁଃଖ ଏତେ ସନମାନେ ?

ପରାଣ ପ୍ରତିମା କରି ବହିଥିଲି ତୋର ।

ଭାବିଥିଲି, ତୋତେ କରି ଆଦରଣ,

ମୋ ଶୁଷ୍କ ଅନ୍ତର କରିବି ସରସ;

ତିନ୍ତାଇ ହିଆ ମୋ ତୋ ଶିଶୁ ସମ୍ଭାରେ

ଉଠିବି ବିକଶି ଏ ମର ସଂସାରେ ।

ସବୁ କିନ୍ତୁ ମିଛ କରିଦେଇ ଅବହେଳେ,

କାହିଁ ଚାଲିଗଲୁ ଏକା,

ପତ୍ରଦଳ କୋଳୁ ନବ କୁସୁମ କଳିକା !

ଏତେ ମୂଲ୍ୟ ଯେବେ ତୋର ଥିଲା ଆନଦେଶେ,

କିପାଁ ପକାଇଲୁ ପାଦ ଏ ଦୀନ ଆବାସେ ?

ତୋ ନାମ ନଥିଲା ଯେବେ ଏ ମରତେ ଲେଖା,

କିପାଁ ଆସି ନିମିଷେ ତୁ ଦେଇଗଲୁ ଦେଖା ?

ତୁତ ଚାଲିଗଲୁ ତୋ ରାଇଜେ,

ମୁହିଁ ତେବେ କିପାଁ ତୋତେ ନପାରଇ ଛାଡ଼ି,

ଦିବା ନିଶି ତୋ ବିଚ୍ଛେଦେ ମିଛେ ହୁଏ ଘାରି ?

କି ଯେହ୍ନେ ହଜିଛି ମୋର, ପାଇବାକୁ ଆଶା;

କ୍ଷଣେ ନାହିଁ ଲିଭେ ପ୍ରାଣୁ ଅତୃପ୍ତ ପିପାସା ।

ଅନ୍ତର ତ ହୋଇଗଲୁ ନିଜେ,

ସେ ସ୍ନେହ ଡୋରଟି କିପାଁ ନ ଦେଉ ଛିଣ୍ଡାଇ,

ଅନଳେ ଆହୂତି ଢାଳି ହସୁଛୁ ଅନାଇଁ ?

ଏ ବିଶ୍ୱ ଜଗତେ ସ୍ଥାନେ ନାହିଁଛି ମୋ ଆଜି ।

ମୋ ସଂପଦ ତୋହରି ସରବ,

ଶିଖିଛି ମୁଁ ତୋଠାରୁ ଲୋ ପ୍ରୀତି କି ଦରବ;

ସେ ପ୍ରତିର ତୁଳ କିନ୍ତୁ ପାଏ ନାହିଁ ଖୋଜି ।

ତା ସରି ତ ଦେଖେ ମୁହିଁ କେତେ ପ୍ରିୟ ଜନେ,

ସେହୁ ଯାହା ନ ଦେଖନ୍ତି ମୋତେ ମୋ ସମାନେ;

କେତେ ଦୟାବନ୍ତ ପ୍ରୀତି ଢାଳନ୍ତି ମା କରେ,

ମନ ଅନୁରୂପେ କେହି ନ ଦିଅନ୍ତି ଥରେ

ଏଡ଼େ ଅଥୃପ୍ତ ପରାଣେ,

ପଡ଼ିଥିବି କିପାଁ ଏ ମୋ ବାସନା ଶ୍ମଶାନେ ?

ଚିରଦିନ ରହିବାକୁ ଆସିତ ମୁଁ ନାହିଁ,

ଧନ ମାନ ଦେବୀ ସବୁ ଦୂରକୁ ପକାଇ ।

ଘେନିଯାଅ ମୋତେ ତ୍ୱରା ସେ ରାଇଜେ,

ଯହିଁ ଯାଇଅଛୁ ନିଜେ ।

ତୋ ସରି ପ୍ରତିମା ଯେବେ ଯାଇଛି ପଳାଇ,

ମୁଁ ଏଡ଼େ ବିଚ୍ଛେଦେ କିପାଁ ରହିବି ଦଇନେ ?

କିପାଁ ନ ପାଲଟେ ମରୁ ଏ ବିଶ୍ୱ ତୋ ବିନେ ?

ଘେନି ଯାଅ, ମାଆ ମୋର, ମୋତେ ତୋର ପାଶ;

ଏ ଭବ ଲୋତକ ହାସ୍ୟ ଦୁଃଖ ଦୀର୍ଘଶ୍ୱାସ,

ଯେତେ ବା ବଚନ, ଯେତେ ନୀରବତା

କାହିଁ ତ ନବୁଝେ ମୋର ତପ୍ତ ଜୀବନଟା ।

ଶୁଣାଅ ବାଣୀ ବାରେ,

ସେ ସେନେହ ଧାରା ଢାଳିଦିଅ ଢାଳେ;

ଏ ଶୁଷ୍କ ପରାଣ ମୋର ଶୋହିବ ସୁମନେ,

ଭଗ୍ନୀ ତୁ, ଭାଇ ମୁଁ ହେବା ଅନନ୍ତ ମିଳନେ ।

 

*

କବିଙ୍କ ପିତାମାତାଙ୍କ ମୃତ୍ୟୁପରେ, ଭଉଣୀଟି ପ୍ରାୟ ଦୁଇବର୍ଷ ଜେଜେମାଙ୍କ ପାଶେ ରହି ମରିଗଲା । ସେତେବେଳେ ତାର ବୟସ ଦଶବର୍ଷ । ଉପଯୁକ୍ତ ଚିକିତ୍ସାର ଅଭାବରୁ ତାର ମୃତ୍ୟୁ ଘଟିଲା । ସେହି ବାଲ୍ୟ ବୟସରେ ଓ ଦୈନ୍ୟ ମଧ୍ୟରେ ସୁଦ୍ଧା, ସେ ରୂପ ଗୁଣରେ ଲୋକଙ୍କୁ ମୁଗ୍‌ଧ କରି ପାରିଥିଲା ।

Image

 

ପିଅରୁ ଅଧିକ *

 

ଅସରା ଅସରା ପାଣି ବରଷେ ଅଧୀରେ,

ନଈ ନାଳ ବାଟ ଘାଟ ବାରି ନୁହେ ତିଳେ ।

ଘଡ଼ଘଡ଼ି ଚଡ଼ଚଡ଼ି ପଡ଼େ ଏକୁ ଆନ,

ବିଜୁଳି ଝଟକେ ଭୟେ କମ୍ପଇ ପରାଣ ।

କୋଶକ ଆକ୍ରାନ୍ତେ କାହିଁ ବିଲ ପଦା ବନେ,

ଜନ ପ୍ରାଣୀ ଜଣେ ନାହିଁ ଦିଶଇ ନୟନେ ।

ପିନ୍ଧାବାସ ତିନ୍ତି ନୀରେ, ଥରେ ତନୁ ଶୀତେ,

କିଲି କିଲି ବାଆ ପାଣି ପିଟୁଛି ନିରତେ ।

‘‘କୋଲ ମାରିଯାଏ ଦେହ, ନଚଳେ ପୟର,

ଆଉ ନାହିଁ ଚାଲି ବାଟେ ପାରିବି ନିକର ।’’

ଶୁଣି ଏ କାତର ବାଣୀ, କୁଟୀରୁ ବାହାରି,

ବାଆ ପାଣି ସୁଏ କିଏ ଯାଇଛି ଏ ଥରି ।

ଓଦା ହୋଇଅଛି ଦେହେ ଶୁଖିଲା ବସନ,

ତେବେ ଦମ୍ଭେ ପାଦ ଚାଳି ଆସୁଛି ବହନ ।

କହିଲା, ‘‘ଏ ଅଚାନକେ ଛାଡ଼ି ଘରଦ୍ୱାର,

ବେହରଣେ କେବେ, ବାବୁ, ନୁହେ ଆସିବାର ।

ଦିହୁଁ ଦିହେଁ ସୁକୁମାର, ବାପା ମାଆ ଭାଇ

ଜୀଇ କି ଏ କାଳେ ଘରୁ ଦିଅନ୍ତେ ପଠାଇ ?

ଆସ, ବାବୁ, ବସ ଦଣ୍ଡେ ମୋ ପତ୍ର କୁଟୀରେ,

ବାଆ ପାଣି ଛାଡ଼ିଗଲେ ଫେରିଯିବ ଘରେ ।

ଘାଣ୍ଟି ହେଉଥିବେ ସିନା ଘରର ଘରଣୀ,

ଅଧିକେ କାନ୍ଦିବେ ବାଟେ ତିନ୍ତିବାର ଜାଣି ।

ଅନ୍ଧାର ନୋହୁଣୁ ରାତି, ମିଳିଲେ ବାହୁଡ଼ି,

ହସି ସେ ଉଆସ ରାଣୀ ନେବେ ସୁଖେ ଲୋଡ଼ି ।

ଅଞ୍ଚଳେ କପାଳୁ ପାଦ ପୋଛିବେ ଯତନେ,

ବାଢ଼ିବେ ଯା ଥିବେ ରାନ୍ଧି ସାୟାହ୍ନ ଭୋଜନେ ।’’

ଶ୍ରବଣେ ଆଦର ବାଣୀ, ପାଦ ହେଲା ଥିର,

ଦେଖିଲି, ସାଥିଟି ଶୀତେ ଥୁରୁ ଥୁରୁ ମୋର ।

ସତେ କୋଲ ମାରେ ଦେହ, ନ ପାରଇ ଚାଲି,

ଅଳପ କ୍ଲେଶେ କି ବାବୁ କରିଥାନ୍ତି ଅଳି !

ସ୍ତୋକେ ମୁଁ ଭାଷିଲି, ‘‘ବସ, କଥା ତାର ଘେନି,

ଦେଖ, ରଖୁଛି ତ ଲୋଡ଼ି କୁଟୀର ବାସିନୀ ।’’

କହିଲା, ‘‘ଚୁହାଡ଼ କୁଳେ ହେଲେ ତା ଜନମ,

ଏତେ ସ୍ନେହ ନହି ବିହି ଗଢ଼ିଛି ଜୀବନ ।

ଏ ପାଣି ପବନେ କଥା ଏଡ଼ିଦେଇ ତର,

ହେଣ୍ଟି ଚାଲିଗଲେ ବେନି, ନ ଦିଶିବ ଭଲ ।

ରହ ଦଣ୍ଡେ ବସି ତାର କୁଟୀରେ ଆପଣ,

ଯିବ, ଘରେ ଛାଡ଼ିଗଲେ ଏ ପାଣି ପବନ ।

ଉଛୁର ହେଲେଟି ଯେବେ ହୋଇଯିବ ରାତି,

ଆଲୁଅ ଆଣି ମୁଁ ବାଟେ ଆସିବି ପାଛୋଟି ।

ଘରେ ଏକା ବସି ବୋଉ ବାଟ ଥିବେ ଚାହିଁ,

ନୟନେ ସେନେହ ଧାରା ଭାଳିତେ ଗଡ଼ାଇ ।

ଘଡ଼ଘଡ଼ି ନାଦେ ପଡୁଥିବେ ଟି ଚମକି,

ବିଜୁଳି ଝଟକେ ବୁଜି ଦେଉଥିବେ ଆଖି ।

ପରାଣ ସଙ୍ଖାଳି ପୁଅ ପତି ବେନି ଜନେ,

ଏ ଘୋର ବତାସେ ପେଷି ଦେଇଛନ୍ତି ବନେ ।

ପଲକେ କେସନେ ସୁଖେ ପାରିବେ କଟାଇ ?

ମିଳିବି ଆବାସେ ଏବେ ତୁରିତେ ମୁଁ ଯାଇ ।

ଦେଖି ମୋର ପିଣ୍ଡେ ଅଧେ ପଶିବ ଜୀବନ;

କହିବି, କୁଟୀରେ ଏଥି ବସିଛ ଆପଣ ।

ନୋହିଲେ, ଜୀବନ୍ତେ ବଳି ମରଣୁ ଅଧିକେ,

ଭାଳିହେବେ ବୋଉ ପରା, ଚାହିଁ ବାଟ ଦୁଃଖେ ।’’

କହି ଏତେ, ଚାଲି ପାଶୁ ଗଲା ତରତରେ,

ବାଆ ପାଣି ଅନ୍ଧକାରେ ଲୁଚିଗଲା ଖରେ ।

ଶୀତେ ଥୁରୁ ଥୁରୁ ବାଟେ ନେହୁଥିବ କେତେ,

କେତେ ପାଣି ମୁଣ୍ଡେ ମେଘ ଢାଳୁଥିବ ସତେ ।

କିପରିଟି ସହୁଥିବ ସେ ପ୍ରାଣ ସଙ୍ଖାଳି,

ଏତେ ହୀନିମାନେ ବାଟେ ଏକୁଟିଆ ଚାଲି ?

ଅନ୍ଧାରେ ମାଡ଼ଇ ଡର, ଚମକେ ପବନେ;

ଚାଲନ୍ତି, ପୟରେ ଝୁଣ୍ଟି ପଡ଼ଇ ଅୟନେ ।

ବୟସେ ବାଳୁତ; ନାହିଁ ଜାଣେ ସେ କିଞ୍ଚିତେ,

ଦେହ ଧରି ସହେ ଦେହୀ କି ଦୁଃଖ ଜଗତେ ।

ପୁଅ ନୋହି ପିଅରୁ ସେ କରିଛି ଅଧିକ,

କି ଦ୍ରବ୍ୟେ ଗଢ଼ିଛି ନିଜ ମର ହୃଦ ଟିକ ?

ଚୁହାଡ଼ କୁଟୀର ରାଜ ଉଆସ ସମ୍ଭାରେ,

ରଖି ମୋର, ଚାଲିଗଲ ! ବିଚ୍ଛେଦ ବିହରେ ।

କେତେବେଳେ ଯାଇ ପୁଣି ମିଳିବ ଆବାସେ,

ନେତ୍ର ନୀର ପୋଛି ବୋଉ ଲୋଡ଼ିନେବେ ହାସେ ।

ଶୁଣିବେ ମଉନେ ପତି କୁଶଳ ବାରତା,

ସଙ୍କୋଚ ପୁଲକ ଭାରେ ପୋତି ଥିରେ ମଥା ।

ଗରଭ ଯାତନା ଦିନେ ନ ଭୋଗି, ପ୍ରେୟସି,

କି ପୁଅ ନିଧି ଏ ମଞ୍ଚେ ପାଇନାହିଁ ହସି ?

ନ ହୁଅ ଅଥୟ, ନାହିଁ ଢାଳ ଅଶ୍ରୁ ବାରି;

ମୁଁ ଏଥେ ନିଶ୍ଚିନ୍ତେ ଅଛି, ନ ହୁଅ ଗୋ ଭାଳି ।

କୋହ୍ଲୁଣୀ ବୁଢ଼ୀର ଏ ଯେ ପତର କୁଡ଼ିଆ,

ବାଆ ପାଣି କୋପ ଲଂଘି ହୋଇଅଛି ଠିଆ,

ଏ ଘୋର ଆପଦେ ମୁଣ୍ଡ ଗୁଞ୍ଜି ତଳେ ତାର,

ଲଭିଛି ମୁଁ ସତେ ରତ୍ନ ସିଂହାସନ କାର ।

ମନୁଷ୍ୟ ଜନମ ପାଇ ଆପଦେ ଦୁର୍ଦିନେ,

ଧୈର୍ଯ୍ୟ ସେ ହରାଏ ସେହୁ ଗଣାହୁଏ ହୀନେ ।

ସେ ଭଳି ଦୁର୍ବଳ ଦୀନ ହୀନ ଜନ ହାତ,

ବିବାହ ବେଦୀରେ ଧରିଥିଲ କି ସଙ୍ଗାତ ?

ଚିହ୍ନିଥିବ ତେବେ ମୋର ଗୁଣ ଦୋଷମାନ,

ଯା ଥିଲି ତେବେ ମୁଁ, ଏବେ ରହିଛି ସମାନ ।

କାଳର ପରଶେ ମୁହିଁ ବଦଳି ତ ନାହିଁ,

ମିଛେ ଭାଳି ହୁଅ ତେବେ ମୋଲାଗି କମ୍ପାଇ ।

 

*

ଏ ପଦ୍ୟ ଚକ୍ରଧରପୁର ନିକଟର ଏକ କୋହ୍ଲ କୁଟୀର ପାଖ ଘଟନା ଉପଲକ୍ଷେ ଲିଖିତ । କୋହ୍ଲମାନେ ଅନାର୍ଯ୍ୟ ଜାତି । ତାଙ୍କୁ କେହି କେହି ‘ଚୁହାଡ଼’ କହିଥାନ୍ତି । ଚୁହାଡ଼ ଗୋଟାଏ ଅବଜ୍ଞାସୂଚକ ନାମ । ସେ ଘଟନାରେ କବିଙ୍କ ସଙ୍ଗେ ସଙ୍ଗେ ତାଙ୍କର ଜଣେ ଯୁବକ ସହକର୍ମୀ; ଯାଇଥିଲେ । ସେ ଅନେକ କାଳ କବିଙ୍କ ଘରେ ଘରର ପୁଅପରି ରହିଥିଲେ ଓ ସକଳ ପ୍ରକାର ପୁତ୍ରସୁଲଭ ସ୍ନେହ, ଆଦର ପାଉଥିଲେ । ସେ ପ୍ରତିଦାନ ମଧ୍ୟ କରୁଥିଲେ ।

Image

 

ବାଳକ

 

‘‘ବସ, ରେ ବାଳକ ହସରେ ପୁଲକେ,

ଅନାଅ ନୟନ ନିମିଷେ,

ସରଗ ସମ୍ପଦ ଲୋଡ଼ି ଏ ମରତେ

ଆଣରେ ହୃଦୟ ହରଷେ;

ଗଗନ ଚନ୍ଦ୍ରିକା ମୋହନ ପ୍ରତିମା

ସମ୍ପାଦି ବଦନ ଅମୃତେ,

ଅଧର ଯୁଗଳ ଲଳିତ ବିଳାସେ

ଢାଳିଦିଅ ସୁଧା ତୁରିତେ ।’’

ମଉନେ ଅନାଇ ବସିଛି ପିଲାଟି,

ପରାଣ ପୁଲକେ ଉଛୁଳି,

ବିଶ୍ୱରାଣୀ ଦାସ କନକ କଣିକା

ନେତ୍ରେ ତା ଯାଉଛି ବିହରି

ନରବ ଧିଆନେ, ହୃଦ ପରିସରେ

କଣ୍ଠୁତା ନସ୍ଫୁରେ ବଚନ,

କି ଅବା ପୁଚ୍ଛିବ ସେନେହ ସମ୍ଭାଷେ

ସରମେ ନ ବଳେ ପରାଣ ।

ଯାଅ ଯାଅ ସୁଖେ ଆପଣା ଉଆସେ

ତୁରିତେ, ବାଳକ, ବାହୁଡ଼ି,

ଶୂନ୍ୟ ସମୀରଣ ଶଶିତାରା କରେ

ଚରଣ ପରଶେ ବିହରି;

ମୋ ଦୀନ କୁଟୀରେ ଲୋଡ଼ି କି ପାରିବି

ଦୁର୍ଲଭ ଏ ସ୍ୱର୍ଗ ରତନ,

ନିମିଷେ କି ଭଳି ରଖିବି ସମ୍ପାଦି

ଉଇଁଲା ବାଳୁତ ତପନ ?’’

ମଉନେ ଅନାଇ ଚାଲିଗଲା ଖରେ

ତା ମୃଦୁ ପୟରେ ପିଲାଟି,

ଅବନୀ ଗଗନ ଅନନ୍ତ ଅୟନ

ଏକଇ ବରଣେ ବିଭାତି ।

ଶୂନ୍ୟ ହୋଇ, ମୋର ପୂରି ଯେ ଯାଉଛି

ଏ କିବା ସମ୍ପଦେ କୁଟୀର,

ଯାଇଛି ବାଳକ, ଯାଉ ଏ ପରାୟେ,

ଫେରି ସେ ନ ଆସୁ ଆବର ।

Image

 

ଦାନ *

 

ଦୋକାନରେ ରହିଅଛି ଚହଟି ସୁବାସେ,

ନାନା ବର୍ଣ୍ଣ ବଇଭବେ ପୂରି ଦୂରେ ପାଶେ ।

ଲାଗିଅଛି କିଣାବିକା ମହା କୋଳାହଳେ,

ଉଛୁଳେ ଦୋକାନୀ ହିଆ ଆନନ୍ଦ ଲହରେ ।

ଜଣୁ ଜଣେ କିଣି ସାରି ବାହୁଡ଼ନ୍ତି ହସି,

ମୂଲ କରୁଥାନ୍ତି ପୁଣି ଆନ ଜନେ ପଶି ।

ବରଷକେ ଥରେ ଏଜେ ସରଗର ଫଳ,

ଲଭି, ଆଜି କୋଟିନିଧି ନୋହିବ କାହାର ?

ବାଟ ଧୂଳି ଆସନେ ସେ ଖଣ୍ଡଦୂରେ ବସି,

କିଏ ପୁଚ୍ଛେ ମୃଦୁ ସ୍ୱରେ ଶଙ୍କତେ ଭରସି-

ଧୂଳି ମାଟି ବୋଳି ହୋଇ ମଳିନ ବଦନ,

କଳା କନା ଦୁଇଖଣ୍ଡି ଯାବତ ବସନ,

ବାହୁ ଯୁଗଳେ ତା ନାହିଁ ପିଲାଟିର ବଳ,

ବୟସ ହୋଇବ ଅଳ୍ପେ ତିରିଶ ଉପର;

‘‘କେତେ ଗୋଟି ଆମ୍ବ ଦେଉଅଛି ପଇସାରେ ?’’

‘‘ଯୋଡ଼ିକି ପଇସା ତିନି’’, ଶୁଣିଲା ଉତ୍ତରେ ।

ନିଜ ହାତେ ଥିବା ତାର ଅଧଲାଟି ଧରି,

ଦାଣ୍ଡେ ସେହୁ ମନେ ମନେ କି ହେଲା ବିଚାରି ।

ମୁଖେ ତାର ଘୋଟିଗଲା ନୈରାଶ୍ୟ କାଳିମା,

ଟପିଗଲା ଲୁହ କୋହେ ନେତ୍ର ପତା ସୀମା ।

ପାଖ ଗଛ ଛାଇତଳେ ବସି ଏକା ବୁଢ଼ୀ,

ମଉନେ ପଶରା ତାର ରଖିଅଛି ବାଢ଼ି ।

ସେହିଠାବେ ଏବେ ଯାଇ ନେଉଅଛି କିଣି,

ସେ ଗଛ ପତରେ ବୋଳା ଶ୍ୟାମକାନ୍ତି କିଣି,

ଅଧଲାକୁ ଦୁଇଗୋଟି ସରଗର ଫଳ,

ମାଗିଲାରୁ ଲାଭ ପୁଣି ଗୋଟିଏ ଆବର ।

ବଦନେ ଅପୂର୍ବ ହସ ଆସଇ ବିରାଜି,

ସରଗର ଫଳ ସେ ଯେ ନୂଆ ହେବ ଆଜି ।

‘‘କି କଲ, କି କଲ ବାବୁ; ତରତରେ ଯାଇ,

ଏ ପାଚିଲା ଆମ୍ବତକଦେଲେ ଯେ ବଢ଼ାଇ ?

ଜଗତ ଅନନ୍ତକାୟେ ଖେଳେ ଯେ ପୀୟୁଷ,

ଦେଲ ତ ଛୁଆଇଁ ତହିଁ ଏ ବିଷ ପରଶ ।

ଚାରି ପଇସାର ଆମ୍ବ ଦେଲ ଏ ଯେ କିଣି,

ଦୀନ ହୀନ ଚାରିଯୁଗ କଲ ଏ ମେଦିନୀ ।

ଗ୍ରହୀତା ମୁଖେ ଯେ ଚୋରାସ୍ମିତଦିଏ ଦେଖା,

ସେ ନୁହେଁ ପୁଲକ, ଅଟେ ବିଷାଦର ରେଖା ।

 

*

ସତ୍ୟବାଦୀରେ ଦିନେ ଜଣେ ଦରିଦ୍ର ଲୋକ କଞ୍ଚା ଆମ୍ବ କିଣିବାର ଦେଖି ଜଣେ ଛାତ୍ର ଚାରିପଇସାର ପାଚିଲା ଆମ୍ବ ତାକୁ ନେଇ ଦେଲେ । ସେ ତାହା ପାଇ ବିସ୍ମିତ ହୋଇଗଲା । ପଦ୍ୟଟିରେ ସେହି ଘଟନାକୁ ଲକ୍ଷ କରାଯାଇଅଛି । ସେ ଦାନ ଯୋଗେ ପୃଥିବୀ ଯେ କିପରି ‘ଦୀନ ହୀନ’ ହେଲା ବୋଲି କବିଙ୍କ ମନରେ ଧାରଣା ଜନ୍ମିଲା, ବୁଝିବା କଠିନ । ଦରିଦ୍ରକୁ ଏତେ ଅଳ୍ପକେ ଭିକାରୀ ସ୍ଥାନକୁ ନେଇଯିବା ବୋଧହୁଏ ତାଙ୍କ ଇପ୍‌ସିତ ନୁହେଁ ।

Image

 

ବିହଗ ପରାଣ ଘେନା

 

‘‘ଦେଖୁଛୁ ତ ଦୂରେ କନକ ନଗରୀ

ମାଣିକ୍ୟ ଭୂଷଣ ଭରା,

‘ଆ-ଆ ଆ-ଆ ପିକ’- ଶୁଣୁଅଛୁ ନିତି

ସୋହାଗ ବଚନ ଧାରା ।

ଚାଲି କି ତୁ ସତେ ଯିବୁରେ କୋଇଲି,

ଏ ବନବିତାନ ଛାଡ଼ି ?

ଏ ତରୁ ଡାଳୁ ତୋ ନଦେବୁରେ ଆଉ

ଅଲକ୍ଷ୍ୟେ ଅମୃତ ଢାଳି ?

ମଣୁକି ମରତେ ଯାବତ ସମ୍ପଦ

ମୋର ଏ ଏକଇ ତରୁ,

ତେକି ଯା ଗହଳ ଉଡ଼ିଗଲେ ବାରେ,

ଭେଟିବୁ ଭୀଷର ମରୁ ?

ରହିଛି, ଦେଖରେ, ଫୁଲ-ଫଳ କେତେ

ପତ୍ର କିଶଳୟ ଡାଳେ,

ବହିଛି ଯା ବନେ ପ୍ରତି ତରୁଲତା

ସେନେହ ସୋହାଗ ଭାରେ ।

ରଖିଛି ତୋ ପାଇଁ ଲତିକା ନିକୁଞ୍ଜ

ସଜାଇ ମୋହନ ବେଶେ,

ନିଶି ଶିଶି ସ୍ମିତ ପିୟୁଷେ ପଖାଳି,

ଅରୁଣ କନକ ଭାସେ ।

ବହୁଛି ସମୀର ମୃଦୁ ଆବର୍ତ୍ତନେ

ଖେଳାଇ କାନନ ଭୂମି;

ଦେଶେ ଦେଶେ ମଧୁ ଯାଉଛି ବିତରି,

କୁସୁମ କେଶର ଘେନି ।

ବିସୋରି ଯେ ମୋଦେ ନିଜ ବଇଭବ,

ଅପର ବିହଗ କେତେ,

ଶୁଆ ସାରି ପିକ, ଆସିବେ ଏଠାବେ

ବନୁଁ ବନେ ଛନ୍ତି ଯେତେ ।

ଦୁର ମନ୍ଦାକିନୀ ପେଶିବ ନିକର

ସଲିଳ ବିମଳ ଧାରା;

ହିମାଚଳ ଶିରୁଁ ହିମ ଶୁଭ୍ର ଚୂଳ

ଓହ୍ଲାଇ ଆସିବ ପରା ।

ମହୋଦଧି ବକ୍ଷେ ପେନିଳ ଲହରୀ

ଦେବ ତା ସଙ୍ଗୀତ ପେଷି,

କୁରଙ୍ଗ କେଶରୀ ସୋଦର ସୋହାଗେ

ସୁଖେ ବିହରିବେ ହସି ।

ଏତହୁଁ ବଳି କି ଅଛଇ ସମ୍ପଦ

କନକ ରଜତ ବାସେ,

ଯାହା ଲାଗି, ପିକ, ଭାଳୁଛୁ ହୃଦେ ତୁ,

କରଜି ଯିବୁ ସେ ଦେଶେ ?

ରହ ଏଥି ରହ, ବନର କୋଇଲି,

ପୁଲକେ ପରାଣ ନିହି;

ଏ ସରିକି ଆଉ ଅବନୀ ଆକାଶେ

ତୋ ଲାଗି ରଖିଛି ବିହି ?’’

‘‘ଯାଇ ନାହିଁ ଯେବେ ଯିବାର ଥିଲା ମୋ

ମୃକତ ମୋହନ ପଅ;

ଏ ତରୁ ଶାଖାଟି ଲୋଡ଼ି ତ ଆସିଛି

ମୁଁ ଦୁର ଅପରିଚିତ ।

ହାତେ ଧରି ଯେବେ ସୁବର୍ଣ୍ଣ ପିଞ୍ଜର

ନୃପତି ତନୟ ମଣି ।

ରାଇଲେଁ ଆଦରେ, ଏଡ଼ି ସେ ସୋହାଗ,

ଆଶ୍ରିଛି ଏ ବନଭୂମି ।

ଏ ତରୁଟି ବିନେ ନଜାଣେ ଆନ ମୁଁ,

ନିବସି ନିରତେ ଏଥି,

ମରୁରୁ ମରୁ ସେ ହେଉ ବନ ଦେଶ,

ବିକଟୁ ବିକଟ ଅତି ।

ନ ବହୁ ସମୀର, ଗୁଣୁ ଗୁଣୁ ଅଳି

ବିସୋରୁ ଗୁଞ୍ଜିବା ତାର,

ରବି ଶଶି ତାରା ଲୁଚନ୍ତୁ ଗଗନେ,

କି ତହିଁ ଅଛଇ ମୋର ?

ଏ ତରୁ ଶାଖାଟି ମୋ ବିଶ୍ୱ ସାରା ହେ,

ମୋ ଜୀବ ଜୀବନ୍ତ ନିଧି,

ଯେତେଦିନ ଏଥି ଗାଉଥିବି ବସି

ଲକ୍ଷ୍ୟ ମୁଁ ପାରିବି ସାଧି ।

ସହିବି ବରଷା, ପବନ ପ୍ରବାହ,

ତପନ ତପତ ତେଜ;

ବରି ଯା ଜୀବନେ ନେଇଛି ବାରେ କି,

ତା ତହୁଁ ବଳି କି ନିଜ ?

ଡାଳୁ ଡାଳେ ଉଡି ପତ୍ର ଗହଳେ ଟି

କୋଇଲି ଉଷତ ସିନା,

କନକ ଭୂଷଣେ କିବା ଅଛି ତାର

ବିହଗ ପରାଣ ଘେନା ?

Image

 

ଜାଗର

 

କେତେ କାଳ ଅବିରଳ ବସିଲିଣି ଚାହିଁ,

ନୟନେ ପଲକେ ହେଲେ ନିଦ ଆସେ ନାହିଁ ।

ଜଳି ସରିଲାଣି ଏବେ ଦୀପର ତଇଳ,

ନିଭିଯିବ, ହୋଇଯିବ ସକଳ ଅନ୍ଧାର ।

ଯାରେ ମୁଁ ଅନାଇ ଏଥି ବସିଲି ରାତିଏ,

ଛାୟା ତାର ଆସିବାରେ ନାହିଁ ଦେଖାଦିଏ ।

ଶୋଇଥାନ୍ତି ଯେବେ ଆହା ମନ ବିନୋଦନେ,

ଦେଖିଥାନ୍ତି କେତେ ଗୁରୁ ସ୍ୱପନ ଶୟନେ ।

ତହିଁ ମଧ୍ୟ ଆସି ପୁଣି ଖେଳିଥାନ୍ତା କେତେ,

ଯାରେ ମୁଁ ଲୋଡ଼ଇ ତାର ପ୍ରତିମା ନିରତେ ।

ଶୟନେ କି ସପନେ ତା ନୋହିଲା ନିକର,

ନିଭିଯିବ ଏହିକ୍ଷଣି ରାତିକ ଜାଗର ।

ଏହିକ୍ଷଣି ଭାଙ୍ଗିଯିବ କାଳି ଅନ୍ଧାରିଆ,

ଭଡ଼ି ନଭେ ରାବ ଦେବେ କୁଆ, କୁମ୍ଭାଟୁଆ,

ଦିବସ ଆଲୋକ ଘୋଟି ଆସିବ ତୁରିତେ ।

ଜାଗର ନିଭାଇ ଲୋକେ ଯିବେ ଯେ ଯା ପଥେ;

ମୁହଁ ଆହା କି କରିବି, ଯିବେ ଅବା କାହିଁ,

ମୋ ଜାଗର ବ୍ରତ ଲବେ ପୂରିଲା ତ ନାହିଁ !

ରାତିକର ଶୋଇବାରେ, ରାତିକ ଜାଗରେ

କି ଲୋଡ଼ା ଜଗତେ ପୁଣି, କି ଫଳ ବା ଫଳେ

ସପନ ପ୍ରତିମା ଆସି କରେ ପରିହାସ,

କ୍ଷଣୁ କ୍ଷଣେ ଫେଇ କେତେ ବିଲୟ ବିକାଶ;

ରାତିକି ଜାଗର ପୁଣି ନିଭେ ଅଯତନେ,

ଜୀବନର ନିସ୍ତରଙ୍ଗ ଅନନ୍ତ ଶୟନେ ।

କି କରିବି, କାହିଁ ଯିବି ? ନପାରେ ମୁଁ ଭାଳି;

ଜୀବନୁ ଅଧେ ମୋ ଆହା ମିଛେ ଗଲା ଚାଲି !

Image

 

ଯାଚି କି ପାରିବି ? *

 

ଘେନ ଏ ସୁମନ ମାଳାଟିକି ଗଳେ,

ସେନେହେ ପତାଇ ଶିର;

କିଦେବି କବି ହେ, ନ ଜାଣେ କିଞ୍ଚିତେ

ତବ ଯୋଗ୍ୟ ଉପହାର ।

ଜନମ ଭୂମିର କୀରତି ସ୍ୱଗୁଣେ

ରଖିଛି ଯତନେ ଟେକି;

ନିଜ ବେନି କରେ ମଣ୍ଡିଛି କୁଶଳେ

କନକ ଚିତ୍ରଣ ଲେଖି ।

‘ମାମୁ’, ‘ଉପହାର’, ‘ଧୂଳି’, ‘ପୁଷ୍ପମାଳା’,

‘ଛଅ ମାଣ ଆଠଗୁଣ୍ଠ’-

ଆଜି ଯେତେ ଯେତେ ବିରଚି ପାରନ୍ତି

ଏ ମରତେ ବଇକୁଣ୍ଠ;

ତାହାରି ରଚକ ଉତ୍କଳ ମଣ୍ଡପେ

ଦୋସର ବାଲ୍ମୀକି ଆଜି,

ବଳଙ୍ଗ ପୁଲିନେ କରୁଛ ବିହାର,

ସରଗ ସମ୍ପଦ ରାଜି ।

ଶଇଳ ସାଗର ଯୁଗଳ ଅଧିରେ

ଖେଳେ ଯେ ମୋହନ ଗୀତ,

ତହିଁ ମଧ୍ୟେ କବି ଦେଇଅଛି ଢାଳି

ଆପଣା ତ୍ରଦିବ ସ୍ଥିତି ।

ନିଜ କୁଞ୍ଜବନେ ବିହରି ପୁଲକେ,

ହେରୁଛ କନକ ଫୁଲ,

ହୃଦ ଉପବନୁ ନବ ଫୁଲ ନିତି

କରି ଅନୁରାଗେ ଠୁଳ ।

ଉତ୍କଳ କମଳା ବିଳାସ ଭଣ୍ଡାରେ

ଥାପିଛ ଯେ ନିଧିମାନ;

ଯୁଗେ ଯୁଗେ, କବି, ସୁମରୁ ଥିବେ ହେ

ତବ ଏ ମହୀୟ ନାମ,

ମହେନ୍ଦ୍ର ମନ୍ଦଚ ଚାରୁ ମେଘାସନ,

ଋଷିକୁଲ୍ୟା ମହାନଦୀ,

ସୋଲରି ଭାଲେରି ବେଢ଼ଣେ ଚିଲିକା

ମୃଦୁ ମନ୍ଦ୍ର ମହୋଦଧି;

ଗୋଟି ଗୋଟି ଯେତେ ପରାଣ ସମ୍ପଦ

ସରଗ ସୁଷମା ବଳି,

ସ୍ମରି ହେଉଥିବେ ଜୀବନ ଅୟନେ,

କାଳ ପାରାବାରେ ଚାଲି ।

ତୁଳିନାହିଁ ତବ ମହତ୍ୱ ସାଳିଆ,

କଳିନାହିଁ ଘଣ୍ଟଶିଳା,

ତେଣୁ ତୁମ କଥା ବିସୋରି ପାରନ୍ତି

ଅନୁସରି ଭବଲୀଳା

ଏ ମହୀ ଉତ୍କଳ ଜାତି ଜୀବନେ ବା

କି କ୍ଷୁଦ୍ର ରେଣୁଟି ମୁହଁ;

କି ଭଳି, କବି ହେ, ହୃଦ ଉପହାର

ଚରଣେ ପାରିବି ଥୋଇ ?

ଅମର ଆଶିଷୁଁ କଣିକା ମାତର

ବରଷି ଦିଅ ମୋ ଶିରେ-

ତୁମ ଭଳି ସୁଖେ ପାରିବି ବିହରି

ଏ ପ୍ରିୟ ଜନନୀ କୋଳେ ।

ଜନନୀ କି, କବି, ଡାକ ମୁଁ ପାରିବି

ସନ୍ତାନ ସେନେହେ ଭାଷେ;

ତା ଧୂଳିରେ ଢାଳି ଦେବି ଏ ଶୋଣିତ

ହୃଦ ପୁଲକିତ ହାସେ;

ଉତ୍କଳ ମାତାର କୋଟିଏ ସନ୍ତାନ

ଗୋଟିଏ ପରାଣ ଧରି,

ନଦୀ ଗିରି ବନୁ ଅତୁଳ ସମ୍ପଦ

ଆଣିବେ ଆବର ବରି ।

ଏ ଗୋଟି ପରାଣ ପୁଣ୍ୟ ପିତା ଆହେ,

ନନ୍ଦନେ ରହିଛ ବସି;

ଯାଚି କି ପାରିବି ? ଘେନ ଏ ମାଳାଟି,

ତୁମରି ସମ୍ପଦେ ରଚି ।

 

*

କବି କଲିକତାରେ ପଢ଼ୁଥିବା ସମୟରେ ସେଠାରେ ଓଡ଼ିଆ ଛାତ୍ରମାନେ ଦିନେ ବ୍ୟାସକବି ଫକିରମୋହନଙ୍କୁ ଅଭିନନ୍ଦନ କରିଥିଲେ । ବ୍ୟାସକବିଙ୍କ ଘରେ ବାଲେଶ୍ୱର ସହରରେ, ଏକ ଫୁଲ ବଗିଚା ମଧ୍ୟରେ । ବାଲେଶ୍ୱରର ପାଖକେ ସମୁଦ୍ର ଓ ଅନ୍ୟ ପାଖରେ ଅରଣ୍ୟାନୀମୟ ଅଭେଦ୍ୟ ପର୍ବତମାଳା । ବାଲେଶ୍ୱର ସହର ବଳଙ୍ଗନଦୀ କୂଳରେ । ସାଳିଆ ନଦୀ ଓ ଘଣ୍ଟଶିଳା ପାହାଡ କବିଙ୍କ ଜନ୍ମସ୍ଥାନ ବାଣପୁରରେ । ବ୍ୟାସ କବି ବାଣପୁର ଯାଇ ନଥିଲେ । ତେଣୁ ସାଳିଆ ଓ ଘଣ୍ଟଶିଳା ତାଙ୍କ ମହତ୍ତ୍ୱ ଉପଲବ୍‌ଧ କରିବାର ସୁଯୋଗ ପାଇ ନଥିଲେ, କିମ୍ବା ବାଣପୁରବାସୀ କବିତା ଚର୍ଚ୍ଚା କରୁ ନଥିବା ଯୋଗେ ତାହା ଘଟି ପାରିଥାଏ ।

Image

 

ର୍ନିଜ

 

ପାହାନ୍ତିରୁ ଉଠି କୁଆ ରାବିବାର ଆଗେ,

କୁଆତାରା ନ ଉଉଁଣୁ ଉଷାର ସରାଗେ,

ଦେଉଳର ଘଣ୍ଟାରୋଳ ନ ଥାଆନ୍ତା ବାଜି,

ନ ଥାଆନ୍ତା ବାଟୋଇର ଶ୍ରମ ନିଦ୍ରା ଭାଜି,

ବୋହୂମାନେ ଘାଟେ ଆସି ନ ଥାନ୍ତେ ଗାଧୋଇ,

ତରୁଲତା ବିମୋହନ ରହିଥାନ୍ତେ ଶୋଇ,

ବିନ୍ଦୁ ବିନ୍ଦୁ ଅଯତନେ ପଡ଼ିଥାନ୍ତା ଝରି,

ଯାମିନୀ ଦିବସ ମେନେ ମଧୁ ଅଶ୍ରୁବାରି,

ଗଛ ପତ୍ରୁ ପାହାନ୍ତିର କାକର ବରଷା,

ଗଛ ପତ୍ରେ ନିଧି ସେ ଯେ ସୁଖ ଦୁଃଖ ମିଶା ।

ସେତେବେଳେ ଉଠି ମୁହଁ ପଖାଳି ଶରୀର,

ଫେରି ଆସିଥାନ୍ତି, ପାଦ ବେଗେ ତର ତର ।

ପାହାନ୍ତି ଶୀତଳ ସୁଧା ଜୀବନ୍ତ ପବନେ

କହିଥାନ୍ତି ମନ କଥା ମଧୁ ଆଳାପନେ ।

ଛୁରିଅନା କୁଞ୍ଜେ ବୁଲି, ତମାଳର କୋଳେ,

ଗାଇଥାନ୍ତି ହୃଦ ଗୀତ ମୃଦୁ ମନ୍ଦ୍ର ରୋଳେ ।

ନୟନ ନିମିଷେ ମୋର ଅତୀତଟି ଆଣି,

ଦୀର୍ଘଶ୍ୱାସେ ଦେଇଥାନ୍ତି ସରସେ ମେଲାଣି

ଭାବି ଜୀବନର ସ୍ୱପ୍ନ ଭାଳି ଅବହେଳେ,

ପ୍ରଣମି ଥାଆନ୍ତି ପ୍ରେମେ ବିଭୁ ଶ୍ରୀପୟରେ ।

ନ ହେଲା ନ ହେଲା; ଆଜି ଦିନଟି ବିଫଳ,

ଏ ଯେ ସୂର୍ଯ୍ୟ ଉଇଁଲାଣି ବହୁତ ଉଛର ।

କାହିଁଗଲା, ବନ୍ଧୁ ଆଜି ନଦେଲ ଉଠାଇ,

ଶୟନେ ମୋ ବ୍ରତ କଥା ମନେ ମୋର ନାହିଁ ।

ମୋ ନିଜକୁ ନିରନ୍ତର ଯାଏ ମୁଁ ପାସୋରି,

ଚାଲିଲା ବେଳକୁ ଠିଆ ହୁଏ ଥକା ମାରି ।

ଚାଲେ ପୁଣି ଯେବେ ମୋର ଠିଆ ହେବା ବେଳ,

ମୋ ନିଜ ପରାଣ ମୋତେ ଅତି ଅସମ୍ଭାଳ ।

ଏକା ମୁହିଁ ଏ ସଂସାରେ ପାରିବି କି ରହି,

ଏ ଜୀବନ ଭାରା ମୁଣ୍ଡେ ଏକାକୀ ଟି ବହି ?

ତୁମେ ଯେବେ ପାଖେ ପାଖେ ଜଗିଥିବ ମୋର,

ବ୍ୟର୍ଥ ଯିବା କେତେ ନିଧି ପାଇବି ଆବର ।

ଏକାକୀ ଏ ପ୍ରାଣ ଉଷା ତୁଷରୁ ମୋ ହୀନ,

ବିଶ୍ୱ ବିସାରଣେ କାହିଁ ହୋଇଯିବ ଲୀନ ।

ସେତେବେଳେ ଖୋଜି ଖୋଜି, ଏଣେ ତେଣେ ଧାଇଁ

ମୋ ନିଜ ଟିକକ ମୁହିଁ ନପାରିବି ପାଇ ।

ଭାଳୁଥିବି ଦେଲି କିପାଁ । ଅକାଳେ ମେଲାଣି,

କିପାଁ ନ ଦେଖିଲି ନିତି ପାଶେ ମୋର ଆଣି ।

ନଯାଅ ନଯାଅ, ବନ୍ଧୁ, ଛାଡ଼ି ମୋତେ କ୍ଷଣେ,

ମୋ ନିଜ ବଳି ହେ ନିଜ, ତୁମେ ମୋର ଜଣେ ।

Image

 

ପାଦତଳେ

 

ଧୀରେ ସନ ସନେ ଆସଇ ସମୀର

କାନନେ ପ୍ରାନ୍ତରେ ବହି,

ଉପବନେ ଯାଏ ତରୁଲତା ଅଙ୍ଗ

ମଧୁର ପରଶେ ଛୁଇଁ ।

କେତେ ଶ୍ୟାମ ଶୋହା ମୃଦୁ ବୀଚି ମେଳେ

ପରାଣ ସୋହାଗେ ଢାଳି,

ଡାଳେ ଡାଳେ ଆହା ପଲ୍ଲବ ନିକର

କରନ୍ତି କେସନ କେଳି !

କୁସୁମ କେଶର ମଧୁ ଆହରଣେ

ଭ୍ରମର ପୀୟୁଷପାୟୀ,

ଢଳି ଢଳି ଖେଳେ, ପରାଣ ବାରତା

ଗୁଣୁ ଗୁଣୁ ଗୁଣୁ ଗାଇ ।

ଆଶା ଅଛି, ଦିନେ ବସନ୍ତ ରସିକ

ପିକ ବସି ସେ ଗହଳେ,

ସରଗ ବିପଞ୍ଚୀ ସୁଧା କଣ୍ଠ ଧାରା

ଢାଳିଦେବ ମହୀତଳେ ।

ତୁହି, ରେ ଅଭାଗା ସେ ପୁଣ୍ୟ ମେଳାପେ

ବିହରି ସରଗ ତେଜେ,

ନିମିଷେ ଆବର ମୁରୁଛି ସକଳ

ପଡ଼ିଲୁ ଏ ଧୂଳି ଶେଯେ ।

ତରୁ ଡାଳେ ତୋତେ ସେନେହ ସଙ୍କୋଚେ

ଧୀରେ ପରଶନ୍ତି ଯାଇ

ଧୂଳି ଶେଯେ ଏବେ ପାଦ ତଳେ ଆହା

ମାଡ଼ି ହେଳେ ଯିବ ମୁହିଁ ।

ପଡ଼ିଅଛୁ ଯେବେ ତରୁଡାଳେ ଢଳି

ସୁଖେ ତୋ ଖେଳିବା ତେଜି,

ତଳୁ ତଳେ, ଫୁଲ, ପଡ଼ ରେ ଆହୁରି

ଏ ଧୂଳି ଶେଯ ବରଜି ।

ସେ ସଖା ମେଳାପେ ସୁଖେ ଖେଳିବାର

ହେଲାନାହିଁ ଯେବେ ଆଉ,

ଏ ମର ସଂସାରୁ ଚିର ଲାଗି ଆଜି

ଲୁଚି ତୋ ସ୍ୱରୂପ ଯାଉ ।

Image

 

ଏକାନ୍ତେ

 

ଏକାନ୍ତେ ବସିଛି ନାରୀ ବନସ୍ତ ଭିତର,

ନୟନୁ ଲୋତକଧାରା ବହେ ଝରଝର;

କେବେ କେବେ ପଦେ ଅଧେ କହୁଅଛି କଥା,

ବାକି ଯାକ କରେ ପୂର୍ଣ୍ଣ ତାର ନୀରବତା ।

ମୁଁ ପୁଣି ଏକାକୀ ପାନ୍ଥ ସୁଦୂର ବନସ୍ତେ,

ସାହା ସାଥି ଲୋଡେ ମୋର ସେ ବିଜନ ପଥେ ।

ଏକେ ମୁହିଁ ବାଟ ବଣା, ଆକୁଳ ଦୋସର,

କାହିଁ ଯାଏ, କି ଧିଆନେ, ନୁହଇ ଗୋଚର ।

ଦେଖିଲି ଏକାନ୍ତେ ବସି କାନ୍ଦଇ ରମଣୀ;

କ୍ରନ୍ଦନୁ ଅଧିକ ତାର ନୀରବ ଚାହାଣୀ ।

ଲୋତକେ ଲୋତକ ଝରି ତିନ୍ତିଲା ନୟନ;

ମନର ବେଦନା ହେଲେ ବୁଝିବ କି ମନ ?

ରମଣୀ ଭାଳଇ ବସି ଆକୁଳ ପରାଣେ,

ଅନାଇଁ ମୁଁ ରହିଥାଏ ତାପିତ ଧିଆନେ ।

କେହି ନ ବୁଝଇ ହେଲେ କାହା ହୃଦ ପ୍ରାସ,

ବେନି ଜନ ନେତ୍ରୁ ଯାଏ ବହି ଅଶ୍ରୁ ଶ୍ୱାସ ।

କେତେବେଳେ ପରାଣୁ ମୋ ଅତି ଅତର୍କିତେ,

ବହି ଚୋରା ଦୀର୍ଘଶ୍ୱାସ ଗଲାଟି ତୁରିତେ ।

କି ବୁଝିଲା ନାରୀ ତହୁଁ ନ ପାରିଲି କଳି

ଦେଖିଲି, ବଦଳେ ରଙ୍ଗ ପିହୁଳାରୁ ବଳି ।

ନେତ୍ରଯୁଗେ ଆସିଗଲା ଜ୍ୟୋତି ଆକଳନ,

ହୃଦୟେ ହରଷଧାରା ଖେଳେ ଘନ ଘନ ।

ବିସ୍ମିତ ବଦନେ ମୋର ଅନାଇ ସେ ବାରେ,

ଫେରି ତହୁଁ ଲୁଚିଗଲା ବିପିନ ଉଢ଼ାଳେ ।

ଖୋଜି ନାହିଁ, ଖୋଜିଥିଲେ ନଥାନ୍ତି ମୁଁ ପାଇ;

ସତେ ନିଶ୍ଚେ ରହିଥିବ ବହୁଦୂରେ ଯାଇ ।

ଗମ୍ଭୀର ବଦନେ ମୁହିଁ ହେଲି ମାତ୍ର ଠିଆ,

ବିଚ୍ଛେଦ ସେ ସିନା, ମୋର ପୂରିଗଲା ହିଆ ।

ଦିନେ ଭ୍ରମେ ସାଙ୍ଗେ ଛାଡ଼ି ଭୀଷଣ ଏକାକୀ,

ଭ୍ରମି ଭ୍ରମି ବହୁପଥ ପାଦ ଯାଏ ଥକି ।

ଆଉ ଖଣ୍ଡେ ଦୂର ଚାଲି ଦେଖଇ ନିୟତ,

ଶ୍ୟାମଳ ପ୍ରାନ୍ତର ଶୋଭା ତଟିନୀ ସୈକତ ।

ଜଳ ବେଣୁତାନେ ମିଶି ତୀର ତରୁସ୍ୱନ,

କି ସୁଧା ସଙ୍ଗୀତେ ଭରେ ବସୁଧା ଗଗନ,

କନକ କୁସୁମ, ଚାହିଁ ପଲ୍ଲବ ଗହଣେ,

ଦେଖଇ ବଦନ ଶୋଭା ସଲିଳ ଦର୍ପଣେ ।

ସେ ମେଳେ ଉଦାସ ମନେ ଧୀରେ ବୁଲିବାର,

ପରିଚିତ ସେ ନାରୀଟି ଭେଟିଲି ଆବର ।

କାନନ ନିକୁଞ୍ଜ ଶୋଭା କୁସୁମ ମାଧୁରୀ

ଖେଳେ ନେତ୍ରେ ତାର ଚାରୁ ପ୍ରତିଫଳ ଢଳି,

କେଶର ପରାଗ ସୁଧା ସୁବାସେ ଧଉତ

ସମୀରେ ଉଛୁଳି ଉଠେ ସୀମନ୍ତିନୀ ଚିତ୍ତ ।

ଅନାଇଁ ରହିଲି ମୁହିଁ ନୀରବ ଧିଆନେ,

ସେ ନାରୀ ନିସର୍ଗ କ୍ରୀଡ଼ା ସମ୍ପାଦି ପରାଣେ ।

ସେତିକି ମୋ ଦେଖା ନାରୀ ସଙ୍ଗତେ ସେଦିନ;

ଆଉ ଥରେ ଭେଟ ଭବେ ନୋହିବ ଯେସନ ।

ମୋ ଜୀବନ ଗଢ଼ା ବିଶ୍ୱ ଦୁଃଖ ଦୀନତାରେ,

ମୋ ତରୀ ଭାସଇ ଭବ ଦୁଃଖ ପାରାବାରେ ।

ସେହି ମୋ ସମ୍ପଦ, ସେ ମୋ ଦୃଦ ସ୍ପର୍ଶ ମଣି;

ତହିଁ ମୁଁ ହୋଇଛି ପରା କୁବେରରୁ ଧନୀ ।

ସେ ଧନର ନାହିଁ ଲବେ ପାର୍ଥିବ ଗୁରୁତା,

ସେ ଧନେ ନୁହେଁ ମୁଁ ତିଳେ ଧରା ସହ ଗୁନ୍ଥା

ଜଗତ ଯାବତ ଦୁଃଖ ବହି ହୃଦ ପୀଠେ,

ତେଣୁ ମୁଁ ପାରଇ ଉଡ଼ି ବିହଗ ସହିତେ ।

ହୃଦୁ ହୃଦନିଧି ପଛେ ପଡ଼ିଯିବ ଖସି,

ପରାଣେ କନକ ଭାରା କେ କହିବ ହସି ?

କେ ସହିବ ସେନେହର ହୃଦ ନିଯାତନ,

ବିଜନ ସମ୍ଭୋଗେ ବିତି ପାରିଲେ ଜୀବନ ?

Image

 

କିଶୋର କବି

 

ଆପଣା କବିତା ପାଠେ ମୁଗ୍‌ଧ କବିବର

ପୁଛନ୍ତି ବିଷାଦ କୋପେ ଅତି ଜର ଜର-

‘‘ହୃଦ କି କରିଛ, ସଖା, ପାଷାଣୁ ନୀରସ,

ନିତି ମୋ କବିତା ପଢ଼ି ବାଛୁଥାଅ ଦୋଷ ?’’

ସେନେହେ ବିନୟେ ସଖା କରଇ ଉତ୍ତର,-

‘‘ମୋ କଥାରେ ମିଛେ ଏତେ ଭାବନା ତୁମର

କବିତା ନାହିଁ ମୁଁ ବୁଝେ; ଜାଣିଥିବ ସତ,

ମୁଁ ଯାହା କହଇ ଖାଲି ଅପରଙ୍କ ମତ ।’’

Image

 

ରଖିଥିବ ଚିତ୍ତେ

 

ପରାଣ ସୋଦର ଆହେ, ହୃଦୟ ପ୍ରତିମା,

ଜୀବନେ ମୋ ଚିରନ୍ତନ ଅଳି-

କରମ ବିରାମେ ନିତି, ଦୁଃଖ ବଇଭବେ

ହୃଦ କୋଣେ ରଖିଥିବ ଧରି ।

କିଅଛି ମରତେ ମୋର ସୋହାଗ ସମ୍ପଦ

ଯାହା ତୁମେ ଦେଇନାହିଁ ମୋରେ ?

ରୋଗ ଶୋକ ପରିତାପେ ନିର୍ନିଦ୍ର ନୟନେ

ବାନ୍ଧିଛି ହେ ପ୍ରୀତି ସୁଧା ଡୋରେ ।

ଜୀବନ କଳୁଷ ପଙ୍କୁ ତାରିଛ ଯତନେ,

ଢାଳି ହୃଦ ପୀୟୁଷ ଆସାର;

ଆପଦ ଆତଙ୍କେ ସଦା ହୋଇଅଛ ସାଥି

ସନ୍ତରଣେ ଭବ ପାରାବାର ।

କେତେ ଦିନ କେତେମନ୍ତେ ନିଶୀଥ ବିହାରେ

ତୁମ ସଙ୍ଗେ ବସିଛି ଧିଆନେ;

କେତେ ସୁଖ ଦୁଃଖ ସ୍ମୃତି ଜଡ଼ିତ, ସୋଦର,

ତୁମ ମୋର ଯୁଗଳ ପରାଣେ ।

ବାଳୁତ ବୟସ କଥା ଯେତେ ଏ ଜୀବନେ

କେତେ ଦୂରେ ରହିଛି ସକଳ;

ତହିଁ ମଧ୍ୟ ଅଯତନେ ଅମର ବିକାଶେ

ତୁମ ସ୍ମୃତି ଖେଳେ ଅବିରଳ ।

ମରଣ ନିଗଡ଼େ ପଡ଼ି ଅବଶେ ବିପାକେ

ଘାରି ଯେବେ ହେଲି ମୁଁ ବିକଳେ,

ଜୀବନ ପରଶ ମଧୁ ସୋହାଗେ ସେଦିନ

ଢାଳି ମୁଖେ ଦେଲ ତ ଚଞ୍ଚଳେ ।

କେତେ କେତେ ସ୍ମୃତି ମଧ୍ୟ ଏ କଥା ଗୋଟିକ

ହୃଦେ ମୋର ରହିଛି ଅଙ୍କିତ,

ଜୀବନେ ମରଣେ କେବେ ପାରିବ ବିସୋରି,

କି ସମ୍ପଦେ କରିବି ପାଲଟ ?

ଅନୁଜ ସେନେହ ଭରେ ହୃଦ ପୀଠ ନେଇ,

ଅଗ୍ରଜ ହେ, ରଖିଛ ଆଗ୍ରହେ;

ଏତେ ସୁଖ ସଉରଭ ଦୟାର ପାତର

ହେଲି ସିନା ତୁମ ଅନୁଗ୍ରହେ ।

ଜୀବନ ଯୌବନ କ୍ରୀଡ଼ା ସମ୍ପାଦି ପୁଲକେ,

ଆଜି ଏବେ କରମ ନିଦେଶେ,

ସାଧନା ବେଦୀରେ ବେନି ଚରଣ ନିବେଶି,

ମିଶାମିଶି କୋମଳ ପରଶେ ।

ସେନେହ ସୋଦର ବାଣୀ ସୁଖେ ଅନୁସରି,

ନିତି ଦିନ ଭ୍ରମିଛି ଯେ ପଥେ,

ଆଜି ମଧ୍ୟ ସେହିଠାବେ ରହିଛି ଅନାଇ;

ଅଗ୍ରଜ ହେ, ରଖିଥିବ ଚିତ୍ତେ ।

Image

 

ନୁହେ ଯେବେ ସଭ୍ୟ ପରିବାର *

 

ନବ ରାଜଧାନୀ ଏବେ ପ୍ରାସାଦେ ଶୋଭନ

ଇତିହାସ ଗର୍ଭେ ଲୁପ୍ତ ଏକାମ୍ର କାନନ ।

ଉତ୍ସଙ୍ଗେ ଥିଲା ଯେ ତାର ମକା ବାଡ଼ି ଗୋଟି,

ଫଳ ଭାରେ ଗଛ ତଳେ ଯାଉଥିଲେ ଲୋଟି ।

ମକାରେ ଯହୁଁ ମୋ ଥାଏ ଶରଧା କିଞ୍ଚିତେ,

ଯାଇ ତହିଁ ପ୍ରବେଶିଲି ଦିନେ ପ୍ରତ୍ୟାଶିତେ ।

ଭାବିଲି, ନବିକି ଦେଉଥିବେ ତ ମାଗଣା,

ବଡ଼ଘର ଜନ ପରା, ସମୁନ୍ନତମନା ।

ସରମ ନିରୋଧି ମକା ମାଗିଲି ମୁଁ ଏକ;

ନମଣିଲି ତିଳେ, ହାନି ଲଭିବ ମୋ ଟେକ ।

ଥିଲା ଉଭା ନାରୀ, ଶୁଣି କରିଦେଲା ନାହିଁ,

ପଶିଗଲା ସୌଧେ ତ୍ୱରା ବଦନ ବୁଲାଇ ।

ସଙ୍ଗୀ ମୋର ସଙ୍ଗେ ସଙ୍ଗେ କ୍ରୋଧ ଜର ଜର,

କି ଅବା କହନ୍ତେ, ଯେଣୁ ସ୍ୱଭାବେ ମୁଖର ।

ଦ୍ରୁତପଦେ ଘେନି ତାଙ୍କୁ ବାହୁଡ଼ିଲି ପଥେ,

ବିଚାରିଲି କି ଭ୍ରମେ ମୁଁ ପଡ଼ିଗଲି ସତେ ।

ରୂପେ କି ସୁନ୍ଦରୀ ନାରୀ, ବେଶ ଅନୁପମ,

ଦେଖନ୍ତେ ଝଲସେ ନେତ୍ର ତୁଷ୍ଟ ହୁଏ ମନ ।

ଦ୍ୱାରୁ ପଳାଇଲା ଯେହ୍ନେ ଲକ୍ଷ୍ମୀ ରୁଷ୍ଟ ମତି,

ନ ଗଣିଲା ହୃଦେ ମୋର କି ହୋଇବ ଗତି ।

ବାଇଶ ବରଷ ତଳ ସ୍ମୃତି ମୋ ଅନ୍ତରେ,

ଡେଇଁ ଖରେ ଆସି କାହୁଁ ନାଚିଗଲା ଥରେ ।

ସୁଦୂର ପ୍ରବାସେ ରାଞ୍ଚି ନଗରୀ ଉପାନ୍ତେ,

ତିନି ସଙ୍ଗୀ ସହ ଦିନେ ବୁଲୁଥିଲି ପ୍ରାତେ ।

ଶରତ ପ୍ରଭାତ ଶୋଭା ଫୁଟି ଚଉପାଶେ,

ସ୍ୱରଗ ସମ୍ପଦ ଢଳେ ଅବନୀ ଆକାଶେ ।

ବାଟେ ଏକ ମକା ଖେତ ଫୁଲ ଫଳେ ଭରା,

ତା ଶ୍ରେଷ୍ଠ ସମ୍ଭାର ସତେ ବାଢ଼ିଅଛି ଧରା ।

ଓରାଙ୍ଗ ଯୁବତୀ ଗୋଟି, ଏକା ତହିଁ ବସି,

ସୂତା ହାତେ କାଟେ, ଗୀତ ଗାଉଅଛି ହସି ।

ସେ ଶରତ ଶିରୀ ମଧ୍ୟେ ସେ କି ଏକ ଶିରୀ,

ବିଭବେ ଟପଇ ସାରା ବନ ନଦୀ ଗିରି ।

ଚାରି ସଙ୍ଗୀ ଯାଇ ମକା ମାଗିବାରେ ତାକୁ,

ଦେଲା ଅନୁମତି ତ୍ୱରା ନିଜେ ତୋଳିବାକୁ ।

କହି, ତା କାମେ ସେ ପୁଣି ଲାଗିଲା ଉଦାସେ;

ନ ଚାହିଁଲା ଖେତ କେତେ ଜୂର ହୁଏ ପାଶେ ।

ଚାରି ସଙ୍ଗୀ ଦଣ୍ଡ କେତେ ବୁଲି ଦେଖି ଖେତ,

ପ୍ରକୃତି ପ୍ରଦତ୍ତ ଧନେ ପୂର୍ଣ୍ଣ କଲୁ ନେତ୍ର ।

ଶେଷେ ଏକ ମକା ଧରି ଫେରନ୍ତେ ବାହାରେ,

କି ଭାବିଲା ଯୁବତୀ ସେ ଅନାଇଲା ଢାଳେ ।

ଆମ ଧନ୍ୟବାଦ ବାଣୀ କି ଶୁଣିବ କାନେ;

ହସି ହସି ଗଡ଼ିଗଲା, ତା ହେତୁ ସେ ଜାଣେ ।

ଚକିତେ ଚାହିଁଛୁ ଆମେ ଉଭା ଚାରି ସଙ୍ଗୀ,

କି ବୁଝିବୁ ସେ ଓରାଙ୍ଗ ଯୁବତୀର ଭଙ୍ଗୀ ?

ହସ ଶେଷେ ରୋଧି, ବାଳା କହେ ମୁଖେ ବାଣୀ,

‘‘ଚାରିଟା ମରଦେ ଏକ ମକା ଅଛ ଆଣି !

ଏ ମୋ ନିଜ ଖେତ, ଘର ଖେତରୁ ଅଲଗା,

ମୁଁ ହାତେ କମଣ ୟାର କରେ, ରଖା ଜଗା ।

ଜଣକେ ପଣେ ବା ନେଲେ କି ହୁଅନ୍ତା ଦୋଷ,

ଗୋଟିକେ ଚାରିହେଁ କେହ୍ନେ ଲଭିଲା ସନ୍ତୋଷ ?’’

କହି, ବାଳା ଆଉଥରେ ହସି ଗଲା ଲୋଟି;

ତୋଳିଆଣି ଦେଲା ବାକି ତିହ୍ନିଙ୍କ ତିନୋଟି ।

ସେଦିନ ଏକାମ୍ର ବନେ ସୁମରି ସେ କଥା,

ଦିନସାରା ଆହା କେତେ ନ ଲଭିଛି ବ୍ୟଥା ।

ପୁନର୍ଜନ୍ମେ ପ୍ରତ୍ୟୟ ମୁଁ ଥାପନ୍ତି ଅନ୍ତରେ,

ମରି ଜନ୍ମ ପାରେ ଯଦି ଆଦିବାସୀ ଘରେ ।

ହେଉ ସେ ଓରାଙ୍ଗ, କନ୍ଧ, ଶବର, ସାନ୍ତାଳ,

କି ବାଛିବି, ନୁହେଁ ଯେବେ ସଭ୍ୟ ପରିବାର

ସଭ୍ୟତା ଗ୍ରାସର ମୋଡ଼ି ମନୁଷ୍ୟତା ବେକ,

ଯେତେ ଉଚ୍ଚେ ଗଢ଼ୁ ମର୍ତ୍ତ୍ୟେ ମାନବ ତା ଟେକ ।

 

*

କବି ୧୯୩୨ ମସିହାରେ ବିହାର ଓଡ଼ିଶା ବ୍ୟବସ୍ଥା ସଭାରେ ଯୋଗ ଦେବାକୁ ରାଞ୍ଚି ଯାଇଥିଲେ । ତାର ଶରତ୍‌କାଳୀନ ବୈଠକ ରାଞ୍ଚିରେ ବସେ । ଶ୍ରୀ ନିକୁଞ୍ଜ କିଶୋର ଦାସ, ଶ୍ରୀ ରାଧା ରଞ୍ଜନ ଦାସ ଓ ଶ୍ରୀ ଜଗନ୍ନାଥ ଦାସ ମଧ୍ୟ ସେ ବ୍ୟବସ୍ଥା ସଭାର ସଭ୍ୟ ଥିଲେ । ସେମାନଙ୍କ ସହିତ କବିଙ୍କର ଗାଢ଼ ବନ୍ଧୁତା ଥିଲା । ଏ ପଦ୍ୟର ତିନି ସଙ୍ଗୀ ସେହିମାନେ ହିଁ ହୋଇଥିବେ । କବି ସେମାନଙ୍କୁ ନିଜ ସରଳ ଢଙ୍ଗରେ କେତେକ ପରିମାଣରେ ପ୍ରଭାବିତ କରି ପାରିଥିଲେ ।

Image

 

ଅଭୟ ଆଶେ *

 

‘‘ଏତିକି ଲାଞ୍ଛନା ଏହି ନିଠୁର ଜଗତେ,

ନାରୀର କପାଳେ ବିହି ଲେଖିଅଛି ସତେ ।’’

କହି, ସୀମନ୍ତିନୀ ନେତ୍ରୁ ଢାଳେ ଅବିରଳ,

ଜାହ୍ନବୀ ବିଶାଳ ଧାରା, ଅବଳା ସମ୍ବଳ ।

ଓଢ଼ଣା ଉଢାଳୁ ଅଳ୍ପ ଦିଶେ ଚନ୍ଦ୍ରମୁଖେ,

ନ ଥାଆନ୍ତା ଛୁଇଁ ଆହା ଏ ପରାଣ ଦୁଃଖ ।

ପାଣ୍ଡୁର କପୋଳ ଭାର ବହିଅଛି ପାଣି,

ସେ କି ନାରୀ, ଅବା ଚିତ୍ର ପିତୁଳା କେଜାଣି ।

ପ୍ରଭାତେ ନ ଉଠୁଁ ଶେଯୁଁ ଶାଶୁ ଭର୍ତ୍ତା ତାର,

ସେ ତ ସାଧି ଲାଗିଥିଲା ଗୃହର ଜଞ୍ଜାଳ ।

ସେଥିପାଇଁ ଫେଇ ଦ୍ୱାର ଆସିଲା ବାଡ଼ିକି

ଲିପି ପୋଛି ସଫା କରି ରଖିବ ସେ ନିକି ।

ନୂଆ ହୋଇ ନବବଧୂ ଆସିଅଛି ଘରେ,

ସମ୍ପଛି ଜୀବନ ଶାଶୁ ଗିରସ୍ତ ପୟରେ ।

ସେ ତ ଲାଗିଥିଲା କାମେ ଢାଳି ମନପ୍ରାଣ,

ଶୁଣିଲା, ଲଳିତ କଣ୍ଠେ ଗାଉଛି କେ ଗାନ ।

ଗାଇ ଚାଲିଯାଏ ପଥେ ଯୁବା ନାଗରିକ,

କଣ୍ଠ ମାଧୁରୀକି ବଳି ରୂପ ତା ଅଧିକ ।

ଠିଆ ହେଲା ତହିଁ ବାଳା ଏକଇ ଧିଆନେ

କହି ଆସେ ଗୀତ ଧାରା ଶୁଣୁଛି ସେ କାନେ ।

କେତେବେଳେ ଆସି ସ୍ୱାମୀ ପ୍ରବେଶିଛି ତାର,

କହିଲା ଗରଜି, ‘‘ନାରି, ଏ କି ତୋ ବେଭାର ?’’

ପ୍ରହାରିଲା ତାକୁ ପରା ପଶୁର ପରାୟେ,

ନାଲି ଚିହ୍ନ ବସିଗଲା ତା ସୁବର୍ଣ୍ଣକାୟେ ।

ରୋଳ ଶୁଣି ଶାଶୁ ଆସି ପ୍ରବେଶିଲା ତହିଁ,

ପ୍ରବୋଧନା ଦେବ ଅବା ‘ଆହା ଆହା’ କହି ।

ସେତ କଲା ବିପରୀତ, ନୁହଁ କି ସେ ନାରୀ,

ପୁଅଠୁ ଦିଗୁଣ ବଳି ଦେଲା ମାଡ଼ ଗାଳି ।

ତଳେ ପଡ଼ିଗଲା ବାଳା ତିନ୍ତେ ଧୂଳି ଲୁହେ,

ଗଛଡାଳ ଚମ୍ପାଫୁଲ ଲୋଟେ କି କାଦୁଏ ?

ମାରି ପୁଅ ମାଆ ଯେବେ ଥକିଗଲେ ଅତି,

କହିଲେ, ‘‘ଯା ଚଣ୍ଡାଳୁଣି, ସେ ଚଣ୍ଡାଳ କତି ।’’

କହି ହାର କିଳି ବେନି ପଶିଲେ ଆବାସେ,

ବସିଲା ବିଷାଦେ ବଧୂ ବାଡ଼ିକୂଅ ପାଶେ ।

କେତେ ସେ କାନ୍ଦିଲା ଥିବ ସେହୁ ଏକା ଜାଣି,

ପାଣ୍ଡୁର କପୋଳ ଭାର ବହିଅଛି ପାଣି ।

ବିଚାରୁଛି, ‘‘ଏ ମର୍ତ୍ତ୍ୟେ ତ ନାହିଁ ମୋ ଆଶ୍ରୟ,

କୂଅ ମଧ୍ୟ ଗଙ୍ଗାଦେବୀ ଦେବେ ବା ଅଭୟ ।’’

 

*

୧୯୫୧ ମସିହାରେ କବି ନିଜ ନିର୍ବାଚନମଣ୍ଡଳୀରେ ଭୋଟପ୍ରଚାର ପାଇଁ ବୁଲିବା ସମୟରେ ଏହା ଘଟିଥିଲା । କବିଙ୍କ ଆଶ୍ୱାସନା ଫଳରେ ନାରୀ ଗଙ୍ଗାଦେବୀଙ୍କର ଆଶ୍ରୟ ନେଇ ନଥିଲା ଓ ସ୍ୱାମୀ ସ୍ତ୍ରୀ ମିଳିମିଶି ରହିଥିଲେ ।

Image

 

ପିଞ୍ଜରାବଦ୍ଧ ପିକ *

ଯୁଗକ ଅନ୍ତରେ ପୁଣି ବାଣୀ ବିମୋହନ,

ଶୁଣିଲୁ ନିମିଷ ସ୍ପର୍ଶେ, ଚପଳା ଯେସନ ।

ଜନତା ନିନାଦ ଭେଦି, ଏ ପୁର ପ୍ରବାସେ,

କାହା କଣ୍ଠ ସ୍ୱର ଆହା ଭାସି କାହୁ ଆସେ ।

ବନୁ ବନେ ଉଡ଼ି ଉଡ଼ି ଶଇଳୁ ଶଇଳେ; ।

ସରସେ ବରଷିବାର ସୁଧା ଅବହେଳେ ।

ଲୋଡ଼ି ତ ନଥିଲି ଦିନେ ଉଦାସ ପରାଣେ,

ଶୁଣିକି ଶ୍ରବଣେ ବୋଲି ଏ ଶିଳାଭବନେ ।

ଯେବଣ ରାଇଜେ ଯହିଁ ଯାବତ ବେଭାର,

ତହୁଁ ବଳି ମିଳେ କିବା କଣିକା ମାତର ?

କି କାରଣେ ବସି ପିକ ଚରଣ ଶୃଙ୍ଖଳେ,

ପଞ୍ଜୁରି ଭିତରୁ ସୁଧା ଢାଳୁ ଅବହେଳେ ?

ମନେ କି ରଖିଛୁ ଯେତେ ଅତୀତ ବିଭବ-

ଶ୍ୟାମଳ ବିପିନ ଉର୍ଦ୍ଧେ ଶୂନ୍ୟ ନୀଳ ନଭ,

ପଲ୍ଲବ ଗହଳେ ସୁଖେ ଲୁଚି ତରୁ ଡାଳେ,

କଣ୍ଠଧାରା ଡାଳିଦେବା ନିକୁଞ୍ଜ ଉଢ଼ାଳେ ?

ଏତେ ଏତେ ନିଧି ଆଜି କରି ସୁମରଣା,

ପିୟ୍ଜରେ ଗାଉ କି, ପିକ, ପରାଣ ବାସନା ।

ତୁନି ହୁଅ, ତୁନି ହୁଅ, ରେ ପିଞ୍ଜର ବାସି,

ମରୁଛି ନଦିଅ ଚିହ୍ନା ବନ ତରୁରାଶି ।

ଯେ ରାଇଜେ ଉପବନ ଶ୍ୟାମଳ ମୂରତି,

ପରାଣ ପାଟଳ ଖେଳେ, ଢଳଢଳ ଅତି,

ବିମଳ ନିର୍ଝରମାଳା ଧରି ଅପଘନେ,

ବିଶାଳ ଶଇଳ ଯହିଁ ବିହରେ ଗଗନେ,

କଳ ତାନେ ବୁଲି ବୁଲି ମୋହନ ସୋହାଗେ,

ଶରଦ ତଟିନୀ ଯାଏ ବହି ଅନୁରାଗେ;

କନକ କୁସୁମ ପନ୍ତି ବିକଶି ଉଦାସେ,

ଝଡ଼ନ୍ତି ଉଷତେ ଭୂଇଁ ବୁକୁ ପରବାସେ,

ସେ ସରଗ ଦେଶେ ଯେତେ ପିପାସିତ କାନେ,

ଢାଳିବା ଅମୃତ, ଭୁଲି ଉଦାସ ପରାଣେ,

ପିଞ୍ଜରେ ଗାଇବା, ପିକ, ମଣୁ କି ଉଚିତ ?

ତୁନି ହୁଅ, ତୁନି ହୁଅ, ହେଲାଣି ବହୁତ ।

 

*

କଲିକତାରେ କେହି କେହି ଘରେ କୋଇଲି ପୋଷିଥାନ୍ତି ବସନ୍ତୠତୁରେ ସ୍ୱଚ୍ଛନ୍ଦରେ ଉଡ଼ୁଥିବା କୋଇଲିଙ୍କ ପରି ସେମାନେ କୁହୁ ସ୍ୱରରେ ରାବନ୍ତି । ଦିନେ ଦିନେ ବିଜୁଳି ଆଲୋକର ଉଜ୍ଜ୍ୱଳ ରାତିରେ ଦିବସ ଭାବି ମଧ୍ୟ ରାବିପକାନ୍ତି ।

Image

 

ଥକା ମନ ଚାଲ ଯିବା

 

ଖରାଦିନେ ଖରାବେଳେ ବାଟପାଖେ ଏକାଟି,

ରୋଗ ତାପେ ଥର ଥର ଶୋଇଅଛି ବୁଢ଼ାଟି ।

‘ଧର ଧର’, ଡାକୁଅଛି, ‘‘ପ୍ରାଣ ଯାଉଛି ଉଡ଼ି;

ଛାଇ ତଳେ ନେଇ ମୋରେ ଦିଅ ତୁରିତେ ଛାଡ଼ି ।

କେ ଯାଉଛ ବାଟେ, ଆହେ ସାଧୁ ବାଟୋଇ ଜନ,

ପ୍ରଭୁ ଭଲେ ରଖିଥିବେ, ମୋର ମିନତି ଘେନ ।’’

ଘୋଡ଼ା ଗାଡ଼ି ଚଢ଼ି ସୁଖେ, ମହା ଆଟାପେ କାହିଁ

ଯାଉଥିଲେ ସୌଦାଗର ନିଜ ବଣିଜ ପାଇଁ ।

‘‘ଦେଖ, କିଏ ଅଛ ଆରେ, କି ହୋଇଛି ବୁଢ଼ାର;

କାହିଁ ତାରେ ଛାଇତଳେ ନେଇ ତୁରିତେ ଛାଡ଼ ।’’

କଳିଆର ଟାଣି, ତହୁଁ ଗାଡ଼ିଚାଳକ ତ୍ୱରା

ଗାଡ଼ି ଠିଆ କଲା ତହିଁ; ଶୋଇ ରହିଛି ବୁଢ଼ା ।

ଖରେ ବେନି ଜଗୁଆଳ ଗାଡ଼ି ପଛୁ ଓହ୍ଲାଇ,

‘‘ଉଠ ବୁଢ଼ା’’, ଓଟାରନ୍ତି, ‘‘କହ, ଯିବୁ ତୁ କାହିଁ ?’’

ମୁଖେ ଚାଇଁ ଚାଇଁ ଖରା ମାରୁଅଛି ତେସନେ,

ଅଙ୍ଗେ ରୋଗ ମାଡ଼ି ଆସେ ବେଳୁ ବେଳ ସଘନେ ।

ଅଳପ ଅନାଇ ବୁଢ଼ା ପଡ଼ିଗଲା ଦୋସର,

ହାତଠାରେ ଜଣାଇଲା ନାହିଁ ଲୋଡ଼ା ଯିବାର ।

ବେନି ଜଗୁଆଳେ ବେନି କ୍ରୁର ବଚନ ଭାଷି,

ଗାଡ଼ି ପଛେ ନିଜ ଥାନେ ଠିଆ ହୋଇଲେ ଆସି ।

ରାଗ ଅପମାନେ ତାତି ଅର୍ଦ୍ଧ ଅସ୍ଫୁଟ ଗୀରେ

‘‘ଚଲା ଗାଡ଼ି’’, ସୌଦାଗର ଦେଲେ ଆଦେଶ ଖରେ ।

ଘଡ଼ି ଘଡ଼ି ଗଲା ଗାଡ଼ି ଛାଟ ପ୍ରହାରେ ଧାଇଁ,

ଗଳି ମୁଣ୍ଡେ ଅଦୃଶ୍ୟ ସେ ହେଲା ତୁରିତେ ଯାଇ ।

ହୋଇ ନୋହିଛି କି ବୁଢ଼ା ଅବା ନିମିଷେ ତୁନି,

ଅଧରୁ ଭାଷିଲା ପୁଣି କ୍ଷୀଣ ବିକଳ ବାଣୀ;-

‘‘କେ ଯାଉଛ ବାଟେ, ଆହେ ସାଧୁ ବାଟୋଇ ଜନ,

ପ୍ରହୁ ଭଲେ ରଖିଥିବେ ମୋର ମିନିତି ଘେନି ।’’

ଶିବାଳୟେ ସୋମବାର ପୂଜା ବିହିବା ଆଶେ,

ଯାଉଥିଲେ ବିଧବା ଯେ, ଶୁଦ୍ଧ ପବିତ୍ର ବାସେ ।

ଥୋଇ ଦେଲେ ନଇବେଦ୍ୟ କରଯୁଗୁଁ ଭୂତଳେ,

ଅଧ ଲାଳେ ବୁଢ଼ା ପାଶେ ଯାଇମିଳିଲେ ଖରେ ।

ବଦନ ଓଢ଼ଣାଟିକି ଟାଣି ଶଙ୍କିତେ ନାରୀ,

ବୁଢ଼ା ଅଙ୍ଗ ପରଶିଲେ ଲାଜ ସରମ ଛାଡ଼ି ।

ସମ୍ପୂର୍ଣ୍ଣ ପରଶି ନାରୀ ଛନ୍ତି ଅବା କି ନାହିଁ;

ତର ତରେ ଉଠି ବୁଢ଼ା ହେଲା ଠିଆଟି ତହିଁ ।

ବଳ ଆସିଗଲା କିବା କ୍ଷୀଣ ବେନି ପୟର,

ନିଜେ ଯାଇ ଛାଇତଳେ ଉଭା ହୋଇଲା ହେଳେ ।

ନଇବେଦ୍ୟ ଥାଳୀ କରେ ତୋଳି ତହୁଁ ଯତନେ,

ଶିବାଳୟେ ଗଲେ ନାରୀ ସେବା ଧ୍ୟାନ ପୂଜନେ ।

ବାହୁଡ଼ି ଦେଖନ୍ତି, ବୁଢ଼ା ଛାଇ ତଳେ ନିବସି,

‘‘ଥକା ମନ ଚାଲ ଯିବା’’, ଗାଉ ଅଛଇ ହସି ।

‘‘ଚକା ନେତ୍ର ନିରେଖିବା’’, କଣ୍ଠ ସଙ୍କୋଚ ଭାଷେ,

ମିଶାଇ ନାରୀଟି ଧୀରେ, ଗଲେ ଆପଣା ବାସେ ।

Image

 

ସାନ୍ଧ୍ୟତାରା

 

ପ୍ରତୀଚୀ ଭୂଧର ପଛେ ଲୁଚିଲେ ତପନ,

ସୁନ୍ଦର ପାଟଳେ ଶୋହେ ବାରୁଣୀ ଗଗନ;

ତେବେ ତା ଶାନ୍ତ କପାଳେ,

ତୁହି, ସାନ୍ଧ୍ୟତାରା, ଏକା ତାରକା ସଂସାରେ ।

ରବି ବୁଡ଼ିଗଲେ, ମର୍ତ୍ତ୍ୟ ଘୋଟଇ ଅନ୍ଧାର;

ଘୁଞ୍ଚାଉ ତୁ ଢାଳି ଜ୍ୟୋତି ଦୁଃଖ ଦୈନ୍ୟ ତାର;

ତୁହି ଅନ୍ତିମ ଭରସା,

ତୋ ବିନା ଏ ଅବିଶ୍ୱାସ ଲଭନ୍ତା କି ଦଶା ?

ଦୀପାୟିତ ନୁହେଁ ଖାଲି ଆକାଶ ତଳପ,

ନିରାଶ ହୃଦୟେ ଆଶା ଜଗାଉ କଳପ,

ରାଜୁ ନିଶା ଦେବୀ ଭାଲେ,

ସୀମନ୍ତିନୀ ଶୁଭ ଟୀକା ସରି କି ସମ୍ଭାରେ !

ପ୍ରକୃତି ଉଦ୍ୟାନେ ତୁ କି କମଳ କଳିକା ?

ଅବା କେଉଁ ଦେବତାର ନୟନ ଚନ୍ଦିକା ?

କେଉଁ ସୁରନାଗ ମଣି ?

ଅବା କାହା ନେତ୍ର ତ୍ୟକ୍ତ ଅଶ୍ରୁ ବାରି କଣି ?

ଅବା ଦିବା ରାତ୍ରି ଶୁଭ ବିଭେ ବେଦୀ ପାଶେ,

ତୁ ଏକ ତ୍ରିଦିବ ଦୀପ ଜଳୁଛୁ ଆକାଶେ ?

କି ବା ସୁରାସୁର ଗଣ

ସମୁଦ୍ର ମନ୍ଥନ ତୋତେ ପାଇଛନ୍ତି ଧନ ?

ଯାହା ତୁ ହେଉ, ରେ ସାନ୍ଧ୍ୟତାରା, ଯାହା ପ୍ରତି;

ତୁ ତ ମୋର ଏକମାତ୍ର ପରାଣ ସମ୍ପତ୍ତି;

ମୋର ନୀରସ ଜୀବନେ

ତୁ ଏକା ସଞ୍ଚାରୁ ରସ କଣିକା ବିଜନେ ।

ଜୀବନୁ ଲିଭିବ ଯେବେ ମୋ ସୁଖ ଆଲୋକ,

ବ୍ୟଥିତେ ଚାହିଁବି ଶୂନ୍ୟେ ବହି ଦୃଦେ ଶୋକ

ତେବେ ଆୟୁ ଶେଷ କ୍ଷଣେ

ତୁହି, ସାନ୍ଧ୍ୟ ତାରା, ଉଇଁ ପ୍ଲାବିବୁ କିରଣେ ।

Image